ସିବିଆଇ ପଂଞ୍ଝାରେ ଆୟକର ଅଧିକାରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ଆୟକର ବିଭାଗ ଅଧିକାରୀ ସୁମନ ସୁନ୍ଦର ସାହୁ ଗତ ପ୍ରାୟ ୧ ମାସ ଧରି ଏକ ସୁନାଗହଣା ଦୋକାନକୁ ଧମକାଇ ତିନିଟି କିସ୍ତିରେ୧୫ଲକ୍ଷ ନେଇଥିଲେ । ଏତେ ପରିମାଣରେ ଟଙ୍କା ମିଳିବା ଦେଖି ଲୋଭ ବଢ଼ିଥିଲା, ପୁଣି ଫୋନ୍ କରି ଧମକାଇ ଆହୁରି ଟଙ୍କା ଦେବାକୁ ଦାବି କରିଥିଲେ । ଆଜି ଅପରାହ୍ଣରେ ପୁଣି ୫ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡ଼ିଥିଲେ ।

ସୂଚନାନୁସାରେ, ଜଟଣୀ ଅରୁଗୁଳ ଗାଁର ଦେବେନ୍ଦ୍ର କୁମାର ସାହୁ ଖୋର୍ଦ୍ଧା ମାରୁୱାଡ଼ି ପଟ୍ଟି ଠାରେ ଶାନ୍ତି ଜୁଏଲାର୍ସ ନାମରେ ଏକ ସୁନା, ରୁପା ଗହଣା ଦୋକାନ ଖୋଲିଥିଲେ । ୫-୬ ମାସ ପୂର୍ବେ ଖୋର୍ଦ୍ଧା ଆୟକର ବିଭାଗର ଅଧିକାରୀ ସୁମନ ସୁନ୍ଦର ସାହୁ ଗହଣା ଦୋକାନ ମାଲିକ ଦେବେନ୍ଦ୍ରଙ୍କୁ ଆୟକର ଫାଙ୍କୁଥିବା ନେଇ ସୂଚିତ କରି ତାଙ୍କ ବିରୋଧରେ ପଦକ୍ଷେପ ନେବାକୁ ଧମକ ଦେଇଥିଲେ । ଏଥିରେ ଦେବେନ୍ଦ୍ର ଭୟଭୀତ ହୋଇ ସମାଧାନର ଉପାୟ ପଚାରିଥିଲେ । ଆୟକର ଅଧିକାରୀ ସୁମନ ସାହୁ ସମସ୍ତ ଆୟକର ମାମଲା ରଫା ଦଫା କରିବାକୁ ନିୟମିତ ଟଙ୍କା ଦେବାକୁ କହିଥିଲେ । ତିନିଟି କିସ୍ତିରେ ୪୦ଲକ୍ଷ ଟଙ୍କା ପ୍ରଥମେ ଦେବେ ଏହାସହ ପ୍ରତିବର୍ଷ ୫ଲକ୍ଷ ଟଙ୍କା ଲୋଖାଏଁ ଦେବାକୁ କହିଥିଲେ । ଏହାପରେ ଆୟକର ଅଧିକାରୀ ସୁମନ ସାହୁ ପ୍ରଥମ କିସ୍ତିରେ ୧୦ଲକ୍ଷ ଟଙ୍କା ନଗଦ ଓ ୫ଲକ୍ଷ ଟଙ୍କାର ସୁନା ଗହଣା ନେଇଥିଲେ ।ଉକ୍ତ ଆୟକର ଅଧିକାରୀ ବଳକା ୩୦ ଲକ୍ଷ ଟଙ୍କା ୧୫ ଦିନ ମଧ୍ୟରେ ଦୁଇଟି କିସ୍ତିରେ ଦେବାକୁ କହିଥିଲେ । ନଦେଲେ ଦୁଇଦିନ ମଧ୍ୟରେ ଚଢ଼ଉ ନିଶ୍ଚିତ ବୋଲି ଧମକ ଦେଇଥିଲେ । ଏତେ କମ୍ ଦିନ ମଧ୍ୟରେ ଏତେ ପରିମାଣର ଟଙ୍କା କିଭଳି ଦେବେ ସେଥିରେ ବ୍ୟତିବ୍ୟସ୍ତ ହୋଇ ଦେବେନ୍ଦ୍ର ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଆଜି ସିବିଆଇ ଡିଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଓ ଗହଣା ବ୍ୟବସାୟୀ ଦେବେନ୍ଦ୍ର ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଉକ୍ତ ଆୟକର ଅଧିକାରୀଙ୍କ ଶ୍ରୀରାମ ନଗର ବାସସ୍ଥାନରେ ପହଂଚିଥିଲେ । ଦେବେନ୍ଦ୍ର ପ୍ରଥମେ ଘର ଭିତରକୁ ଯାଇ ୫ଲକ୍ଷ ଟଙ୍କା ଦେଇ ବାହାରକୁ ଅସିଥିଲେ । ଏହାପରେ ବାହାରେ ଅପେକ୍ଷା କରିଥିବା ସିବିଆଇ ଟିମ୍ ଆୟକର ଅଧିକାରୀ ସୁମନ ସାହୁଙ୍କ ଘର ଭିତରେ ପଶିଥିଲେ । ପ୍ରାୟ ସାଢ଼େ ୫ ଘଂଟା ଧରି ବିଭିନ୍ନ ନଥିପତ୍ର ଆଦି ଯାଂଚ କରିବା ପରେ ସଂଧ୍ୟା ସାଢ଼େ ୬ଟା ବେଳେ ଉକ୍ତ ଆୟକର ଅଧିକାରୀଙ୍କୁ ଗିରଫ କରି ଭୁବନେଶ୍ୱର ନେଇଯାଇଥିଲେ

Comments are closed.