ଛନ୍ଦମୟୀ ବର୍ଷା

ଜୟଶ୍ରୀ ପଟ୍ଟନାୟକ

ଏବେ ପବନରେ, ମାଟିରେ,ଆକାଶରେ
ସଞ୍ଚରି ଯାଇଛି ତା’ ଆସିବାର କଥା
ଝରଣା ଗାଉଛି ମୁଖର ସଙ୍ଗୀତ
ସ୍ରୋତସ୍ୱିନୀ ଲାଗିଲେଣି ପୂର୍ଣ୍ଣଗର୍ଭା
ମାଟିରୁ ଗଜୁରିଲେଣି ଅଙ୍କୁର
ଶ୍ୟାମଳ ସଂଜୀବନି ରେ ସଂଜୀବିତ
ବନ ଉପବନ, କାନନ କେଦାର
ମେଘୁଆ ଆକାଶ ଝରାଉଛି ପାଣି
ପରିବେଶ ଲାଗିଲାଣି ମଧୁକ୍ଷରା ।

ସବୁ ତୃଷାର୍ତ୍ତ ମନକୁ ଶାନ୍ତ କରି
ନିଦାଘ ଜ୍ବାଳାକୁ ପ୍ରଶମିତ କରି
ଧରା ବୁକୁରେ ଅବତରଣ କରିଛି
ଲାସ୍ୟମୟୀ, ଛନ୍ଦମୟୀ ,ପ୍ରୀତିପର୍ଣ୍ଣା ବର୍ଷା ।
ତା ଆସିବାର ଶୁଭ ସଂକେତରେ
ମୟୁର ହୋଇଛି ନୃତ୍ୟ ବିଭୋର
ମଣ୍ଡୁକର ଶୁଭେ ହୁଳହୁଳି
ନାଲି ପାଟପିନ୍ଧା ସାଧବବୋହୂର
ଦିଶିଯାଏ ଘାସପରେ ଅଳତ୍କକ ପାଦ ଚାଲି ।

ଉପରେ ଆକାଶ, ତଳେ ବତୁରା ମାଟି
ମଝିରେ ସମ୍ମୋହନର ଅମୃତ ବାରି
ମନପ୍ରାଣକୁ କରେ ଆଲ୍ହାଦିତ,ଆମୋଦିତ,
ସୃଜନଧାରାକୁ ନୂତନ ସୃଷ୍ଟିରେ ଅନୁପ୍ରାଣିତ
ସବୁଜମାୟାରେ ଆଛାଦିତ କରୁଥାଏ କାୟାକଳ୍ପ
ଶାଶ୍ୱତ ଅନୁଭବରେ କରୁଥାଏ ଭାବରୁ ଭାବାନ୍ତର ।

ଗଙ୍ଗନଗର, ଭୁବନେଶ୍ୱର
7978110474

Comments are closed.