ଗଜପତି: ୧୫.୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଲୋକଙ୍କ ଧନଜୀବନକୁ ବନ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ଜଳସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ ହେଉଛି ନଦୀବନ୍ଧ। କିନ୍ତୁ ବନ୍ୟା ଆସିଲେ ଏହି ନଦୀବନ୍ଧ କେତେ ସୁରକ୍ଷା ଦେଉଛି? ଲୋକଙ୍କ ଅଭିଯୋଗ ଓ ବନ୍ୟା ପରବର୍ତ୍ତୀ ସ୍ଥିତି ଏବେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ବିଭାଗୀୟ ତଦାରଖ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।
ଗଜପତି ଜିଲ୍ଲାର ଗୋଶାଣି ଓ ରାୟଗଡ଼ ବ୍ଲକ ଅନ୍ତର୍ଗତ ବାହାଡ଼ାପଦା, ଜିରାଙ୍ଗ ଓ କଇଁପୁର ଅଞ୍ଚଳରେ ନିର୍ମାଣ ହୋଇଥିବା ନଦୀବନ୍ଧ କାର୍ଯ୍ୟକୁ ନେଇ ଏବେ ଅସନ୍ତୋଷ ତୀବ୍ର ହୋଇଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ ସମୟରୁ ହିଁ କାର୍ଯ୍ୟର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଯାଇଥିଲା। ଏପରିକି ନିରୀକ୍ଷକ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା। ହେଲେ ଅଭିଯୋଗକୁ ଗୁରୁତ୍ୱ ନଦେଇ ମନମାନି ଭାବେ କାର୍ଯ୍ୟ କରାଯାଇଥିବା ଅଞ୍ଚଳବାସୀ ଆରୋପ ଲଗାଇଛନ୍ତି।
କେବଳ ନିର୍ମାଣର ମାନ ନୁହେଁ, ନଦୀବନ୍ଧ କାର୍ଯ୍ୟରେ ନଦୀରୁ ପଥର ବ୍ୟବହାର କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଯଦି ନଦୀରୁ ପଥର ଉଠାଯାଇ କାର୍ଯ୍ୟରେ ବ୍ୟବହାର କରାଯାଇଛି, ତେବେ ଏଥିପାଇଁ ଆବଶ୍ୟକ ଅନୁମତି ନିଆଯାଇଥିଲା କି? ରୟାଲଟି ଓ ଅନ୍ୟାନ୍ୟ ସରକାରୀ ଦେୟ ଜମା ହୋଇଥିଲା କି? ଯଦି ବିନା ଅନୁମତିରେ ନଦୀରୁ ପଥର ଉଠାଯାଇଥାଏ, ତେବେ ସରକାରୀ ରାଜସ୍ୱର କ୍ଷତି ପାଇଁ ଦାୟୀ କିଏ? ଏହି ପ୍ରଶ୍ନ ଏବେ ଗୁରୁତ୍ୱ ବହନ କରୁଛି।
ଗତ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ନଦୀବନ୍ଧ ଥାଇ ମଧ୍ୟ ବନ୍ୟାଜଳ ଗ୍ରାମ ଭିତରକୁ ପ୍ରବେଶ କରିବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଯେଉଁ ନଦୀବନ୍ଧ ଲୋକଙ୍କୁ ସୁରକ୍ଷା ଦେବା କଥା, ତାହା ଯଦି ବନ୍ୟା ସମୟରେ ଲୋକଙ୍କ କାମରେ ଆସୁନାହିଁ, ତେବେ କୋଟି କୋଟି ଟଙ୍କା ଖର୍ଚ୍ଚର ଲାଭ କାହାକୁ ମିଳୁଛି? ଏହା କେବଳ ନିର୍ମାଣର ବିଫଳତା ନା ଯୋଜନା ପ୍ରସ୍ତୁତି ଓ ବିଭାଗୀୟ ତଦାରଖରେ ମଧ୍ୟ ରହିଛି ତ୍ରୁଟି?
ଏଠାରେ ଆଉ ଏକ ବଡ଼ ପ୍ରଶ୍ନ ହେଉଛି, ନିର୍ମାଣ ସମୟରେ ଯନ୍ତ୍ରୀମାନେ କେତେଥର କ୍ଷେତ୍ର ପରିଦର୍ଶନ କରିଥିଲେ? କାର୍ଯ୍ୟର ଗୁଣବତ୍ତା ପରୀକ୍ଷା ହୋଇଥିଲା କି? ନଦୀରୁ ପଥର ବ୍ୟବହାର ପାଇଁ ଖଣି ଓ ରାଜସ୍ୱ ବିଭାଗର ଅନୁମତି ଥିଲା କି? ଠିକାଦାରଙ୍କ ବିଲ୍ କେଉଁ ଆଧାରରେ ପ୍ରଦାନ କରାଯାଇଛି? ଏହି ସମସ୍ତ ତଥ୍ୟର ନିରପେକ୍ଷ ଯାଞ୍ଚ ହେଲେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିପାରିବ।
ତେଣୁ ବାହାଡ଼ାପଦା, ଜିରାଙ୍ଗ ଓ କଇଁପୁର ନଦୀବନ୍ଧ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ସହ ନିର୍ମାଣର ମାନ, ବ୍ୟବହୃତ ସାମଗ୍ରୀ, ପଥର ଉତ୍ତୋଳନର ଅନୁମତି, ରୟାଲଟି ଆଦାୟ ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ଯାଞ୍ଚ କରିବାକୁ ଦାବି ଉଠିଛି।
ଲୋକଙ୍କ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ, ନଦୀରୁ ପଥର ବ୍ୟବହାର ନେଇ ଅଭିଯୋଗ, ତଥାପି ବନ୍ୟାରେ ଅସୁରକ୍ଷିତ ଜନଜୀବନ! ଏହାର ଉତ୍ତର ଦେବ କି ଜଳସମ୍ପଦ ବିଭାଗ? ସରକାରୀ ଅର୍ଥର ବିନିଯୋଗ ଓ ସରକାରୀ ରାଜସ୍ୱର ସୁରକ୍ଷା ପାଇଁ ଦାୟିତ୍ୱ ନେବ କିଏ? ଏବେ ଜିଲ୍ଲାବାସୀଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।
Sign in
Sign in
Recover your password.
A password will be e-mailed to you.
Prev Post
Comments are closed.