ଦ୍ଵିବିଦ ବାନର କଥା

ଅର୍ଜୁନୀ ଚରଣ ବେହେରା

ଦ୍ଵିବିଦ ବାନର କଥା
============
ଶ୍ରୀମଦ ଭାଗବତ ମହାପୁରାଣର କଥା l ବ୍ରହ୍ମଜ୍ଞାନୀ ଶୁକଦେବ, ବ୍ରହ୍ମଶାପ ଗ୍ରସ୍ତ ମହାରାଜା ପରୀକ୍ଷିତଙ୍କୁ ବଳରାମଙ୍କ ଯମୁନାକର୍ଷଣ ଚରିତ ଶୁଣାଇ ସାରିଲା ପରେ ପରୀକ୍ଷିତ ଅତି ଉତ୍ସୁକତାର ସହ ପଚାରିଲେ, ହେ ମହାତ୍ମନ୍ ! ଅମିତତେଜ ପ୍ରଭୁ ବଳଦେବ ଆଉ ସବୁ କିକି ଅଦ୍ଭୁତକର୍ମ କଲେ ମୋତେ ଆପଣ ସେହି ଚରିତ କୁହନ୍ତୁ l ଏହାଶୁଣି ଶୁକଦେବ କଥା ଆରମ୍ଭ କଲେ:- ନାରକା କୃଷ୍ଣ ହାତେ ମଲା l ତା’ର ସୁହୃଦ ସଖାଥିଲା l ପ୍ରଚଣ୍ଡ ଦ୍ଵିବିଦବାନର l ଦେବ ମାନବେ ଅଗୋଚର ll
ଶୁକଦେବ କହିଲେ, ଶ୍ରୀକୃଷ୍ଣ ନାରକାସୁର ସଂହାର କଲାପରେ ତାର ଜଣେ ମିତ୍ରଥିଲା ଦ୍ଵିବିଦ ବାନର l ସେ ତ୍ରେତା ଯୁଗରେ ବାଳି ସୁଗ୍ରୀବଙ୍କ ମନ୍ତ୍ରୀ ଥିଲା l ତା’ର ଭାଇ ଥିଲା ମୈନ୍ଦ ନାମକ ବାନର l ନାରକା କୃଷ୍ଣଙ୍କ ହାତରେ ନିହତହୋଇଛି ଶୁଣି, ସେ କୃଷ୍ଣଙ୍କ ସହ ଯୁଝିବା ପାଇଁ ବାହାରି ପଡ଼ିଲା l ସେ ବଡ଼ ବଡ଼ ନଗର,ଗ୍ରାମ, ଖଣି, ଖାଦାନ ଓ ଗୋପାଳ ପଲ୍ଲୀରେ ନିଆଁ ଲଗାଇ ଦେଲା l ପର୍ବତମାନଙ୍କୁ ଉପାଡ଼ି ଆଣି ଦେଶ ଓ ଗ୍ରାମ ମାନଙ୍କ ଉପରେ ପକାଇ ତାକୁ ସବୁ ଚୂର୍ଣ୍ଣ ବିଚୁର୍ଣ୍ଣ କରିଦେଲା l ଶ୍ରୀକୃଷ୍ଣ ରହୁଥିବା ଆନର୍ତ୍ତ ଦେଶରେ ସେ ଏପରି ସବୁ ଉତ୍ପାତକରୁଥିଲା l ତାହା ଦେହରେ ଦଶ ହଜାର ହାତୀର ବଳ ଥିଲା l ସମୁଦ୍ର ମଧ୍ୟରେ ଠିଆ ହୋଇ ଦ୍ଵିବିଦ ହାତରେ ଏପରି ପାଣି ଚହଲାଇ ଦେଉଥିଲା ଯେ କୁଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ପ୍ଲାବିତ ହୋଇ ବୁଡ଼ି ଯାଉଥିଲା l
ସେହି ଦୁଷ୍ଟ ବାନର, ଋଷି ମାନଙ୍କ ଆଶ୍ରମରେ ପଶି ଗଛ ଲତା ଭାଙ୍ଗି ପକାଉଥିଲା ଓ ଯଜ୍ଞକୁଣ୍ଡରେ ମଳ ମୂତ୍ର ତ୍ୟାଗ କରି, ତାକୁ ଅପବିତ୍ର କରି ଦେଉଥିଲା l ସ୍ତ୍ରୀ ପୁରୁଷ ମାନଙ୍କୁ ବଳପୂର୍ବକ ଧରି ଆଣି ସେ ଏକ ଗୁମ୍ଫା ମଧ୍ୟରେ ରଖି ପଥରଦେଇ ତାର ଦ୍ଵାରକୁ ବନ୍ଦ କରି ଦେଉଥିଲା l କୁଳସ୍ତ୍ରୀ ମାନଙ୍କୁ ସେ ବଳପୂର୍ବକ ଧର୍ଷଣ ଓ ଦୂଷିତ କରିଦେଉ ଥିଲା l ଏପରି ଉତ୍ପାତ କରୁଥିବାବେଳେ ଦିନେ ସେ ସୁଲଳିତସ୍ବରରେ କିଏ ଗୀତ ବୋଲୁଥିବା ଶୁଣି, ରଇବତକ ପର୍ବତକୁ ଗଲା ଓ ସେଠାରେ ଯଦୂପତି ପ୍ରଭୁ ବଳରାମଙ୍କୁ ଦେଖିଲା l ସେଠାରେ ପ୍ରଭୁ ବଳରାମ ସୁନ୍ଦରୀ ସ୍ତ୍ରୀମାନଙ୍କ ଦ୍ଵାରା ପରିବେଷ୍ଠିତହୋଇ ବସିଥିଲେ l ତାଙ୍କ ଚକ୍ଷୁ ବାରୁଣୀ ମଦିରାପାନ ଫଳରେ ଢ଼ଳ ଢ଼ଳ ଦେଖା ଯାଉଥିଲା l ଦୁଷ୍ଟ ଦ୍ଵିବିଦ ସେଠାରେ ଗଛ ଡାଳ ମାନଙ୍କରେ ଚଢ଼ି ଜୋରରେ ହଲାଇ କିଳିିକିଳା ରଡ଼ି ଛାଡ଼ିଲା l
ବଳରାମଙ୍କ ସ୍ତ୍ରୀମାନେ ମାଙ୍କଡ଼ର ଏତାଦୃଶ ସ୍ଵଭାବ ଦେଖି ହସିବାରେ ଲାଗିଲେ l ବଳରାମଙ୍କ ସମ୍ମୁଖକୁ ସେ ଆସି ବାନରସ୍ବଭାବରେ ଖିଙ୍କାରୀ ହୋଇ ତାଙ୍କୁ ତାତ୍ସଲ୍ୟକଲା ଏବଂ ନାରୀ ମାନଙ୍କୁ ନିଜର ଗୁପ୍ତାଙ୍ଗ ଦେଖେଇ ଉପହାସ କଲା l ବଳରାମ କୃଦ୍ଧ ହୋଇ ତା ଉପରକୁ ଏକ ଶିଳାଖଣ୍ଡ ନିକ୍ଷେପ କଲେ l ପୁଣି ବାନର ଖସିଯାଇ ବଳରାମଙ୍କ ମଦ୍ୟଭାଣ୍ଡ ଉଠାଇ ନେଇ ହସିବାକୁ ଲାଗିଲା l ଭାଣ୍ଡଟିକୁ ଭାଙ୍ଗି ଦେଇ ସେ ସ୍ତ୍ରୀମାନଙ୍କ ଲୁଗାପଟା ଚିରି ପକାଇଲା l
ବଳରାମ ଆଉ ସହି ପାରିଲେ ନାହିଁ l କ୍ରୂଦ୍ଧ ହୋଇ ସେ ତାଙ୍କ ହଳ ଓ ସୁନନ୍ଦ ମୂଷଳ ଉତ୍ତୋଳନ କରି ଦୁଷ୍ଟ ବାନରକୁ ଆଘାତ କଲେ l ଦ୍ଵିବିଦ ରାଗିଯାଇ ବିରାଟ ବିରାଟ ବୃକ୍ଷସବୁ ଆଣି ବଳରାମଙ୍କୁ ପ୍ରହାର କଲା ଓ ଗଛ ପରେ ଗଛ ଉପାଡି ସେ ବନକୁ ବୃକ୍ଷ ଶୁନ୍ୟ କରିଦେଲା l ପୁଣି ସେ ବଳରାମଙ୍କ ଉପରକୁ ଶିଳା ବୃଷ୍ଟି କରି, ତାଙ୍କ ଆଡ଼କୁ ଦୋଉଡ଼ି ଆସିଲା l ବଳରାମ ବାନର ଜତୁହାଡ଼କୁ ପ୍ରବଳ ମୁଷ୍ଟି ପ୍ରହାର କଲେ l ବଜ୍ର ମୁଷ୍ଟି ପ୍ରହାରରେ ଦୁଷ୍ଟ ଦ୍ଵିବିଦ ବାନର ରକ୍ତ ବାନ୍ତି କରି ଭୁଲୁଣ୍ଠିତ ହେଲା l
ବଳରାମଙ୍କ ଉପରେ ସ୍ଵର୍ଗରୁ ଦେବତା ମାନେ ପୁଷ୍ପ ବୃଷ୍ଟିକଲେ l ସ୍ୱର୍ଗଦୁନ୍ଦୁଭି ବାଜିଉଠିଲା l ଚତୁର୍ଦ୍ଦିଗରୁ ବଳରାମଙ୍କ ଜୟ ଜୟ ଧ୍ଵନୀ ଶୁଣାଗଲା l ଉପଦ୍ରବ କାରୀ ଦ୍ଵିବିଦ ବାନରକୁ ବିନାଶକରି ପ୍ରଭୂ ବଳରାମ ଦ୍ୱାରକା ଫେରିଆସିଲେ l ବଳରାମଙ୍କ ବନ୍ଦନାକରି ଅତିବଡ଼ି ଜଗନ୍ନାଥ ଦାସ ଗାଇଲେ :-
ସେ ରାମ ଚରଣେ ବିଶ୍ୱାସ l
ସେବଇ ଜଗନ୍ନାଥ ଦାସ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.