ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

0

କେନ୍ଦ୍ରପଡା : ଦୁର୍ନୀତି ବିରୋଧୀ ଅଭିଯାନକୁ ଜୋରଦାର କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର ନାୟକଙ୍କ ବିରୋଧରେ ବୁଧବାର ସକାଳୁ ବଡ଼ ଧରଣର ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ।

ଭିଜିଲାନ୍ସର ଏକାଧିକ ଟିମ୍ ଏକକାଳୀନ ଭାବେ ମୋଟ ୪ଟି ସ୍ଥାନରେ ତଲାସି ଚଳାଇଛନ୍ତି। ଏଥିରେ ରବୀନ୍ଦ୍ର ନାୟକଙ୍କ ବାସଭବନ, କାର୍ଯ୍ୟାଳୟ ସମେତ ତାଙ୍କ ସହ ସମ୍ପୃକ୍ତ ଅନ୍ୟାନ୍ୟ ସ୍ଥାନ ସାମିଲ ରହିଛି।

ସୂଚନା ଅନୁଯାୟୀ, ରେଞ୍ଜର ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଆୟର ଉତ୍ସ ତୁଳନାରେ ବହୁମୂଲ୍ୟ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆଧାରରେ ଭିଜିଲାନ୍ସ ଏହି ଚଢ଼ାଉ କରିଛି। ତଦନ୍ତକାରୀ ଅଧିକାରୀମାନେ ବାସଭବନ ଓ କାର୍ଯ୍ୟାଳୟରେ ନଗଦ ଅର୍ଥ, ସୁନା ଅଳଙ୍କାର, ବ୍ୟାଙ୍କ ଜମା, ଜମିଜମା ସମ୍ବନ୍ଧୀୟ କାଗଜପତ୍ର, ବିନିଯୋଗ ଓ ଅନ୍ୟାନ୍ୟ ସମ୍ପତ୍ତିର ଦସ୍ତାବିଜ ଯାଞ୍ଚ କରୁଛନ୍ତି।

ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ ଚଢ଼ାଉରେ ଜବତ ହୋଇଥିବା ସମ୍ପତ୍ତିର ପରିମାଣ କିମ୍ବା ମୂଲ୍ୟ ସମ୍ପର୍କରେ କୌଣସି ସରକାରୀ ସୂଚନା ଜାରି କରାଯାଇନାହିଁ। ତେବେ ତଦନ୍ତ ଶେଷ ହେବା ପରେ ଆୟବହିର୍ଭୂତ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ସାର୍ବଜନୀନ କରାଯିବ ବୋଲି ଆଶା କରାଯାଉଛି।

ଏହି ଚଢ଼ାଉ ପରେ ବନ ବିଭାଗରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ତଦନ୍ତରେ ମିଳୁଥିବା ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.