‘ସବୁଠୁ ଗରିବ ଦେଶରୁ ହେଲୁ ବିଶ୍ଵର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା, ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ଲକ୍ଷ୍ୟ’:ଏସ ଜୟଶଙ୍କର

ନୂଆଦିଲ୍ଲୀ: ୧୮ମ ଶତାବ୍ଦୀରେ ଭାରତର ଅର୍ଥବ୍ୟବସ୍ଥା ବିଶ୍ଵର ମୋଟ୍ ଅର୍ଥବ୍ୟବସ୍ଥାର ପ୍ରାୟ ଏକ ଚତୁର୍ଥାଂଶ ଅଂଶ ଥିଲା। ପରେ ବିଂଶ ଶତାବ୍ଦୀ ସୁଦ୍ଧା ଗୁଲାମି କାରଣରୁ ଭାରତ ଦୁନିଆର ସବୁଠୁ ଗରିବ ଦେଶରେ ପରିଣତ ହୋଇଥିଲା। ମାତ୍ର ସ୍ଵାଧୀନତାର ୭୫ତମ ବର୍ଷରେ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ ଅର୍ଥବ୍ୟବସ୍ଥା ଦେଶରେ ପରିଣତ ହୋଇ ପାରିଛି। ସଂପ୍ରତି ବିଶ୍ଵର ଦ୍ରୁତ ବେଗରେ ବଢୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ। ଏହା କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

ନ୍ୟୁୟର୍କରେ ଆୟୋଜିତ ‘ଭାରତ@75: ଇଣ୍ଡିଆ-ୟୁଏନ ପାର୍ଟନରଶିପ ଇନ ଆକ୍ସନ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆମର ବିକାଶକୁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ପରି ଡିଜାଇନ କରାଯାଇଛି। ଯେମିତି କେହି ବି ପଛରେ ନରହିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଜରିଆରେ ଖାଦ୍ୟ ସୁରକ୍ଷା ଯୋଜନାକୁ ଆହୁରି ସଫଳ କରାଯାଇ ପାରିଛି। ଭାରତରେ ଡିଜିଟାଲ ଟେକ୍ନୋଲୋଜି ସାହାଯ୍ୟରେ ୮୦ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଆଧାରରେ ରାସନ ଯୋଗାଇ ଦିଆଯାଉଛି। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ହେବାକୁ ଲକ୍ଷ୍ୟ ରଖିଛି ବୋଲି ଜୟଶଙ୍କର କହିଛନ୍ତି।

ଜୟଶଙ୍କର କହିଛନ୍ତି, ଆମେ ୨ ବିଲିୟନରୁ ଅଧିକ ଅର୍ଥାତ ୨୦୦ କୋଟିରୁ ଅଧିକ ଟିକାକରଣ କରିଛୁ। ବିଶ୍ଵ ଜଳବାୟୁ ପରିବର୍ତ୍ତନର ସୁଧାର ଦିଗରେ ଭାରତ ଦୁଇଟି ପ୍ରମୁଖ ଦିଗରେ କାମ କରିଛି। ପ୍ରଥମ ୨୦୧୫ରେ ଫ୍ରାନ୍ସ ସହିତ ଅନ୍ତର୍ଜାତୀୟ ସୌର ସଂଗଠନ ଉପରେ କାମ ଜାରି ରହିଛି। ଏଥିରେ ୧୦୦ରୁ ଅଧିକ ସଦସ୍ୟ ରହିଛନ୍ତି। ଦ୍ଵିତୀୟ ବିପର୍ଯ୍ୟୟ ପରିଚାଳନାର ଭିତ୍ତିଭୂମି ବିକାଶ ପାଇଁ ଗଠିତ ମେଣ୍ଟରେ ଭାରତ ହେଉଛି ସଂସ୍ଥାପକ ସଦସ୍ୟ।ସେ ଏହା ମଧ୍ୟ କହିଛନ୍ତି, ଭାରତ ପୃଥିବୀର ଉଜ୍ଜ୍ଵଳ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ସହିତ ସହଭାଗିତାକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧ। ଆମେ ମିଳିତ ଜାତିସଂଘର ସିଦ୍ଧାନ୍ତ ଏବଂ ଏହାର ଚାର୍ଟର ଉପରେ ପୂର୍ଣ୍ଣ ଭରସା ରହିଛି। ଆମ ବିଚାରରେ ଦୁନିଆ ଆଜି ଗୋଟିଏ ପରିବାର ବୋଲି ଜୟଶଙ୍କର କହିଛନ୍ତି।

Comments are closed.