ଫଳକରେ ସୀମିତ ଡିଏମ୍‌ଏଫ୍‌ ରାସ୍ତା:ଗ୍ରାମ୍ୟ ଉନୟନ ବିଭାଗ ରେ ଚାଲିଛି ଲୁଟ

କେନ୍ଦୁଝର : ଖଣି ପ୍ରଭାବିତ ଲୋକ ତଥା ଅଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ବିଭିନ୍ନ ବିଭାଗ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ପ୍ରକଳ୍ପ କାମ ଆରମ୍ଭ କିମ୍ବା ଶେଷ ହୋଇପାରୁନାହିଁ। ଏଭଳି ଦେଖିବାକୁ ମିଳିଛି ସଦର ବ୍ଲକ୍‌ ଅନ୍ତର୍ଗତ ଟିକରପଡ଼ାଠାରୁ କୁଡ଼ିଆ ଘର ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ। ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ହେବାକୁ ଥିବା ଉକ୍ତ ରାସ୍ତା ସରିବା ତ ଦୂରର କଥା ଅବଧି ସରିଥିଲେ ମଧ୍ୟ କାମ ଆରମ୍ଭ ହୋଇ ନାହିଁ।
ଏହି ବ୍ୟୟବହୁଳ ରାସ୍ତାକାମ ସୂଚନା ଫଳକରେ ସୀମିତ ରହିଛି। ରାସ୍ତା ନିର୍ମାଣ ଆରମ୍ଭ ୩ ଜାନୁୟାରୀ ୨୦୨୨ରେ ହୋଇ ୨ଅକ୍ଟୋବର ୨୦୨୨ରେ ଶେଷ ହେବ ବୋଲି ସୂଚନା ଫଳକରେ ଲେଖାଯାଇଛି। ଖଣି ପ୍ରଭାବିତ ଅଞ୍ଚଳ ଓ ଲୋକଙ୍କ ବିକାଶ ପାଇଁ ୫ କୋଟି ୩୫ ଲକ୍ଷ ୫୬ ହଜାର ୯୭୭ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରିବା ଲକ୍ଷ୍ୟ ରଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଅଧୀନରେ ଏହି କାମ ରହିଛି। କିନ୍ତୁ ଉପଯୁକ୍ତ ତଦାରଖର ଅଭାବ ଏବଂ ଠିକା ସଂସ୍ଥାର ମନମାନି ଯୋଗୁ ରାସ୍ତା କାମ ଆରମ୍ଭ ହୋଇପାରୁନି। ଏହି ରାସ୍ତା ହେଲେ ନାଉପଦା, ସଲରାପେଣ୍ଠ, ମଦରଙ୍ଗାଯୋଡ଼ି, କାଳିମାପୁର, କୁଡ଼ିଆଘର ଆଦି ଗ୍ରାମର ଲୋକମାନେ ଉପକୃତ ହେବେ। ମାତ୍ର କାମ ହୋଇ ନ ଥିବାରୁ ବର୍ଷା ହେଲେ ଲୋକମାନେ ଯାତାୟାତରେ ବହୁ ଅସୁବିଧା ଭୋଗୁଛନ୍ତି। ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଟିକରପଡ଼ା ଗ୍ରାମର ବୟୋଜ୍ୟେଷ୍ଠ ବିକ୍ରମ ଚରଣ ବେହେରା କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ପୂର୍ବତନ ବିଧାୟକ ସୁବର୍ଣ ନାୟକ କହିଛନ୍ତି ଯେ, ଏସବୁ କାମର ସମୀକ୍ଷା ବିଧାୟକ ତଥା ଅନ୍ୟ ଲୋକ ପ୍ରତିନିଧିମାନେ କରୁନାହାନ୍ତି। କାମ ପାଇଁ ପ୍ରଶାସନ ନିକଟରେ ଚାପ ପକାଉ ନ ଥିବାରୁ କାମ ହୋଇପାରୁନାହିଁ। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ କାମ କରିବାକୁ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

Comments are closed.