ମିଛ ଥିଲା ଗଣଦୁଷ୍କର୍ମ, ଅତିରଞ୍ଜିତ କରିଥିଲେ ମହିଳା କମିଶନର!

ଗାଜିଆବାଦ: ଦିଲ୍ଲୀର ଜଣେ ମହିଳାଙ୍କୁ ଗାଜିଆବାଦରେ ଗଣଦୁଷ୍କର୍ମ ସହ ଅତ୍ୟନ୍ତ ଭୟଙ୍କର ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ନୂଆ ଟ୍ୱିଷ୍ଟ ଆସିଛି। ବାସ୍ତବରେ ଗଣଦୁଷ୍କର୍ମ ଓ ନିର୍ଯାତନା ଘଟଣା କେବଳ ଡ୍ରାମା ଥିଲା। ତଥାକଥିତ ପୀଡ଼ିତା ଜଣଙ୍କ ଜମି ବିବାଦ ଘଟଣାରେ କିଛି ଯୁବକଙ୍କୁ ଫସାଇବା ପାଇଁ ଏପରି ନାଟକ କରିଥିଲେ। ଏହି ଅଭିଯୋଗକୁ ଯାଞ୍ଚ ନ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଟ୍ୱିଟ କରି ଏହାର ପ୍ରଚାର କରିଥିଲେ। ମହିଳା ଜଣଙ୍କ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାର ପ୍ରଚାର ପ୍ରସାର କରିବାକୁ ଟଙ୍କା ମଧ୍ୟ ଦେଇଥିଲେ ବୋଲି ପୁଲିସ୍‌ କହିଛି।

ଉତ୍ତର ପ୍ରଦେଶ ପୁଲିସ୍‌ ଘଟଣାର ଯାଞ୍ଚ କରି ମହିଳାଙ୍କ ସାଥ ଦେଇ ଅପହରଣ ଓ ନିର୍ଯାତନାର ନାଟକ କରିଥିବା ୩ ଜଣ ଯୁବକଙ୍କୁ ଗତକାଲି ଗିରଫ କରିଛି।
ଏହି ମାମଲାଟି ସ୍ୱାତୀ ମାଲିୱାଲ ପୋଷ୍ଟ କରିଥିବା ଭିଡିଓ ପରେ ଅଧିକ ଲୋକଲୋଚନକୁ ଆସିଥିଲା। ମାଲିୱାଲ ଭିଡିଓ ପୋଷ୍ଟ କରି କହିଥିଲେ ଯେ ଜଣେ ୩୬ ବର୍ଷୀୟ ମହିଳାଙ୍କୁ ଗୋଟିଏ ଅଖାରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇଛି।

ତାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ତାଙ୍କ ଶରୀରର ପ୍ରାଇଭେଟ ପାର୍ଟରେ ଏବେ ବି ଲୁହାରଡ ରହିଛି। ସେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ ଅପହରଣ କରିଥିବା ଯୁବକମାନେ ଦୁଇ ଦିନ କାଳ ତାଙ୍କୁ ପଣବନ୍ଦୀ କରି ଗଣଦୁଷ୍କର୍ମ କରିଥିଲେ। ଏଥିସହ ତାଙ୍କୁ ଭୟଙ୍କର ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ସେ ୨୦୧୨ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ସହ ମଧ୍ୟ ଯୋଡ଼ିଥିଲେ।

ତେବେ ପୁଲିସ୍‌ କେବେ ହେଲେ ଏହି ଦାବିକୁ ଠିକ୍‌ ବୋଲି କହି ନଥିଲା। ପୁଲିସ୍‌ କେବଳ ତଦନ୍ତ ଜାରି ରଖିଥିଲା। ମହିଳା ଜଣଙ୍କ କହିଥିବା ୫ ଯୁବକଙ୍କ ମଧ୍ୟରୁ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିବା ପରେ ଜମି ବିବାଦ ମାମଲା ସାମ୍ନାକୁ ଆସିଥିଲା। ମାଲିୱାଲ ଗଭୀର କ୍ଷତଚିହ୍ନ କଥା କହୁଥିବା ବେଳେ ମହିଳା ଜଣଙ୍କ ଚିକିତ୍ସିତ ହେଉଥିବା ଜଟିବି ହସ୍ପିଟାଲର ଡାକ୍ତରମାନେ ସେମିତି କିଛି ବି ପାଇ ନଥିଲେ।

Comments are closed.