ରାଉରକେଲା: ଭିଜିଲାନ୍ସ ସ୍କାନରରେ ରାଉରକେଲା ଅବକାରୀ ଅଧୀକ୍ଷକ ଧନେଶ୍ୱର ବରାଡ଼। ଉଦିତନଗରସ୍ଥିତ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସ୍କର୍ପିଓକୁ ଅଟକାଇ ଯାଞ୍ଚ କରିବା ବେଳେ ଭିଜିଲାନ୍ସ ଟିମ୍ ୫ ଲକ୍ଷ ଟଙ୍କା ଜବତ କରିଛି।
ଗାଡ଼ିରେ ଥିବା ସ୍ଥାନୀୟ ମଦ ଦୋକାନର ଜଣେ ବିକ୍ରେତା ଏହି ଟଙ୍କା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ତାଙ୍କ ବାସଭବନକୁ ନେଇ ଯାଉଥିବା ଭିଜିଲାନ୍ସକୁ କହିଥିବା ସୂଚନା ମିଳିଛି।
ଏହାପରେ ବିକ୍ରେତା ଓ ଅବକାରୀ ଅଧୀକ୍ଷକଙ୍କୁ ମୁହାଁମୁହିଁ କରି ଭିଜିଲାନ୍ସ ପଚରାଉଚରା କରିଥିଲା। ଜବତ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ବ୍ୟାଖ୍ୟା ନମିଳିବାରୁ ଭିଜିଲାନ୍ସ ଟଙ୍କା ଜବତ କରିଛି।
ଘଟଣାକୁ ନେଇ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨/୨୦୨୬ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୩(୧)(ବି) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ଟିମ୍ ତଲାସି ଜାରି ରଖିଛି। ଆୟ ବହିର୍ଭୂତ ସମ୍ପତ୍ତି ଦିଗରୁ ମଧ୍ୟ ତଦନ୍ତ ଚାଲିଥିବା ବେଳେ ଘଟଣାରେ ଆହୁରି ତଥ୍ୟ ସାମ୍ନାକୁ ଆସିପାରେ।