ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଗଲା ଟ୍ରକ୍‌; ଡ୍ରାଇଭର ମୃତ, ଅଳ୍ପକେ ବର୍ତ୍ତିଲା ହେଲ୍‌ପର

ବିଶୋଇ: ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥସ୍ଥିତ ସ୍ଥାନୀୟ ଚଟାଣି ଛକ ନିକଟରେ ଏକ ଆଇରନ ବଝେଇ ଟ୍ରକ୍‌ ଭାରସାମ୍ୟ ହରାଇ କଲଭର୍ଟ ଉପରକୁ ଚଢ଼ିଯିବା ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ଟ୍ରକ ଡ୍ରାଇଭର ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ରାଇଁସୁଆ  ଅଞ୍ଚଳର ପପୁନି ମୁଣ୍ଡା (୨୫) ଓ ଗୁରୁତର ହେଲ୍ପର ଜଣଙ୍କ ମଧ୍ୟ ଉକ୍ତ ଥାନା ଅଞ୍ଚଳର ନୁନକୁ ବେଣ୍ଟକାର (୩୨)।

ସୂଚନାଥାଉକି, ଗତକାଲି ରାତ୍ରି ପ୍ରାୟ ଅଢେ଼ଇ ଘଟିକା ସମୟରେ କେନ୍ଦୁଝର ପଟୁ ଏକ ଆଇରନ ବଝେଇ ଟ୍ରକ୍‌(ଓଡ଼ି ୦୪ କ୍ୟୁ ୨୮୭୨) ଆସୁଥିବା ସମୟରେ ଭାରସାମ୍ୟ ହରାଇ ଚଟାଣି ଛକ ନିକଟସ୍ଥ ଏକ କଲଭର୍ଟ ଉପରକୁ ଚଢି ଯାଇଥିଲା। ଟ୍ରକ୍‌ ଦ୍ରୁତଗତିରେ ଥିବା ହେତୁ କଲଭର୍ଟରେ ଅନିୟନ୍ତ୍ରିତ ହୋଇ ଧକ୍କା ଦେବା କାରଣରୁ ଟ୍ରକ୍‌ର ଇଞ୍ଜିନ ଓ ଡ଼ାଲା ଦୁଇ ଭାଗ ହୋଇଯାଇଥିଲା। ଟ୍ରକ୍‌ ଚାଳକଙ୍କ ଇଞ୍ଜିନ ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ତେବେ ହେଲ୍‌ପର ଟ୍ରକରୁ ୪୦ ଫୁଟ ଦୂରକୁ ଛିଟିକି ପଡି ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲେ ସୁଦ୍ଧା ଗୁରୁତର ଆହତ ହୋଇଥିଲେ। ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଘଟଣା ସମ୍ପର୍କରେ ଜାଣି ଦମକଳ ବହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଜେସିବି ସହାୟତାରେ ଟ୍ରକ୍‌ ଇଞ୍ଜିନ ତଳେ ଚାପି ହୋଇଥିବା ଡ୍ରାଇଭରକୁ ମୃତ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେହିପରି ଗୁରୁତର ଅବସ୍ଥାରେ ହେଲ୍‌ପରଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ଘଟଣାକୁ ନେଇ ବିଶୋଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାର ଜଣାପଡିଛି।ତେବେ, ରାତ୍ରିରେ ଟ୍ରକ ଚାଳକଙ୍କ ଆଖି ଲାଗି ଯାଇଥିବାରୁ ଏହିପରି ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.