ଭଗବାନଙ୍କ ଚବିଶ ଅବତାର

ଅର୍ଜୁନୀ ଚରଣ ବେହେରା

ଭଗବାନଙ୍କ ଚବିଶ ଅବତାର
=================
ଜୀବନିସ୍ତାରଣ ଅର୍ଥେ ଲୀଳାମୟ ହରି l
ଯୁଗେଯୁଗେ ଆସିଥାନ୍ତି ଅବତାର ଧରି ll
ଧର୍ମସଂସ୍ଥାପନ ଜୀବେ ଜ୍ଞାନର ପ୍ରକାଶ l
ଭାବରେ ଧରିଲେ ହରି ରୂପ ଚତୁର୍ବିଂଶ ll
ପ୍ରଥମାବତାରେ ଚାରି ସନତ କୁମାରେ l
ଜ୍ଞାନ ବିତରିଲେ ହରି ତିନି ଜଗତରେ ll
ଦ୍ୱିତୀୟ ବରାହ ରୂପ ଲୀଳାମୟ ଧରି l
ଦନ୍ତାଗ୍ରେ ଧରିଲେ ପ୍ରଭୁ ବସୁଧାସୁନ୍ଦରୀ ll
ତୃତୀୟରେ ଅବତାର ନାରଦ ଦେବର୍ଷି l
ତ୍ରିପୁରଭ୍ରମଣ ହରିନାମ ଘୋଷି ଘୋଷି ll
ଚତୁର୍ଥରେ ରୂପେ ପ୍ରଭୁ ନର ନାରାୟଣ l
ମହୀମଣ୍ଡଳେ ସଞ୍ଚିଲେ ଧର୍ମ ଆଚରଣ ll
ପଞ୍ଚମରେ ଅବତାରୀ କର୍ଦ୍ଦମଙ୍କ ଘରେ l
କପିଳ ଜନ୍ମିଲେ ଦେବହୁତିଙ୍କ ଉଦରେ ll
ଷଷ୍ଠ ଅବତାରେ ପ୍ରଭୂ ଦତ୍ତାତ୍ରେୟ ଜାଣ l
ଅତ୍ରୀଅନସୂୟାଙ୍କର ହୋଇଲେ ନନ୍ଦନ ll
ସପ୍ତମରେ ସ୍ୱାୟଂଭୂବ ମନୁ ରୂପେ ହରି l
ଆକୁତି ଗର୍ଭୁ ଜନ୍ମିଲେ ଦିବ୍ୟ ତନୁ ଧରି ll
ଅଷ୍ଟମରେ ପ୍ରଭୁ ପୁଣି ମେରୁଦେବୀ ସୂତ l
ୠଷଭଦେବଙ୍କ ନାମ ଭବେ ସୁବିଖ୍ୟାତ ll
ନବମରେ ପୃଥୁ ରୂପେ ଲୀଳାମୟ ହରି l
ଦୁହିଁଲେ ପୃଥିବୀମାତା କାମଧେନୁ କରି ll
ଦଶମରେ ହରି ମହାମୀନ ରୁପ ହୋଇ l
ପ୍ରଳୟଜଳରେ ଶୃଙ୍ଗେ ନାବଥିଲେ ବହି ll
ଏକାଦଶେ ହରି ପୁନଃ କଚ୍ଛପ ରୂପରେ l
ମନ୍ଦର ମେରୁ ଧରିଲେ କଠିନ ପୃଷ୍ଠରେ ll
ଦ୍ବାଦଶେ ପୀୟୂଷ କୁମ୍ଭ କ୍ଷୀରାର୍ଣ୍ଣବୁ ଧରି l
ଅବତାର ନେଲେ ପ୍ରଭୁ ରୂପ ଧନ୍ଵନ୍ତରୀ ll
ତ୍ରୟୋଦଶରେ ମୋହିନୀ ରୂପକୁ ଧଇଲେ l
ଅସୁରଙ୍କୁ ଭଣ୍ଡି, ସଦାଶିବଙ୍କୁ ମୋହିଲେ ll
ଚତୁର୍ଦ୍ଦଶେ ନର ସିଂହ ରୁପେ ପୁଣି ହରି l
ହିରଣ୍ୟ ତନୁ ଚିରିଲେ ସ୍ତମ୍ଭରୁ ବାହାରି ll
ପଞ୍ଚଦଶେ ଆଶ୍ଚର୍ଯ୍ୟ ବାମନ ବ୍ରହ୍ମଚାରୀ l
ବଳିକୁ ଛଳିଲେ ମାୟାଧର ମାୟାକରି ll
ଷୋଡ଼ଶରେ ପ୍ରଭୁ ପର୍ଶୁରାମ ଅବତାର l
ନିକ୍ଷେତ୍ରି କଲେ ପୃଥିକୁ ଏକବିଂଶବାର ll
ସପ୍ତଦଶେ ଅବତାର ପ୍ରଭୁ ବେଦବ୍ୟାସ l
ପୁରାଣ ସଂହିତା ରଚି ଜ୍ଞାନର ପ୍ରକାଶ ll
ଅଷ୍ଟାଦଶେ ଦିନକରବଂଶେ ପ୍ରଭୁ ରାମ l
ରାବଣ ବଧି ଥାପିଲ ରାମେଶ୍ୱର ଧାମ ll
ଊନବିଂଶ ବିଂଶେ ଯଦୁକୁଳେ ଅବତରି l
ରାମକୃଷ୍ଣ ବ୍ରଜପୁରେ ରଖିଲେ ବାଛୁରୀ ll
ଏକବିଂଶେ ପ୍ରଭୁ ବୁଦ୍ଧ କରୁଣାବତାରେ l
ସତଦୟା କ୍ଷମାଗୁଣ ଜଗତେ ପ୍ରଚାରେ ll
ଅଶ୍ଵ ମୁଖେ ଅବତାର ପୁନଃ ହୟଗ୍ରୀବ l
ଗଭୀର ଜଳେ ବଧିଲେ ମଧୁ କଇଟଭ ll
ହଂସାବତାରେ ବ୍ରହ୍ମାଙ୍କୁ କହି ବ୍ରହ୍ମ ଜ୍ଞାନ l
ତ୍ରୟବିଂଶ ଅବତାରହେଲେ ନାରାୟଣ ll
କଳିକାଳେ ପୁଣି ପ୍ରଭୁ ଲୀଳାମୟ ହରି l
ଚବିଶେ ଆସିବେ କଳ୍କୀରୁପେ ଅବତରି ll
ଶ୍ରୀ ହରି ଅନନ୍ତ, ତାଙ୍କ କଥା ହିଁ ଅନନ୍ତ l
ଶ୍ରିହରିଙ୍କ ଲୀଳା ଗାଏ ଶିରି ଭାଗବତ ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.