ଚାଷ ଓ ଚାଷୀର ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱରରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା। ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥବା ଏହି ମହୋତ୍ସବରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର। କୃଷି କ୍ଷେତ୍ରରେ ମଧ୍ୟ ଟେକ୍‌ନୋଲୋଜିର ବହୁତ ଆବଶ୍ୟକତା ରହିଛି । ଏ ବର୍ଷ ମେଳାରେ କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଥିବାରୁ ସେ ଖୁସି ପ୍ରକାଶ କରିଥିଲେ । ଚାଷୀମାନେ ସମସ୍ତେ ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବେ, ବ୍ୟବହାର କରିବେ ଏବଂ କୃଷି କ୍ଷେତ୍ରରେ ସଫଳ ହୋଇ ନିଜର ଓ ନିଜ ରାଜ୍ୟର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଚାଷ ଓ ଚାଷୀମାନଙ୍କ ଉନ୍ନତି ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । କୃଷି କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ହୋଇପାରିଛି। ଖାଦ୍ୟରେ ଅଭାବ ଥିବା ଏକ ରାଜ୍ୟରୁ ଆଜି ଆମେ ଖାଦ୍ୟଶସ୍ୟରେ ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛୁ ବୋଲି ସେ କହିଥିଲେ । କାଳିଆ ଯୋଜନା ଦ୍ବାରା ଚାଷୀ ମାନଙ୍କୁ ରୋଜଗାର ସୁରକ୍ଷା ମିଳିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ଫାର୍ମ ମେକାନାଇଜେସନ ଉପରେ ଗୁରୁତ୍ବ ଦିଆଯାଇ ଫସଲ ଉତ୍ପାଦକତା ବଢାଇବା ପାଇଁ ଉଦ୍ୟମ ଜାରି ରହିଛି । ପଣସ ମିଶନ, ଛତୁ ମିଶନ ଆଦି ସ୍ବତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ଆମର ମିଲେଟ ମିଶନ ଆଜି ସାରା ଦେଶ ଓ ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତଦେଇ ସେ କହିଥିଲେ ଯେ ଏହା ଆମର ମିଶନ ଶକ୍ତି ମା ମାନଙ୍କର ରୋଜଗାର ବଢାଇବାରେ ମଧ୍ୟ ସହାୟକ ହୋଇପାରିଛି।

ଏହି ଅବସରରେ କୃଷିମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିଜର ଅଭିଭାଷଣ ରଖି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ କୃଷି ବିଭାଗ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । କୃଷକ ମାନଙ୍କ ଆୟବୃଦ୍ଧିରେ କୃଷି ଆନୁସଂଗିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦିଆଯାଇ ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍‌ଧ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବା ସହିତ ଚାଷୀ ମାନଙ୍କ ରୋଜଗାର ମଧ୍ୟ ବୃଦ୍ଧି କରାଯାଇପାରିଛି ବୋଲି ସେ କହିଥିଲେ ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ  ସୁବ୍ରତ ବାଗ୍‌ଚୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା ‘କୃଷି ଓଡ଼ିଶା’ ଚଳିତ ବର୍ଷର ରାଜ୍ୟ କୃଷି ମହୋତ୍ସବର ଶୀର୍ଷକ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’। ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଏହି ମହୋତ୍ସବକୁ ଆସୁଛନ୍ତି। ବିଭିନ୍ନ କମ୍ପାନି ଦ୍ବାରା ପ୍ରଦର୍ଶିତ ହେଉଥିବା କୃଷିକ୍ଷେତ୍ରରେ ମେସିନ ଓ ଯନ୍ତ୍ରାଂଶ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ତିନି ଦିନ ଭିତରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳରେ କିପରି ଚାଷ କରାଯିବ ଶେଷ ସମ୍ପର୍କରେ ଆଲୋଚନା ହେବ।

Comments are closed.