କାଣୀ ନଦୀରେ ପୁଣି ବନ୍ୟା: ସିଂହଗାଁ କୋଳଥିଆ ବାଲିକିରା ବାହ୍ୟ ଜଗତରୁ ବିଛିନ୍ନ ବ୍ରାହ୍ମଣୀରେ ବନ୍ୟା ଆଶଙ୍କା
ପଟ୍ଟାମୁଣ୍ଡାଇ ୨୬/୯ ପଟ୍ଟାମୁଣ୍ଡାଇ ଅଂଚଳରେ ଲଘୁ ଚାପ ଜନିତ ବର୍ଷା ଓ ଗଭୀର ଅବପାତରୁ ସାମାନ୍ୟ ମୁକ୍ତି ମିଳିଥିବାବେଳେ ଆଜି ସକାଳୁ କାଣୀନଦୀରେ ବନ୍ୟା ଜଳ ହୁ ହୁ ହୋଇ ମାଡି ଆସିଛି Iଲୋକମାନେ ୩ ଦିନର ଲଗାଣ ବର୍ଷାରେ ଘାଣ୍ଟି ହେଉଥିବା ବେଳେ ଖରସ୍ରୋତା କାଣୀ ନଦୀ ବନ୍ୟା ଆସି ପୁଣି ଥରେ ବିଭିନ୍ନ ଗାଁ ରେ ପ୍ରବେଶ କରିଛି। ବୈତରଣୀର ଶାଖା ବୁଢ଼ାନଦୀରୁ ଖରସ୍ରୋତାକୁ ପ୍ରବାହିତ ଉଦବୃତ୍ତ ବନ୍ୟା ଜଳ ପଟ୍ଟାମୁଣ୍ଡାଇ ବ୍ଲକର ୭ ଟି ପଞ୍ଚାୟତ ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହିଁ ଓ ବଲୁରିଆ ପଞ୍ଚାୟତର ଚାଷ ଜମି ପ୍ଲାବିତ ହୋଇ ସିଂହଗାଁ, ନୂଆପାଟଣା, ରାଉଳିଆ, କୋଳଥିଆ ବାଲିକିରା ଓ ଅଣ୍ଢରା ବ୍ରାହ୍ମଣସାହି , ତରଡ଼ିପାଳ ପୋଖରୀକୁଳ ପ୍ରଭୃତି ଗାଁ ରାସ୍ତାରେ ପ୍ରବେଶ କରିଛି। ବନ୍ୟା ଜଳ ପତ୍ତନ ଧୀରେ ଧୀରେ ବୃଦ୍ଧି ପାଉଥିବାରୁ ଆସନ୍ତାକାଲି ସକାଳ ସୁଦ୍ଧା ଧୋୟାଞ୍ଚଳର ଆହୁରି ଅନେକ ଗ୍ରାମ ବିଛିନ୍ନ ହୋଇ ପଡିବା ଆଶଙ୍କା କରାଯାଉଛି I ବ୍ରାହ୍ମଣୀ ନଦୀ ମାତ୍ର ୨ ଦିନ ତଳେ ଶୁଖିଲା ପଡ଼ିଥିବା ବେଳେ ଆଜି ଦିନରେ ହାରାହାରି ୩ ଫୁଟ ପାଣି ବଢିଛି ଯାହାଫଳରେ ବାଛରା, ମଣ୍ଡପଡା, ବାଲିପାଟଣା, ଆଗଡ଼ିଆ ଓ ନୀଳକଣ୍ଠପୁର ଆଦି ଗ୍ରାମ ପୁଣି ବିଛିନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି I