ଖଟିଆରେ ବୁହା ହୋଇ ନାଗାବଳୀ ପାର

0

ରାୟଗଡା :(ଗୌରୀ ଶଙ୍କର ରାୱ): ରାୟଗଡା ଜିଲ୍ଲାରୁ ପୁଣି ଆସିଲା ସ୍ବାସ୍ଥ୍ୟସେବା ର ବିକଳ ଚିତ୍ର।ଗାଁକୁ ନାହିଁ ପକ୍କା ରାସ୍ତା, ନଦୀ ପାର ହେବାକୁ ନାହିଁ ପୋଲ । ଜରୁରୀ ସମୟରେ ଆମ୍ବୁଲାନ୍ସ ପହଞ୍ଚିବା ତ ଦୂରର କଥା, ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରିବାକୁ ପଡ଼ୁଛି । ଏଭଳି ଏକ ଦୟନୀୟ ଚିତ୍ର ସାମ୍ନାକୁ ଆସିଛି ରାୟଗଡ଼ା ସଦର ବ୍ଲକ ପୂଜାରୀବମ୍ବୁ ଗ୍ରାମରୁ । ହଠାତ୍ ପକ୍ଷାଘାତରେ ପୀଡ଼ିତ ଅଭି ବିଡ଼ିକାଙ୍କୁ ଖଟିଆରେ ବୋହି ନାଗାବଳୀ ନଦୀ ପାର କରାଇଛନ୍ତି ଗ୍ରାମବାସୀ । ଆଉ ଏହି ଘଟଣା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି ।ଏ ଦୃଶ୍ୟ ଦେଖିଲେ ଯେକେହି ବିଚଳିତ ହେବା ସ୍ୱାଭାବିକ । ଜୀବନ ବଞ୍ଚାଇବା ପାଇଁ ଚାଲିଛି ସଂଘର୍ଷ । ହଠାତ୍ ପକ୍ଷାଘାତରେ ପୀଡ଼ିତ ହୋଇପଡ଼ିଥିଲେ ପୂଜାରୀବମ୍ବୁ ଗ୍ରାମର ଅଭି ବିଡ଼ିକା । ହେଲେ ଗାଁକୁ ନାହିଁ ରାସ୍ତା ।

ଫଳରେ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ଦେଖାଦେଇଥିଲା ବାଧା । ଶେଷରେ ରୋଗୀଙ୍କୁ ଖଟିଆରେ ବୋହି ଭରାନଇଁ ପାର କରାଇବାକୁ ପଡ଼ିଥିଲା । ଭରା ନାଗାବଳୀ ନଦୀର ଜଳସ୍ରୋତକୁ ଖାତିର ନକରି ଜୀବନକୁ ବାଜି ଲଗାଇଥିଲେ ପରିବାର ଲୋକ ଓ ଗ୍ରାମବାସୀ । ନଦୀ ପାର ହେବା ପରେ ବେହେରାଗୁଡ଼ା ଗ୍ରାମରେ ପହଞ୍ଚିଥିଲେ । ସେଠାରୁ ମିଳିଥିଲା ଆମ୍ବୁଲାନ୍ସ ସେବା ।ଏହା କେବଳ ଜଣେ ରୋଗୀଙ୍କ ଦୁର୍ଦ୍ଦଶାର କାହାଣୀ ନୁହେଁ । ବରଂ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଓ ଯୋଗାଯୋଗ ବ୍ୟବସ୍ଥାର ଅଭାବକୁ ଦର୍ଶାଉଛି । ରାସ୍ତା ନଥିବାରୁ ଆଜି ବି ରୋଗୀଙ୍କୁ ଖଟିଆରେ ବୋହି ନଦୀ ପାର କରିବାକୁ ପଡ଼ୁଛି ।ଏଭଳି ସ୍ଥିତିରେ ପ୍ରଶାସନ କେବେ ଗାଁକୁ ରାସ୍ତା ଓ ନଦୀ ଉପରେ ପୋଲ ନିର୍ମାଣ କରିବ, ତାହାକୁ ଅପେକ୍ଷା ।

Leave A Reply

Your email address will not be published.