ବ୍ରଜଭୂମିରେ ତପସ୍ୱିନୀ ମହାଲକ୍ଷ୍ମୀ

ଅର୍ଜୁନୀ ଚରଣ ବେହେରା

ଦ୍ୱାପର ଯୁଗର କଥା l ଵର୍ଷା ଋତୁ ଯାଇ ଧରାରେ ଶରତଋତୁ ପ୍ରବେଶକଲା l ଅପୂର୍ଵ ନିର୍ମଳ ଶୋଭା ଧାରଣ କରି ଥାଏ ସମଗ୍ର ବୃନ୍ଦାବନର ବନ ଭୂମି l
ନିର୍ମଳ ଶରତ ଚନ୍ଦ୍ରାଲୋକରେ ଉଦ୍ଭାସିତ ସମଗ୍ର ବୃନ୍ଦାବନ l ଶୋଭାକୁ ବର୍ଣ୍ଣନାକରି ଭାଗବତକାର ଜଗନ୍ନାଥ ଦାସ ଲେଖିଲେ :-
ଶରଦ ଭୟେ ମେଘ ଗଲା l
ଆକାଶ ନିର୍ମଳ ଦିଶିଲା ll
ଗଗନେ ପ୍ରକାଶଇ ଶଶୀ l
ନିର୍ମଳ ବିରାଜଇ ନିଶି ll
ଶୁକଳ ମେଘ ଶୂନ୍ୟେ ଦିଶି l
ବିଷ୍ଣୁର ତେଜ ପରକାଶି ll
ଚନ୍ଦ୍ରବିଧୌତ ରଜନୀ,ବୃନ୍ଦାବନର କେଳି କୁଞ୍ଜରେ ଭଗବାନ ଶ୍ରୀକୃଷ୍ଣ ଗୋପୀକା ମାନଙ୍କ ସହ ରାସ କ୍ରୀଡ଼ା ରଚନା କଲେ l ତାଙ୍କ ମୋହନ ମୁରଲୀରୁ ମଧୁର ମୂର୍ଚ୍ଛନା ଭାଷି ଆସୁଥାଏ l ସମଗ୍ର ସଂସାର, ପ୍ରକୃତି ଉଲ୍ଲସିତ l ସ୍ୱର୍ଗରୁ ପୁଷ୍ପ ବୃଷ୍ଟି ହେଉଥାଏ l କୃଷ୍ଣ ପ୍ରେମରେ ଉନ୍ମତ୍ତ ହୋଇ ବୈଷ୍ଣବ ଗଣ ନାମ ସଂକୀର୍ତ୍ତନର ଉଦ୍ଦଣ୍ଡ ରାଗିଣୀ ତୋଳି ଥାନ୍ତି :-
କୃଷ୍ଣ ନାଚେ ରାଧା ନାଚେ ନାଚେ ଗୋପୀଗନ l
ମଧୁରମଧୁର ବଂଶୀ ବାଜେ ଏଇତ ବୃନ୍ଦାବନ ll
ଶ୍ରୀକୃଷ୍ଣଙ୍କର ସେହି ମୋହନ ମୁରଲୀର ମଧୁର ଧ୍ୱନୀ ତ୍ରିପୁରରେ ଗୁଞ୍ଜରିତ ହେଉଥାଏ l ମଧୁମୟ ସେ ଧ୍ୱନୀ ଯାଇ ପହଞ୍ଚିଲା ବୈକୁଣ୍ଠରେ ମାତା ଶ୍ରୀ ଲକ୍ଷ୍ମୀଙ୍କ ନିକଟରେ l ସେହି ଦିବ୍ୟ ଧ୍ୱନୀକୁ ଶ୍ରବଣ କରି ମାଆ ଲକ୍ଷ୍ମୀ ଦେବର୍ଷି ନାରଦଙ୍କୁ ପଚାରିଲେ, “ଦେବର୍ଷି, କୁହନ୍ତୁ ବଂଶୀର ଏହି ମଧୁମୟ ମୂର୍ଚ୍ଛନା କେଉଁଠାରୁ ଭାସି ଆସୁଛି l ଏ ସ୍ଵନ ଶୁଣି ମୁଁ ସ୍ଥିର ହୋଇ ରହିପାରୁ ନାହିଁ l ”
ଦେବର୍ଷି ତାଙ୍କୁ ଉତ୍ତରଦେଲେ, ‘ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟ ଲୋକରେ ରାସ କ୍ରୀଡ଼ା ରଚନା କରିଛନ୍ତି l ଏହି ଅବସରରେ ବୃନ୍ଦାରଣ୍ୟରେ ଭଗବାନ ତାଙ୍କ ମୋହନ ବଂଶୀ ବାଦନ କରୁଛନ୍ତି l ଏହା ତାଙ୍କର ସେହି ବଂଶୀରୁ ନିର୍ଗତ ମଧୁର ମୂର୍ଚ୍ଛନା’l
ଏକଥା ଶୁଣି ମାଆ ଲକ୍ଷ୍ମୀ ଶ୍ରୀକୃଷ୍ଣଙ୍କ ରାସଲୀଳା ଦର୍ଶନର ଇଛା ପ୍ରକଟ କଲେ l ଏବଂ ଏହା ଇଚ୍ଛା କରି ସେ ସିଧା ଆସି ବ୍ରଜଭୂମିରେ ପହଞ୍ଚି ଗଲେ l ମାତ୍ର ଗୋପୀମାନଙ୍କ ବ୍ୟତୀତ ସେ ଦିବ୍ୟ ଲୀଳା ଦେଖିବା ପାଇଁ ଅନ୍ୟ କାହାକୁ ଅନୁମତି ନଥିଲା l ଲକ୍ଷ୍ମୀଙ୍କୁ ଶ୍ରୀରାଧାଙ୍କ ପ୍ରିୟ ସଖୀ ଲଳିତା ଏକଥା କହି ରାସଲୀଳା ଦେଖିବାକୁ ବାରଣ କଲେ l ସେ ପୁଣି ତାଙ୍କୁ କହିଲେ ଆପଣଙ୍କ ସମ୍ପର୍କ ଐଶ୍ୱର୍ଯ୍ୟ ଲୀଳା ସହ ରହିଛି l ବୃନ୍ଦାବନ ହେଉଛି ମାଧୁର୍ଯ୍ୟ ଲୀଳାର ସ୍ଥାନ l ତେଣୁ ଆପଣ ଏହା ଦର୍ଶନ କରି ପାରିବେ ନାହିଁ l
ମା’ ଲକ୍ଷ୍ମୀ ଏକଥା ଶୁଣି କ୍ଷୁବ୍ଧ ହୋଇ ସେହିଠାରେ ବସି ରହିଲେ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ତପସ୍ୟା କଲେ l ଶ୍ରୀକୃଷ୍ଣଙ୍କୁ ରାସଲୀଳା ପରିସମାପ୍ତି ପରେ ଖୁବ ଭୋକ ଲାଗୁଥାଏ l ମାଆ ଲକ୍ଷ୍ମୀ ଅନ୍ନଦାତ୍ରୀ l କ୍ଷୁଧିତକୁ ସେ ଅନ୍ନ ଦାନ କରି ଥାନ୍ତି l ସେ ଏକଥା ଜାଣି ପାରି କୃଷ୍ଣଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କଲେ l ଏହାକୁ ସେ ଶ୍ରୀକୃଷ୍ଣଙ୍କୁ ଦେଲେ l ଭଗବାନ ତାହା ଖାଇ ଅତି ଆନନ୍ଦିତ ହେଲେ l ଶ୍ରୀକୃଷ୍ଣଙ୍କୁ ପ୍ରସନ୍ନ ଦେଖି ଲକ୍ଷ୍ମୀ ବ୍ରଜଭୁମିରେ ରହି ଦିବ୍ୟ ରାସଲୀଳା ଦେଖିବା ପାଇଁ ଅନୁମତି ମାଗିଲେ l ଶ୍ରୀକୃଷ୍ଣ ତାଙ୍କୁ କହିଲେ ଏ ଯେଉଁ ଗୋପୀଙ୍କୁ ଦେଖୁଛ ସେମାନେ ସାଧାରଣ ମନୁଷ୍ୟ ନୁହଁନ୍ତି l ଏମାନେ ଯୁଗ ଯୁଗର ତପସ୍ୟା କରି ମୋର ରାସ ଲୀଳା ସାନ୍ନିଧ୍ୟ ଲାଭ କରିଛନ୍ତି l ଯଦି ତୁମେ ଏହି ରାସ ଲୀଳାର ରସ ଆସ୍ଵାଦନ କରିବାକୁ ଇଚ୍ଛା କରୁଛ, ତେବେ ତୁମକୁ ସେହି ଗୋପୀମାନଙ୍କ ପରି କେତେ ଯୁଗ ପର୍ଯ୍ୟନ୍ତ ତପସ୍ୟା କରିବାକୁ ପଡ଼ିବ l ତପସ୍ୟାରେ ମୋର ସାନ୍ନିଧ୍ୟପ୍ରାପ୍ତ ଗୋପୀମାନଙ୍କୁ ସର୍ବ ପ୍ରଥମେ ସନ୍ତୁଷ୍ଟ କରିବାକୁ ପଡ଼ିବ l
ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଏହା ଶୁଣି ମା’ ଲକ୍ଷ୍ମୀ ସେହିଠାରେ କଠୋର ତପସ୍ୟାରେ ମଗ୍ନ ହୋଇ ବସି ରହିଲେ l ଆଜି ମଧ୍ୟ ମାଆ ଏଠି ତପସ୍ୟା ରତା l
ଏହି ସ୍ଥାନଟି ରହିଛି ବୃନ୍ଦାବନର ଯମୁନା ତୀରରେ ଜାହାଙ୍ଗୀରପୁର ନାମକ ଗ୍ରାମରେ l ଏ ଗ୍ରାମ ସ୍ଥିତ ବିଲ୍ଵ ବନରେ ରହିଛି ମା’ ଲକ୍ଷ୍ମୀଙ୍କ ଭବ୍ୟ ମନ୍ଦିର l ଏହା ମହାଲକ୍ଷ୍ମୀଙ୍କ ତପସ୍ୟାସ୍ଥଳୀ ଭାବେ ଖ୍ୟାତ l ଏଠାକୁ ଭାରତର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସି ମାଆଙ୍କୁ ନିଜ ସୁଖ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥାନ୍ତି l ବିଶେଷ ଭାବେ ଏଠି ପ୍ରତି ରବିବାର ଦିନ ଅଧିକ ଭିଡ଼ ହେବା ଦେଖାଯାଇଥାଏ l ଏହି ସ୍ଥାନଟି ବିଲ୍ଵ ବୃକ୍ଷ ପରିବେଷ୍ଟିତ ହୋଇ ରହିଥିବା ହେତୁ ଏହା “ବେଲବନ” ନାମରେ ପରିଚିତ l
କିମ୍ବଦନ୍ତୀରୁ ଜଣାଯାଏ ଭଗବାନ ଶ୍ରୀକୃଷ୍ଣ ଭାଈ ବଳରାମ ଏବଂ ସଖା ମାନଙ୍କ ସହ ବେଲବନକୁ ଗୋରୁ ଚରାଇବାକୁ ଯାଉଥିଲେ l ବେଲବନରେ ଅବସ୍ଥିତ ମନ୍ଦିରରେ ମହାଲକ୍ଷ୍ମୀ ବୃନ୍ଦାବନ ଆଡକୁ ହାତ ଯୋଡି ତପସ୍ୟା ମୁଦ୍ରାରେ ବସି ରହିଥିବାର ଦେଖାଯାଏ l ଏବେ ମଧ୍ୟ ବୃନ୍ଦାବନ ନିଧିବନରେ ସେହି ଅତି ମାନୁଷ ଅଲୌକିକ ନିତ୍ୟ ରାସ ଲାଗି ରହିଛି l ଯେଉଁ ରାସ ଦର୍ଶନ କରିବା ପାଇଁ ସ୍ୱୟଂ ମହାଲକ୍ଷ୍ମୀ ସମର୍ଥ ହୋଇ ନ ଥିଲେ ତାହା ଏବେ ସର୍ବସାଧାରଣ ପାଇଁ ବର୍ଜିତ l ଏମିତି ଶୁଣା ଯାଏ ଯେ ନିଧିବନରେ ବାସ କରୁଥିବା ପଶୁ ପକ୍ଷୀ ମଧ୍ୟ ସନ୍ଧ୍ୟା ହେଲେ ନିଧିବନ ଛାଡ଼ି ଚାଲିଯାନ୍ତି l
ନମସ୍ତେ ମା’ ମହାଲକ୍ଷ୍ମୀ ନମସ୍ତେ ଚଞ୍ଚଳା l
ତ୍ରିପୁର ପାଳନକର୍ତ୍ରୀ ସନ୍ତାନ ବତ୍ସଳା ll
🙏🙏🙏
ଅର୍ଜୁନୀ
————–
ପୋଖରୀପୁଟ, ଭୁବନେଶ୍ୱର
ମୋ – 7693091971

Comments are closed.