ବିଷ ଭକ୍ଷିଲେ ଉମାକାନ୍ତ

ଅର୍ଜୁନୀ ଚରଣ ବେହେରା

ଶ୍ରୀମଦ୍ଭାଗବତ ମହାପୁରାଣର କଥା, ଏକଦା ଅସୁର ମାନେ ଅତ୍ୟନ୍ତ ପରାକ୍ରମୀ ହୋଇଉଠିଲେ l ତାଙ୍କର ଚିର ଶତ୍ରୁ ଦେବତା ମାନଙ୍କୁ ଯୁଦ୍ଧରେ ପରାଜିତ କରି ବହୁ ଦେବତାଙ୍କୁ ମାରି ପକାଇଲେ l ଯାଗ ଯଜ୍ଞ ଆଦି କର୍ମ ସବୁ ବିଲୁପ୍ତ ହେବାକୁବସିଲା l ଆପଣା ସୁରକ୍ଷା ପାଇଁ ଦେବତାମାନେ ଚିନ୍ତିତ ହୋଇପଡ଼ିଲେ l ସମସ୍ତ ଦେବତା ମାନେ ଯାଇ ବ୍ରହ୍ମାଙ୍କ ପରାମର୍ଶରେ ବିଷ୍ଣୁଙ୍କ ଶରଣ ପଶିଲେ l
ଭଗବାନ୍ ବିଷ୍ଣୁ କହିଲେ, ଏ ସମୟ ହେଉଛି ଅସୁର ମାନଙ୍କ ପାଇଁ ଅନୁକୂଳ l ସେମାନଙ୍କ ପାଇଁ କାଳର କୃପା ରହିଛି l ଯେ ପର୍ଯ୍ୟନ୍ତ ତୁମମାନଙ୍କ ପ୍ରତି କାଳ ଅନୁକୂଳ ହୋଇନାହିଁ ସେ ପର୍ଯ୍ୟନ୍ତ ତୁମେ ଦାନବଙ୍କ ସହ ସନ୍ଧି ସ୍ଥାପନକର l କିଛି ବଡ଼ କାର୍ଯ୍ୟ କରିବାକୁ ହେଲେ ଶତ୍ରୁଙ୍କ ସହିତ ସନ୍ଧି କରିନେବା ଆବଶ୍ୟକ ହୋଇଥାଏ l ତୁମେ ମାନେ ଅମୃତ ଉତ୍ପାଦନ ପାଇଁ ପ୍ରଯତ୍ନ କର ଯାହାକୁ ପାନ କଲେ ମୃତ୍ୟୁଗ୍ରସ୍ତ ପ୍ରାଣୀ ମଧ୍ୟ ଅମର ହୋଇ ଯାଏ l ତୁମେ କ୍ଷୀର ସମୁଦ୍ରରେ ସମସ୍ତ ଗୁଳ୍ମ,ତୃଣ,ଔଷଧି ଆଦି ନିକ୍ଷେପ କର ଏବଂ
ମନ୍ଦର ପର୍ବତକୁ ଖୁଆଦଣ୍ଡ ଓ ବାସୁକି ନାଗକୁ ଖୁଆ ରଜ୍ଜୁ କରି ଅସୁର ମାନଙ୍କ ସହ କ୍ଷୀର ସମୁଦ୍ର ମନ୍ଥନ କର l ଏଥିରେ ଅସୁରମାନଙ୍କୁ ମିଳିବ କେବଳ ଶ୍ରମ ଏବଂ କ୍ଳେଶ ଓ ତୁମକୁ ମିଳିବ ଫଳ l ଯେଉଁ କାର୍ଯ୍ୟ ଶାନ୍ତିରେ ହୋଇ ପାରିବ ସେଥିପାଇଁ କ୍ରୋଧ କରିବା ନିଷ୍ପ୍ରୟୋଜନ l ପ୍ରଥମେ ସମୁଦ୍ର ମନ୍ଥନରୁ କାଳକୁଟ
ବିଷ ବାହାରିବ l ସେଥିରେ ତୁମେମାନେ ଭୟଭୀତ ହେବନାହିଁ ଏବଂ ଅନ୍ୟସବୁ ଯାହା ବାହାରିବ ତାହା ପ୍ରତି ଲୋଭ କରିବ ନାହିଁ l
ବିଷ୍ଣୁଙ୍କ କଥାରେ ଦେବ ଗଣ ଅସୁର ମାନଙ୍କ ସହିତ ଅମୃତ ପ୍ରାପ୍ତି ପାଇଁ ସାଗର ମନ୍ଥନ କରିବାକୁ ମନସ୍ଥ କଲେ l ପକ୍ଷୀରାଜ ଗରୁଡ଼ଙ୍କ ସାହାଯ୍ୟରେ, ମନ୍ଦର ପର୍ବତକୁ ଆଣି ଖୁଆଦଣ୍ଡ ଭାବେ ସାଗରରେ ସ୍ଥାପନ କରାଗଲା l ବାସୁକୀନାଗକୁ ରଜ୍ଜୁକରି ମନ୍ଦରପର୍ବତ ସହ ବେଢ଼ାଇ ଦିଆଗଲା l ଅସୁରମାନେ ବାସୁକୀଙ୍କ ଲାଙ୍ଗୁଡ଼ ଏବଂ ଦେବତାମାନେ ମୁଣ୍ଡପଟକୁ ଧରି ଖୁବ ଜୋରରେ ବୁଲାଇବାରେ ଲାଗିଲେ l ମାତ୍ର ପର୍ବତର କୌଣସି ଆଧାର ନ ଥିବାରୁ ତାହା ସାଗର ମଧ୍ୟରେ ବୁଡ଼ିବାରେ ଲାଗିଲା l ଭଗବାନ ବିଷ୍ଣୁ ଏହାକୁ ଦେଖି
ଏକ ବିଚିତ୍ର କଚ୍ଛପରୂପରେ ସମୁଦ୍ର ଜଳରେ ପ୍ରବେଶ କରି ମନ୍ଦରକୁ ପୃଷ୍ଠରେ ଧାରଣ କଲେ l ପୁଣି ମନ୍ଦର ପର୍ବତ ଉପରେ ଭଗବାନ୍ ଆଉ ଏକ ପର୍ବତକୁ ରଖି ନିଜ ଶହସ୍ରବାହୁ ଦ୍ୱାରା ଚାପିରଖିଲେ l ଏଥର ଖୁଆ ଦଣ୍ଡ ସ୍ଥିର ରହିଲା ଏବଂ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ପୂର୍ବ ଉଲ୍ଲାସ ଫେରି ଆସିବାରୁ ଦ୍ରୁତ ଗତିରେ ସାଗର ମନ୍ଥନ ଆରମ୍ଭ ହେଲା l
ଅତି କଷ୍ଟରେ ବାସୁକୀଙ୍କ ଚକ୍ଷୁ ଓ ନିଶ୍ୱାସରୁ ଅଗ୍ନି ଓ ଖର ବାୟୁ ନିର୍ଗତ ହେବାରୁ ଦେବତା ଅସୁର ମାନେ ଅଣ ନିଶ୍ୱାସୀ ହୋଇ ପଡ଼ିଲେ l ପ୍ରବଳ ବୃଷ୍ଟିପାତ ଓ ଜଳକଣା ସୃଷ୍ଟିକରି ଭଗବାନ୍ ଏହାକୁ ଶାନ୍ତ କରାଇ ଦେବାରୁ ପୁନର୍ବାର ସାଗର ମନ୍ଥନ ଆରମ୍ଭ ହେଲା l ଭଗବାନ୍ କହିଥିବା କଥାନୁଯାୟୀ, ସମୁଦ୍ରରୁ ଅମୃତ ବାହାରିବ କ’ଣ ସର୍ବପ୍ରଥମେ ହଳାହଳ ବୋଲି ଏକ ଉତ୍କଟ ଜହର ବାହାରି ଅଧ, ଉଧ, ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପି ଗଲା l ଜଣାଗଲା ସେହି ବିଷର ପ୍ରଭାବରେ ଯେପରି ସମସ୍ତ ସୃଷ୍ଟି ନାଶ ହୋଇଯିବ l କରାଯିବ କଅଣ ବୋଲି ସମସ୍ତେ ଚିନ୍ତିତ ହୋଇ ପଡ଼ିଲେ l
ଆଉକିଛି ଉପାୟ ନଦେଖି ସମସ୍ତ ପ୍ରଜା, ପ୍ରଜାପତି ଯାଇ ଭଗବାନ୍ ଶଙ୍କରଙ୍କ ଶରଣ ପଶିଲେ l ସେହି ସମୟରେ ଭଗବାନ ଶଙ୍କର ସତୀଙ୍କସହ କୈଳାସ ପର୍ବତରେ ରହୁଥିଲେ l ପ୍ରଜାପତିମାନେ ସେଠାରେ ପହଞ୍ଚି ଶିବଙ୍କୁ ସ୍ତୁତିକରି କହିଲେ, ହେ ଦେବ ଦେବ ମହାଦେବ ଆପଣ ସମସ୍ତ ପ୍ରାଣୀଙ୍କ ଆତ୍ମା l ଆମେ ମାନେ ଆପଣଙ୍କ ଶରଣାପନ୍ନ l ଆପଣ ତ୍ରି ଭୁବନକୁ ଦହନ କରୁଥିବା ଏ କାଳକୁଟବିଷ ଜ୍ୱାଳାରୁ ଆମକୁ ରକ୍ଷା କରନ୍ତୁ l ଆପଣଙ୍କ ଲୀଳା ଅବ୍ୟକ୍ତ l ଲୋକଙ୍କ ମଙ୍ଗଳ ନିମନ୍ତେହିଁ ଆପଣ ବ୍ୟକ୍ତରୂପରେ ରହିଛନ୍ତି l ଆପଣ ମଙ୍ଗଳମୟ l ଆପଣ ଓଁକାର ରୂପେ ଯେଉଁ ସ୍ଵୟଂ ଜ୍ୟୋତିରେ ଅବସ୍ଥାନ କରିଛନ୍ତି, ତାହାକୁ ଶିବ ଆଖ୍ୟା ଦିଆଯାଇଛି l ଏ ଶଙ୍କଟରୁ କେବଳ ଆପଣ ହିଁ ଉଦ୍ଧାରକରିବା ନିମନ୍ତେ ସମର୍ଥ l ହେ ଦେବେଶ ! ଆପଣ ଆମକୁ ରକ୍ଷା କରନ୍ତୁ l
ପ୍ରଜାମାନଙ୍କ ବିକଳ ଦେଖି ଭଗବାନ୍ ଶିବ ସତୀଙ୍କୁ କହିଲେ, ଭବାନୀ ! ଦେଖ, ସାଗର ମନ୍ଥନରୁ ଜାତ କାଳକୁଟ ବିଷପାଇଁ ସମସ୍ତ ପ୍ରଜା ମାନଙ୍କର କିପରି ବିପଦ ଉପସ୍ଥିତ ହୋଇଛି l ଏମାନଙ୍କୁ ଅଭୟ ଦାନ କରିବା ସମର୍ଥ ବ୍ୟକ୍ତିର କର୍ତ୍ତବ୍ୟ l ଏଣୁ ମୁଁ ଜଗତର କଲ୍ୟାଣ ପାଇଁ ଏହି ହଳାହଳ ବିଷକୁ ପାନ କରୁଛି l ଭବାନୀ ଶଙ୍କରଙ୍କ ପ୍ରଭାବ ଜାଣିଥିଲେ l ତେଣୁ ସେ ଏହାକୁ ଅନୁମୋଦନ କଲେ ଏବଂ ବିଶ୍ବଭାବନ ପ୍ରଭୁ ଭୋଳାନାଥ ବିଷ ପାନରେ ପ୍ରବୃତ୍ତ ହେଲେ l
ମଙ୍ଗଳମୟ ସଦାଶିବ ଚାରିଆଡ଼େ ବ୍ୟାପି ଯାଇଥିବା ହଳାହଳ ବିଷକୁ ନିଜ ପାପୁଲିକୁ ଉଠାଇଆଣି ପାନ କରିଦେଲେ l ସଂସାର ରକ୍ଷା ପାଇଗଲା l କିନ୍ତୁ ଏହି ହଳାହଳ ଭଗବାନ ଶଙ୍କରଙ୍କ ଗଳାରେ ଯାଇ ରହି ଗଲା l ପ୍ରଭୁ ଶଙ୍କର ହେଲେ, ନୀଳକଣ୍ଠ l ଵିଷପାନ କରୁଥିଲା ବେଳେ ହାତରୁ ତାଙ୍କର କେଇ ବୁନ୍ଦ ଵିଷ ଝରି ପଡ଼ିଥିଲା l ସେହି ବିଷକୁ ସାପ, ବିଛା ଓ କିଛି ବୃକ୍ଷଲତା ଗ୍ରହଣ କରି ଵିଷଯୁକ୍ତ ହେଲେ l ସମସ୍ତେ ଆଶ୍ବସ୍ତ ହେଲେ ଏବଂ ପୁଣି କ୍ଷିପ୍ରଗତିରେ ଖୁଆଦଣ୍ଡ ବୁଲାଇ ସାଗର ମନ୍ଥନ ଆରମ୍ଭ ହେଲା l
ଦେବାଧିଦେବ ମହାଦେବ, ସମସ୍ତଙ୍କ କାମନା ପୂର୍ଣ୍ଣ କରନ୍ତି l ବିଷ ପାନ ରୂପକ ତାଙ୍କର ଏ ଅଦ୍ଭୂତ କର୍ମ ଦେଖି ସମସ୍ତ ଦେବତା, ପ୍ରଜାଗଣ ତଥା ଦକ୍ଷକନ୍ୟା ସତୀ ତାଙ୍କର ପ୍ରଶଂସା କରୁଥିଲେ l ବିଷପାନ କରି ଭଗବାନ ଶିବଙ୍କ କଣ୍ଠ ସିନା ନୀଳବର୍ଣ୍ଣ ଧାରଣକଲା କିନ୍ତୁ ଲୋକମଙ୍ଗଳକାରୀ ଲୋକନାଥଙ୍କ ପାଇଁ ଏହା ଭୂଷଣ ହୋଇ ରହିଲା l ବିଶ୍ୱପାବନ ଲୋକ ଭାବନ ବିଶ୍ଵନାଥଙ୍କ ଏ ଅଦ୍ଭୂତ ଲୀଳାକୁ ଅତିବଡ଼ି ଜଗନ୍ନାଥ ଦାସ ପ୍ରଶଂସା କରି ଭାଗବତରେ ଲେଖିଲେ:-
ସାଧୁ ଜନଙ୍କ ମତ ଏହି l
ଯେ ପରଦୁଃଖେ ଦୁଃଖ ସହି ll
କରଇ ପର ଉପକାର l
ଧନ୍ୟ ଜୀବନ ତାହାଙ୍କର ll
ବୋଲଇ ବିପ୍ର ଜଗନ୍ନାଥ l
ବିଷ ଭକ୍ଷିଲେ ଉମାକାନ୍ତ ll
!!! ଓଁ ନମଃ ଶିବାୟ !!!
🙏🙏🙏
ଅର୍ଜୁନୀ
————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.