ବିଏମ୍‌ସିର ୧୦୨୭ କୋଟି ରେକର୍ଡ ବଜେଟ୍‌: ଲିଗାଲ୍‌ ଫି’କୁ ନେଇ ଅସନ୍ତୋଷ

ଭୂବନେଶ୍ୱର: ଆସନ୍ତା ଆର୍ଥିକ ବର୍ଷ(୨୦୨୪-୨୫) ପାଇଁ ବିଏମ୍‌ସି ବଜେଟ୍‌ ପ୍ରସ୍ତୁତ କରିଛି। ଆଜି ଏକ ସ୍ୱତନ୍ତ୍ର ବୈଠକରେ ଏହାର ତର୍ଜମା ହେବା ସହ ସର୍ବ ସମ୍ମତିକ୍ରମେ ସ୍ବୀକୃତି ଲାଭ କରିଥିବା ବିଏମ୍‌ସି କହିଛି। କିନ୍ତୁ ୬୭ କର୍ପୋରେଟରଙ୍କ ମଧ୍ୟରୁ ଆଜି ୩୪ ଜଣ ଉପସ୍ଥିତ ଥିଲେ। ଅର୍ଥାତ୍‌ ପ୍ରାୟ ଅଧା ତ କର୍ପୋରେଟରଙ୍କ ଅନୁପସ୍ଥିତିରେ ବଜେଟ୍‌ ପାରିତ ହୋଇଛି। ବଜେଟ୍‌ ପ୍ରସ୍ତୁତିରେ ବିଏମ୍‌ସି ସର୍ବକାଳୀନ ରେକର୍ଡ କରିଛି। ଗତ ଥର ୮୦୦ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏଥର ୧୦୨୭.୫୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଆୟ ବାବଦକୁ ୧୫୧୪.୪୫ କୋଟି ଥିବା ବେଳେ ବ୍ୟୟ ୧୦୨୭.୫୫ କୋଟି ରହିଛି। ବାକି ୪୮୬.୯୦ କୋଟି ବଳକା ରହିଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସ୍ବତନ୍ତ୍ର ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଓଏସ୍‌ଡି ଲାବଣ୍ୟ ଶବର ପ୍ରମୁଖଙ୍କ ସମେତ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, କର୍ପୋରେଟର ଓ ବିଏମ୍‌ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ଆରମ୍ଭରୁ ଲିଗାଲ୍‌ ଫି’କୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଗତ ବର୍ଷ ବଜେଟ୍‌ରେ ଏହି ଲିଗାଲ୍‌ ଫି’ ୧ କୋଟି ୧ ଲକ୍ଷ ୫୨ ହଜାର ୯୫୪ଟଙ୍କା ଅଟକଳ କରାଯାଇଥିବା ବେଳେ ବାସ୍ତବରେ ୫ ଗୁଣ ଅର୍ଥାତ୍‌ ୫ କୋଟି ୫୩ ଲକ୍ଷ ୫୧ ହଜାର ୯୧୧ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ଆସନ୍ତାବର୍ଷ ପାଇଁ ଏହି ଫି’ ବାବଦକୁ ଖର୍ଚ୍ଚ ୩ କୋଟି ୮୪ ଲକ୍ଷ ୬୧ ହଜାର ୪୫୮ଟଙ୍କା ଅଟକଳ କରାଯାଇଛି। ବାସ୍ତବ ଖର୍ଚ୍ଚ ଏହା ଠାରୁ ଢେର୍‌ ଅଧିକା ହେବ। ଏହି ଖର୍ଚ୍ଚ ଉପ‌ରେ ଆପତ୍ତି ଉଠାଇଥିଲେ କର୍ପୋରେଟର ନୃପେଶ ନାୟକ। ସେ କହିଥିଲେ, ଲିଗାଲ୍‌ ଫି’ ବାବଦକୁ ବିଏମ୍‌ସି ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରୁଛି। କିନ୍ତୁ ଅଧିକାଂଶ ମାମଲାରେ ବିଏମ୍‌ସି କୋର୍ଟରେ ଉପସ୍ଥିତ ରହୁନଥିବାରୁ ବିଏମ୍‌ସି ବିରୋଧରେ ଏକପାଖିଆ ନିଷ୍ପତ୍ତି ହେଉଛି। ଅନେକ ମାମଲାରେ ବିଏମ୍‌ସି ଶୁଣାଣି ତାରିଖ ବାବଦରେ ଜାଣି ପାରୁନଥିବାରୁ ଖୋଦ୍‌ କମିସନର ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହୋଇ ଅପମାନିତ ହେଉଥିବା ନଜିର ରହିଛି। ଦାୟିତ୍ବରେ ଥିବା କର୍ମଚାରୀ ଜାଣି ପାରୁ ନାହାନ୍ତି ନା ଫାଇଲ୍‌ ଲୁଚାଇ ଦେଉଛନ୍ତି? ୨୦୧୨ ମସିହାରେ ଲ’ ଅଫିସର ମୃତ୍ୟୁ ବରଣ କଲେଣି। ୧୨ ବର୍ଷ ହେଲାଣି ଏହି ପଦ ଖାଲି ପଡ଼ିଛି। ବ୍ୟବସ୍ଥାକୁ ବ୍ୟବସ୍ଥିତ ନ କରି ଏଭଳି ଖର୍ଚ୍ଚ କଲେ କିଛି ଲାଭ ନାହିଁ ବୋଲି ସେ କହିଥିଲେ। ତା ସହିତ ଆର୍ଥକ କାରବାରକୁ ପ୍ରତ୍ୟେକ କର୍ପୋରେସନ ବୈଠକରେ ଉପସ୍ଥାପନ କରିବା ପାଇଁ ଜଣେ ଚାଟର୍ଡ ଆକାଉଣ୍ଟାଣ୍ଟ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ। ଏକାଧିକ କର୍ପୋରେଟର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍‌ସି ପ୍ରତିଶ୍ରୁତି ଦେଇଥିଲା। ପୂର୍ବରୁ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ପାଇଁ ୱାର୍ଡ ପିଛା ବଜେଟ୍‌ ପ୍ରସ୍ତୁତ ହେଉଥିଲା। କିନ୍ତୁ ଦୁଇ ବର୍ଷ ହେଲା ଯେଉଁ ୱାର୍ଡକୁ ଯେତେ ଆବଶ୍ୟକ ହେଉଛି ସେହି ଅନୁସାରେ ଅର୍ଥ ପ୍ରଦାନ କରାଯାଉଥିବାରୁ ସମସ୍ତେ ମିଳିତ ଭାବେ ସ୍ବାଗତ କରିଥିଲେ।

ଗତ ମାସରେ ବିଏମ୍‌ସି ୩ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରିଥିଲା। କିନ୍ତୁ ଏହା ଉପରେ ତର୍ଜମା ନ କରି ଏହା ପାରିତ ହେଲା ବୋଲି ଘୋଷଣା କରିଥିଲା। ଏହାକୁ ବିରୋଧ କରି ହୋ ହଲ୍ଲା ହେବା ପରେ ଏହା ଉପରେ ତର୍ଜମା କରିବାକୁ କମିସନର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅତିରିକ୍ତ ବଜେଟ୍‌ ଆଲୋଚନା ନ କରି ଆଜି ସ୍ବତନ୍ତ୍ର ବୈଠକରେ ଆସନ୍ତାବର୍ଷର ବଜେଟ୍‌ ଆଲୋଚନା କରିବାରୁ କର୍ପୋରେଟର ରାମଚନ୍ଦ୍ର ରଣସିଂ ବିରୋଧ କରିଥିଲେ। ପ୍ରଥମେ ଅତିରିକ୍ତ ବଜେଟ୍‌ ଆଲୋଚନା ହେଉ ବୋଲି ଯିଦ୍‌ ଧରିଥିଲେ। ମେୟରଙ୍କ ସମେତ ଅନ୍ୟମାନେ ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିବା ବେ‌ଳେ ଫାଇନାନ୍ସ କମିଟି ଅଧ୍ୟକ୍ଷା କହୁ କହୁ କହିଦେଇଥିଲେ, ‘ବଜେଟ୍‌ ଅର୍ଥ କଣ ଆମେ ଘରକୁ ନେଇ ଯାଉଛୁ?’ ଏହାକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ମାସ ୨୫ତାରିଖରେ ଚିଠା ବଜେଟ୍‌ କର୍ପୋରେଟରଙ୍କୁ ତର୍ଜମା ପାଇଁ ଦିଆଯାଇଥିଲା। ଏଥିରେ ବିଏମ୍‌ସି ପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର ବ୍ଲକ ରାସ୍ତା ପାଇଁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତୀକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟୀକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକୀକରଣଓ ଅନ୍ୟାନ୍ୟ ମୌଳିକ କାର୍ଯ୍ୟ ପାଇଁ ୧୫୧୪.୪୫ କୋଟି ଟଙ୍କା ଅଟକଳ ରହିଛି। ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଆଜିର ପୂର୍ଣ୍ଣାଙ୍ଗ ବଜେଟରେ ୧୫୧୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି। ପ୍ରମୁଖ ଆୟ ମଧ୍ୟରେ ସରକାରୀ ଅନୁଦାନ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତୀକରଣ ପାଇଁ ୫୦ କୋଟି, ଜଳାଶୟ ପୁନରୁଦ୍ଧାର ପାଇଁ ୫୦ କୋଟି, ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ୱ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଆୟ ଅଟକଳ କରାଯାଇଛି। ଗତ ବର୍ଷ (୨୦୨୩-୨୪) ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ରହିଛି। ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି।

Comments are closed.