ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ, କହିଲେ-ପ୍ରଲୋଭନ ଦେଖାଇ କରୁଥିଲେ ଯୌନ ଶୋଷଣ

ଭୁବନେଶ୍ଵର: କାଷ୍ଟିଂ କାଉଚରେ ଫସିଲେ ବିଶିଷ୍ଟ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ତାଙ୍କ ନାଁରେ ହୋଇଛି ସାଙ୍ଘାତିକ ଅଭିଯୋଗ। ଫିଲ୍ମରେ କାମ ଦେବା ନାଁରେ ଦେଢ ବର୍ଷ ଧରି ଯୌନ ଶୋଷଣ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ଯୁବତୀ। ଯୁବତୀ ଜଣକ ଭୁବନେଶ୍ଵର ଅଞ୍ଚଳର। ଏମିତି ଅଭିଯୋଗ ପରେ ଓଡିଆ ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଛି। ପୁଣିଥରେ କାଷ୍ଟିଂ କାଉଚ୍ ମାମଲା ଚର୍ଚ୍ଚାର ପରିଧିକୁ ଆସିଛି। ଘଟଣାର ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି।

ଯୁବତୀ ଜଣକ କହିଛନ୍ତି ଯେ, ସିନେମାରେ ସୁଯୋଗ ଦେବା ନାଁରେ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ତାଙ୍କୁ ଦେଢ ବର୍ଷ ହେବ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲେ। ତାଙ୍କୁ ପ୍ରତାରଣା କରିଛନ୍ତି । ଏ ନେଇ ଲକ୍ଷ୍ମୀସାଗର ଥାନାରେ ବି ଅଭିଯୋଗ କରିଛି। ପ୍ରମାଣ ସ୍ଵରୂପ ଯୁବତୀ କିଛି ଫଟୋ ଦେଇଥିବା କହିଛନ୍ତି। ତେବେ ଅଭିଯୋଗ ନେଇ ଥାନା କର୍ତ୍ତୃପକ୍ଷ କିଛି ସ୍ପଷ୍ଟ କରୁନଥିବା ସେ କହିଛନ୍ତି। ଯୁବତୀଙ୍କ ସହ ଅକ୍ଷୟ ପରିଜାଙ୍କ କିଛି ଅନ୍ତରଙ୍ଗ ଫଟୋ ଥିବା କୁହାଯାଉଛି।

ନିଜ ନାଁରେ ଏମିତି ସାଙ୍ଘାତିକ ଅଭିଯୋଗ ଆସିବା ଉପରେ ଅକ୍ଷୟ ପରିଜା ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ଝିଅ ବଦମାସି କରୁଛି। ମୋତେ ବ୍ଲାକମେଲିଂ କରୁଛି। ଇଏ ଗୋଟେ ଗ୍ୟାଙ୍ଗ ଚାଲିଛି, ରିୟଲ ଷ୍ଟୋରୀ ଆପଣ ଜାଣି ପାରିବେ। ୩-୪ ଜଣ ସହ ଏମିତି ଅନ୍ୟ କିଛି ଅଛନ୍ତି, ଯେଉଁମାନେ ଏଭଳି କାମ କରୁଛନ୍ତି। ଘଟଣା ବିଷୟରେ ପୋଲିସ ମୋତେ ପଚାରିଥିଲେ। ମାମଲାରେ ମୁଁ ଲଢିବାକୁ ପ୍ରସ୍ତୁତ ଥିବା ସେ ପୋଲିସକୁ କହିଥିବା କହିଛନ୍ତି ଅକ୍ଷୟ ପରିଜା। ସେ ଝିଅ ମୋତେ ବହୁତ ପଇସା ମାଗୁଛି, ମୋ ପାଖରେ ସବୁ ଭିଡିଓର ରେକର୍ଡିଂ ଅଛି। ପୋଲିସ୍‌କୁ ସବୁ ଦେବି ବୋଲି ସେ କହିଛନ୍ତି।

ଓଡ଼ିଆ ଫିଲ୍ମ ବିକାଶ ପାଇଁ ନ୍ୟୁକମର ମାନଙ୍କୁ ସୁଯୋଗ ଦେଉଥିବା ନେଇ ଏହି ବରିଷ୍ଠ  ପ୍ରଯୋଜକ ବାରମ୍ବାର ଘୋଷଣା କରୁଥିବା ବେଳେ ସୁଯୋଗ ପଛରେ ଶୋଷଣ ରହିଥିବା ଚର୍ଚ୍ଚା ଜୋର ଧରିଛି। ସେ ସଂପୃକ୍ତ ଯୁବତୀଙ୍କୁ ଚିହ୍ନିଥିଲେ ମଧ୍ୟ ଏଭଳି କିଛି କରିନଥିବା କହିଛନ୍ତି। ତେବେ ଯୁବତୀ ଯେଉଁ ପ୍ରମାଣ ଦେଇଛନ୍ତି ସେଥିରେ କେତେ ସତ ରହିଛି ସନେଇ ସ୍ପଷ୍ଟ ହୋଇନାହିଁ। ତେବେ ଦେଢ ବର୍ଷ ଧରି ଯୁବତୀ କାହିଁକି ନିରବ ଥିଲେ ? ଯଦି ତାଙ୍କ ସହିତ ଏମିତି ଯୌନଶୋଷଣ ହେଉଥିଲା ତେବେ କାହିଁକି ଥାନାର ଦ୍ଵାରସ୍ଥ ହେଲେନି ? କଣ ପ୍ରଲୋଭନ ଦେଖାଇ ଏବଂ ଯୌନ ସୁଖ ମେଣ୍ଟାଇବା ପରେ ଫିଲ୍ମ ନିର୍ମାତା ତାଙ୍କୁ କାମ ଦେଲେନି ବୋଲି ଯୁବତୀ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି, ଏହାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ରହିଛି।

Comments are closed.