ଧର୍ମଶାଳା: ସୋମବାର ସକାଳେ ବିଜେଡ଼ି ଛାଡି ଥିବା ଛାତ୍ରନେତା ସୌମ୍ୟ ପ୍ରକାଶ ସନ୍ଧ୍ୟାରେ ବିଜେପି ରେ ଯୋଗ ଦେଇଛନ୍ତି । ସୌମ୍ୟଙ୍କ ସହ ଏକାଧିକ ନେତା ପଦ୍ମ ଧରିଛନ୍ତି ।
ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବଡ଼ ଝଟକା । ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଜଣକ ପରେ ଜଣେ ବିଜେଡ଼ି ଛାଡି ବିଜେପିରେ ମିଶୁଥିବା ବେଳେ ଆଜି ଏହି କ୍ରମରେ ଆଉ ଜଣେ ଛାତ୍ରନେତା ବିଜେଡ଼ି ଛାଡି ବିଜେପିରେ ମିଶିଛନ୍ତି । ଧର୍ମଶାଳା ନିର୍ବାଚନମଣ୍ଡଳୀର ଛାତ୍ରନେତା ତଥା ଜିଲା ବିଜୁଛାତ୍ର ଜନତା ଦଳର ଉପସଭାପତି ସୌମ୍ୟ ପ୍ରକାଶ ବିଶ୍ଵାଳ ଆଜି ସକାଳେ ବିଜେଡ଼ି ଦଳ ଛାଡିଥିବା ବେଳେ ସନ୍ଧ୍ୟାରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ବିଜେପିରେ ଯୋଗ ଦେଇଛନ୍ତି । କିଛି ସ୍ୱାର୍ଥପର ନେତାଙ୍କ ପ୍ରୋତ୍ସାହନରେ ଦଳ ଏହାର କର୍ମୀଙ୍କ ବଳିଦାନକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି ବୋଲି ଅଭିଯୋଗ ଆଣି ଦଳତ୍ୟାଗ କରିଥିଲେ ସୌମ୍ୟ । ସୌମ୍ୟଙ୍କ ସହ ପ୍ରିୟନାଥ ଓ ହୃଷୀକେଶ ବିଜୁ ଜନତା ଦଳରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିବା କାରଣରୁ ସେ ଦଳ ଛାଡି ହିମାଂଶୁଙ୍କ ନେତୃତ୍ୱକୁ ଆପଣାଇ ନେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି । ମିଶ୍ରଣ ପର୍ବରେ ବହୁ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ,ବିଜେଡ଼ି ପଞ୍ଚାୟତ ସଭାପତି ବିଜେପିରେ ଯୋଗ ଦେଇଛନ୍ତି । ବିଧାୟକ ହିମାଂଶୁ ଶେଖର ସାହୁ, ଜିଲା ସଭାପତି ଦେବଯାନୀ ପ୍ରଧାନ, ପୁର୍ବତନ ଜିଲା ସଭାପତି ଗୌତମ ରାୟ, ପୂର୍ବତନ ସାଂସଦ ରିତା ତରାଇ, ଉମେଶ ଜେନା ପ୍ରମୁଖ ତାଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
Comments are closed.