ବିନା ଟିକଟରେ ରେଳଯାତ୍ରା ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି ।

କଟକ: (ବିବି ନିୟୁଜ ବ୍ୟୁରୋ)  ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ ପ୍ଲାଟଫର୍ମରେ ଯାତ୍ରୀଙ୍କ ଟିକଟ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୬୯ ଜଣ ବ୍ୟକ୍ତି ବିନା ଟିକେଟରେ ଯାତ୍ରା କରିଥିବା ଧରାପଡିଥିଲେ । ଏମାନେ ଟିକଟ ନକରି ବିଭିନ୍ନ ଟ୍ରେନରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଥିଲେ । ମୁଖ୍ୟ କଥା ହେଲା ଧରାପଡିଥିବା ଅନେକ ବ୍ୟକ୍ତି ଟ୍ରେନରେ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ କୋଚ ଏବଂ ସିଟରେ ବସିଥିଲେ । ତେଣୁ ସମସ୍ତ ନିୟମ ଖିଲାପ କାରୀଙ୍କୁ ଆରପିଏଫ ଗିରଫ କରିଥିଲା । ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଗିରଫ ବ୍ୟକ୍ତିମାନେ ରେଳବାଇ ନିୟମ ମୁତାବକ ଜୋରିମାନା ଭରି ଛାଡ ପାଇଥିଲେ । ତେବେ ଆଗାମୀ ଦିନରେ ଏପରି ଅଭିଯାନକୁ ଆହୁରି ଜୋରଦାର କରାଯିବା ସହ ମାଗଣା ରେଳଯାତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରପିଏଫ ପକ୍ଷରୁ କୁହାଯାଇଛି ।

Comments are closed.