୨୮ରେ ଆଇଜଲ୍‌ ଚିଡ଼ିଆଖାନା ଯିବେ ନନ୍ଦନକାନନ ଟିମ୍‌: ଆସିବେ ହୁଲୁକ ଗିବନ, ଭାଲୁ ଓ ମାଙ୍କଡ଼

ବାରଙ୍ଗ,୨୬/୦୮: ନନ୍ଦନକାନନ ପ୍ରାଣୀ  ଉଦ୍ୟାନକୁ ଆସିବେ ନୂଆ ଅତିଥି । ଜନ୍ତୁ ଅଦଳବଦଳ  ପ୍ରକ୍ରିୟାରେ ଏଠାକୁ ଆଉ ଦୁଇଟି ହୁଲକ ଗିବନ୍‌  ଆସୁଛନ୍ତି । ଏଥିସହ ହିମାଳୟ ଭାଲୁ ଓ ଘୁଷୁରୀ ଲାଞ୍ଜି  ମାଙ୍କଡ଼ ମଧ୍ୟ ଆସିବେ । ଏଥିପାଇଁ ପ୍ରାଣୀ ଉଦ୍ୟାନ  ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୮  ତାରିଖରେ ପ୍ରାଣୀ ଉଦ୍ୟାନର ଏକ ଟିମ୍‌ ମିଜୋରାମର  ଆଇଜଲ ଚିଡିଆଖାନା ଗସ୍ତ କରିବେ । ସେଠାରୁ ଦୁଇଟି ହୁଲୁକ ଗିବନ (ଅଣ୍ଡିରା, ମାଈ), ଦୁଇଟି  ଘୁଷୁରୀ ଲାଞ୍ଜି ମାଙ୍କଡ଼, (ଅଣ୍ଡିରା, ମାଈ) ଓ ଗୋଟିଏ  ମାଈ ହିମାଳୟ କଳାଭାଲୁ ଆଣିବେ । ପ୍ରତିବଦଳରେ  ମିଜୋରାମର ଆଇଜଲ ଚିଡ଼ିଆଖାନାରୁ ଗତ ମାର୍ଚ୍ଚ  ମାସ ୨୭ ତାରିଖରେ ଦୁଇଟି ବାଘ (ସାଧାରଣ  ରଙ୍ଗର ଅଣ୍ଡିରା ମହାବଳ ବାଘ ‘କୁନ୍ଦନ’ ଓ ସାଧାରଣ  ରଙ୍ଗର ବାଘୁଣୀ ‘ଆଦ୍ୟାଶା’)କୁ ପଠାଯାଇଛି ।

ସୂଚନାଯୋଗ୍ୟ, ପ୍ରାଣୀ ଉଦ୍ୟାନକୁ ଦୀର୍ଘ ୪୦ ବର୍ଷ ପରେ  ହୁଲୁକ ଗିବନ ଆସୁଛନ୍ତି । ଯାହାକୁ ନେଇ ପର୍ଯ୍ୟଟକଙ୍କ  ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଗତ ଜୁଲାଇ ୨୭  ତାରିଖରେ ଅରୁଣାଚଳ ପ୍ରଦେଶର ଇଟାନଗରରୁ ଦୁଇଟି  ହୁଲୁକ ଗିବନ (ମାଈ,ଅଣ୍ଡିରା) ଆସିଛନ୍ତି । ସେମାନଙ୍କୁ  କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ମିଜୋରାମରୁ  ଦୁଇଟି ହୁଲୁକ ଗିବନ ଆସିଲେ, ପ୍ରାଣୀ  ଉଦ୍ୟାନରେ ଏମାନଙ୍କ ସଂଖ୍ୟା  ୪କୁ ବୃଦ୍ଧି ହେବା ସହିତ  ପର୍ଯ୍ୟଟକ ଭରପୁର  ମନୋରଞ୍ଜନ କରି  ପାରିବେ ।

Comments are closed.