ଦାରୁଣ ଶୀତକାଳ

ଅର୍ଜୁନୀ ଚରଣ ବେହେରା

ଦାରୁଣ ଶୀତକାଳ
===========
ହେମନ୍ତ ଶେଷେ ଓହ୍ଲାଇ ଆସେ
ଧରାକୁ ଶୀତରାଣୀ l
ବାପ ଆଳୟ ଯାଆନ୍ତି ମାଆ
ଶ୍ରୀକ୍ଷେତ୍ର ଠାକୁରାଣୀ ll
ମାଘ ମାସରେ ବାଘୁଆ ଜାଡ଼
ହାଡ଼ ଉଠଇ ଥରି l
ବର ଗଡ଼ରେ ଧନୁ ଯାତରା
କଂସ ମାରିଲେ ହରି ll
ବୁଢ଼ା କମ୍ବଳ ଘୋଡ଼ି ହୁଅନ୍ତି
ଶ୍ରୀକ୍ଷେତ୍ରେ ଶିରିପତି l
ପହିଲି ଭୋଗ ପାହାନ୍ତି ଖିଆ
ଯଶୋଦା ଆସିଛନ୍ତି ll
ରାତିଟା ବଡ଼ ଦିନଟା ଛୋଟ
ନପଡ଼େ ଟାଣ ଖରା l
ମକରେ ପୁଣି ବକର ହେବେ
ସୁରୂଜ ଦେବ ପରା ll
ଚୋରଙ୍କୁ ଭାଇ ଚାନ୍ଦିନୀ ରାତି
ଦାରୁଣ ଶୀତକାଳ l
ଧନୀ କାଢ଼ିଲେ ଗଦି କମ୍ବଳ
ଗରିବଙ୍କର କାଳ ll
ମକର ମାସେ ଉତ୍କଳ ଦେଶେ
ଜଗଜ୍ଜୀବନ ହରି l
ପଦୁଅଁ ବେଶ ହୋଇ ସୁବେଶ
କଲ୍ୟାଣ ଥାନ୍ତି କରି ll
ବିଶ୍ଵ ଜନନୀ ଶ୍ୟାମ ବରଣି
ମାଆ ରଟନ୍ତି କାଳି l
ମାଘ ମାସରେ ପୁଜା ତାଙ୍କର
ବାଜଇ ପେଏଁକାଳି ll
ଶୀତଶେଷରେ ଗାଆଁ ସହରେ
ସବୁଠି ଅଗୀ ଜଳେ l
ଅଗୀ ଜଳିଲା ଶୀତ ଟଳିଲା
ରହିଛି କଥା କାଳେ ll
ପୋଉଷ ମାଘ ଦୁଇଟି ମାସ
ଶୀତର ଥାଏ କୋପ l
କଳେଇ ଗଦା ଖଳାରେ ମାରି
ଜଗନ୍ତି ପୁଅ ବାପ ll
ଶୀତର ଶେଷେ ବସନ୍ତ ଆସେ
ଫଗୁଣ ଫଗୁ ଖେଳେ l
ଚୂତ ମୁକୁର ଅଙ୍କୁରି ଆସେ
ଚୂତ ତରୁର ଡାଳେ ll
ମାଆ ଭାରତୀ ବୁଲି ଆସନ୍ତି
ବସନ୍ତ ଆଗମନେ l
ପଞ୍ଚସାୟକ ବିଦେଶ ବାର୍ତ୍ତା
ଗାଆନ୍ତି ପିକ ମାନେ ll
ବାର ମାସରେ ଛଅଟି ଋତୁ
ଆସନ୍ତି ଚକ୍ରବତ l
ଧନ୍ୟ ଈଶ୍ୱର ଲୀଳା ତୁମ୍ଭର
ଘେନ ମୋ ଦଣ୍ଡବତ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.