ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମଝି ହେଲେ ପିଏସି ଅଧକ୍ଷ ।

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଭାଜପା ବିଧାୟକ ମୋହନ ଚରଣ ମାଝିଙ୍କୁ ବିଧାନସଭାର ପିଏସି (ପବ୍ଲିକ ଆକାଉଣ୍ଟସ୍‌ କମିଟି) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ସୂଚନା ଅନୁସାରେ, ପବ୍ଲିକ ଆକାଉଣ୍ଟସ୍‌ କମିଟିର ଅଧ୍ୟକ୍ଷ ସବୁବେଳେ ବିରୋଧୀ ଦଳ ନେତା ହିଁ ହୋଇଥାଆନ୍ତି। ହେଲେ ଓଡ଼ିଶାରେ ପୂର୍ବରୁ ଦୁଇଥର ଏଭଳି ହୋଇଛି ଯେତେବେଳେ ଅନ୍ୟ ନେତାଙ୍କୁ ଏହି ପଦ ମିଳିଛି। ଥରେ ଜନତା ଦଳ ସରକାର ଚାଲିଥିବାବେଳେ ଏବଂ ଗୋଟିଏ ଥର କଂଗ୍ରେସ ସରକାର ସମୟରେ ଯେତେବେଳେ ବିରୋଧୀ ଦଳ ନେତା ଏବଂ ପିଏସି ଅଧ୍ୟକ୍ଷ ଦୁଇ ଜଣଙ୍କୁ କରାଯାଇଛି। ଏହା ରାଜ୍ୟରେ ତୃତୀୟ ଘଟଣା ବୋଲି ବିଧାନସଭାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହା ପୂର୍ବରୁ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳ ନେତା ଥିବାବେଳେ ସେ ପିଏସି ଅଧ୍ୟକ୍ଷ ଥିଲେ।

ତାଙ୍କୁ ଏହି ଦାୟିତ୍ୱରୁ ହଟାଇ ଭାଜପାରେ ବିରୋଧୀ ଦଳ ନେତା କାହାକୁ କରାଯିବ ସେନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଜୟନାରାୟଣ ମିଶ୍ର ଏବଂ ମୋହନ ମାଝିଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର୍‌ ଧରିଲା। ତେବେ ଭାଜପା ବିଧାୟକ ଦଳ ବୈଠକରେ ସମସ୍ତ ସଦସ୍ୟ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ହେବାକୁ କହିଥିବା ବେଳେ ମୋହନଙ୍କୁ ପିଏସି ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଥିଲେ। ଜୟ ନାରାୟଣ ମିଶ୍ର ବିରୋଧୀ ଦଳ ନେତା ନିଯୁକ୍ତ ହେବାପରେ ଭାଜପା ଚିଠି ଲେଖି ମୋହନ ମାଝିଙ୍କୁ ପିଏସି ଅଧ୍ୟକ୍ଷ କରିବା ନେଇ ବାଚସ୍ପତିଙ୍କୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିବାରୁ ଏହା ଉପରେ ଏକ ବିଜ୍ଞପ୍ତି ଜାରି କରିବାକୁ କହିଥିଲେ। ସେହି ଅନୁଯାୟୀ ବାଚସ୍ପତି ଚିଠି କରି ମୋହନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ରାଜ୍ୟରେ ସରକାର ଯେଉଁ ଅର୍ଥ ଖର୍ଚ୍ଚ ଲାଗି ବଜେଟ୍‌ ପ୍ରସ୍ତୁତ କରୁଛନ୍ତି ତା’ର ହିସାବ ପିଏସି କମିଟି ନେଇଥାଏ। ସିଏଜି ଅଡିଟ୍‌ କରିବା ପରେ ଯଦି କେଉଁଠାରେ ଦୁର୍ନୀତି ବା ଅର୍ଥ ହେରଫେର ହୋଇଥିବା ତଥ୍ୟ ପାଆନ୍ତି ତା’ଉପରେ ପିଏସିରେ ବୈଠକ ହୋଇ କ’ଣ କାର୍ଯ୍ୟାନୁଷ୍ଠାନ ହେବ ସେନେଇ ପିଏସି ଅଧ୍ୟକ୍ଷ ନିଷ୍ପତ୍ତି ନେଇଥାଆନ୍ତି।

Comments are closed.