ଏଣିକି କ୍ୟାମେରା ନଜରରେ ରହିବ ଚୌଦ୍ୱାର ଅଞ୍ଚଳ

ଚୌଦ୍ୱାର: ଆଜି କଟକ କମିଶନରେଟ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ପରିସରରେ ଚୌଦ୍ୱାର ଅଞ୍ଚଳକୁ ଜଗିବା ପାଇଁ ସିସିଟିଭି କ୍ୟାମେରାର ଉଦ୍ଘାଟନୀ କର୍ଯ୍ୟକର୍ମ ଅନୁଷ୍ଠିତ ହୋଯାଇଛି । ଇମ୍ଫାର ସାମାଜିକ ଓ ଦାୟିତ୍ୱବୋଧ ଶାଖା, ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ କଟକ କମିଶରେଟ୍ ପୁଲିସ୍ ସହଭାଗିତାରେ ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୪୬ଟି ସିସିଟିଭି କ୍ୟାମେରା ଲଗାଯାଇଛି । ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିରଞ୍ଚିନାରାୟଣ ପତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମକୁ କଟକ ଡିସିପି ପିନାକ ମିଶ୍ର ଉଦ୍ଘାଟନ କରିଛନ୍ତି । ଚୌଦ୍ୱାର ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇଥିବାରୁ ଏଭଳି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ତେବେ ଚୌଦ୍ୱାରର ବିଭିନ୍ନ ଅଞ୍ଚଳ ଯଥା ମଙ୍ଗୁଳି ଠାରୁ ଧୂମାବତୀ ଦେଇ ଟିପିଏମ୍ ଆଉଟ୍ ପୋଷ୍ଟ ପର୍ଯ୍ୟନ୍ତ କ୍ୟାମେରା ଲଗାଯାଇଥିବା ବେଳେ, ଗାନ୍ଧିଛକ ଠାରୁ ଚୌଦ୍ୱାର ଯାତ୍ରା ପଡିଆ, ଥର୍ମାଲ ରୋଡ ଦେଇ ବିରୂପା ନଦୀ କୁଳ ପର୍ଯ୍ୟନ୍ତ କ୍ୟାମେରା ଲଗାଯାଇଛି । ସେହିପରି କଳିଙ୍ଗ ଛକ ଠାରୁ ଚରିବାଟିଆ ଦେଇ ଡିଏମଟିଆଇ ଛକ ପର୍ଯ୍ୟନ୍ତ କ୍ୟାମେରା ଲଗାଯାଇଛି । କ୍ୟାମେରା ଲଗାଯିବ ଦ୍ୱାରା ଅପରାଧ ନିୟନ୍ତ୍ରଣ ସହିତ, ରାସ୍ତାରେ ଘଟୁଥିବା ଘଟଣା, ତଥା ଚୋରି, ରାହାଜାନୀ, ଟ୍ରାଫିକ ସମସ୍ୟା ଆଦି ପ୍ରମୁଖ ସମସ୍ୟା ଉପରେ ତୀକ୍ଷ୍ଣ ନଜର ରଖି ହେବ ବୋଲି ଡିସିପି ଶ୍ରୀ ମିଶ୍ର କହିଥିଲେ । ଏଥି ସହିତ ପରବର୍ତ୍ତୀ ସମୟରେ କ୍ରମଶଃ ଚୌଦ୍ୱାର ଥାନା ଅଧିନସ୍ଥ ଆସୁଥିବା ସମସ୍ତ ଗ୍ରାମାଞ୍ଚଳ ମାନଙ୍କରେ ଆଗକୁ କିଭଳି ଏହି କାର୍ଯ୍ୟକ୍ରମ କରାଯିବ ତାହା ଉପରରେ କମିଶନରେଟ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଡିସିପି ଅନିଲ ମିଶ୍ର, ଏସିପି ହେଡ କ୍ୱଟର ଅମିତାଭ ମହାପାତ୍ର, ଜୋନ-୧ ଏସିପି ଅରୁଣ କୁମାର ସ୍ୱାଇଁ, ଇମ୍ଫାର ଭି. ପି. ବିନୟ ଅଗ୍ରୱାଲ, ଇମ୍ଫା ଲୋକ ସମ୍ପର୍କ ଅଧିକାରୀ ଧ୍ରୁବଚରଣ ରାଉତ, ଚୌଦ୍ୱାର ପୌର ପାଳିକାର ଚେୟାରମ୍ୟାନ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ସମେତ ସମସ୍ତ ପାରିଷଦ ଏବଂ ଇମ୍ଫା ଅଧିକାରୀ, ଚୌଦ୍ୱାର ଅଞ୍ଚଳର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Comments are closed.