ମହାଲକ୍ଷ୍ମୀଙ୍କ ଭକ୍ତ ବଳରାମ ଦାସ

ଅର୍ଜୁନୀ ଚରଣ ବେହେରା

ସେଦିନ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା l ଭକ୍ତମାନଙ୍କ ହରିବୋଲ ଘଣ୍ଟ ଘଣ୍ଟା ଧ୍ୱନୀରେ ବଡ଼ ଦାଣ୍ଡ ଉଛୁଳି ପଡୁଛି l ମହାପ୍ରଭୁ ସଜ ହେଉଥାନ୍ତି, ଗୁଣ୍ଡିଚା ଯାତ୍ରା ପାଇଁ l ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ କହିଲେ, ‘ଶୁଣିଲଣି ଆମେ ଭାଇ ଭଉଣୀ ରଥଚଢ଼ି ଗୁଣ୍ଡିଚା ମନ୍ଦିର ଯିବୁ ପଥରେ ମାଉସୀମାଆ ଘରେ ପୋଡ଼ପିଠା ଖାଇବୁ l କେତେ କେତେ ଭକ୍ତ ଦର୍ଶନ ପାଇଁ ରୁଣ୍ଡ ହୋଇଛନ୍ତି ସମସ୍ତଙ୍କୁ ଦର୍ଶନଦେବୁ l ତୁମେ ଶ୍ରୀମନ୍ଦିରରେ ଥାଅ l ଆମେ ଯାତ୍ରା ସାରି, ସଅଳ ସଅଳ ଫେରି ଆସିବୁ’ l ମାଆ ଲକ୍ଷ୍ମୀ ଏକଥା ଶୁଣି କହିଲେ ତୁମ୍ଭେମାନେ ସବୁ ରଥଯାତ୍ରାରେ ଯିବ ମୁଁ କଣ ତୁମ ଜଗୁଆଳି କି ଏକା ଶ୍ରୀମନ୍ଦିରରେ ରହିବି?
କୁହ କାହିଁକି, କୁହ କାହିଁକି !
ମୁଁ କଣ ତୁମର ଚାକରାଣୀ କି?
ଭାଈ ଭଉଣୀକୁ ସଙ୍ଗେ ନେଇ ଯିବ
ବୁଲିବାକୁ ତୁମ ଜନ୍ମ ଭୁଇଁକି l
ମୁଁ ତୁମ ଘରଣୀ ଲକ୍ଷ୍ମୀ ଠାକୁରାଣୀ
ଅଟେ ଶ୍ରୀ ମନ୍ଦିର ଜାଗୁଆଳି କି?
ମାଆଙ୍କର ଏକା ଜିଦ, ସିଏ ମଧ୍ୟ ସାଙ୍ଗରେ ଯିବେ l ହଟିଆ ଠାକୁର ମାଆଙ୍କୁ ଚଟୁଳ ବାକ୍ୟରେ ବୁଝାଇ ଦେଲେ, ” ସାଙ୍ଗରେ ବଡ଼ ଭାଇ ଯାଉଛନ୍ତି l ତୁମେ ଦେଢ଼ଶୂର ସହିତ ଦାଣ୍ଡରେ ଯିବ l ଲୋକେ କଅଣ କହିବେ !!! ବରଂ ତୁମେ ଶ୍ରୀମନ୍ଦିରରେ ବିମଳେଇ, ସରସ୍ବତୀଙ୍କ ସହିତ ରହି କ୍ରୀଡ଼ା କୌତୁକ କରୁଥାଅ, ଆମ୍ଭେ ଭକ୍ତ ମାନଙ୍କୁ ଦର୍ଶନଦେଇ ଅତିଶୀଘ୍ର ଫେରି ଆସିବୁ l”ଏମିତି ବୁଝାଇ ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ, ରଥ ଯାତ୍ରାରେ ବାହାରି ଗଲେ l ଲକ୍ଷ୍ମୀ ରାଗ ଗରଗର ହୋଇ ମାଆ ବିମଳା ଓ ସରସ୍ବତୀଙ୍କୁ ଡାକି କହିଲେ “ଶୁଣିଲଣି ବିମଳେଇ ! ପ୍ରଭୁ ଆସି କହିଲେ ଆଜି ଗୁଣ୍ଡିଚା ଯାତ l ସେ ରଥରେ ଭାଇ ଭଉଣୀଙ୍କୁ ନେଇ ଗୁଣ୍ଡିଚାବାଡ଼ି ବୁଲିଯିବେ, ପୁଣି ବାଟରେ ପୋଡ଼ ପିଠା ଖାଇବେ l ତୁମେ କାହିଁକି ଦେଢ଼ଶୂର ସାଙ୍ଗରେ ଯିବ l ପୁଣି ବାଟରେ ଆମେ କେତେ ଭକ୍ତଙ୍କୁ କୋଳା କୋଳି କରିବୁ l ତୁମର ସବୁ ଛୁଆଁ ଛୁଇଁ ହୋଇଯିବ l ସରସ୍ବତୀ ଓ ବିମଳାଙ୍କ ସହିତ ତୁମେ କ୍ରୀଡ଼ାକୌତୁକ କରୁଥା, ଆମେ ଶୀଘ୍ର ଫେରିଆସିବୁ l ଆସ ଭଉଣୀ ମାନେ ଆମ୍ଭେମାନେ ପଶାଖେଳିବା ଓ ଆସିବାଯାଏ ପ୍ରଭୁଙ୍କ ପ୍ରତୀକ୍ଷା କରିବା l”
ଏହି ସମୟରେ ଦାସୀଟିଏ ଆସି କହିଲା ” ପ୍ରଭୁଙ୍କ ରଥ ଯାଇ ବଳଗଣ୍ଡିଠାରେ ପହଞ୍ଚି ଗଲାଣି l ଆଗେ ଆଗେ ରାଜା ଚାଲିଛନ୍ତି l ଭକ୍ତ ମାନଙ୍କ କି ଆନନ୍ଦ ! ପ୍ରଭୁଙ୍କର ଟିକିଏ ମନ ହେଲା ନାହିଁ, ନିଜ ଘରଣୀକୁ ସାଙ୍ଗରେ ନେଇଯିବା ପାଇଁ l ମାଆ ଆମର କି ଖୁସି ହୋଇ ନଥାନ୍ତେ l ଓଃ ରଥରେ ଯେଉଁ ହଳଦୀ ମୁହିଁ ଭଉଣୀ ଖଣ୍ଡକ ବସିଛି ନା ! କି ଗେଲ୍ହେଇ ଫୁଲେଇ ହେଉଛି l ବଡ଼ ଠାକୁର ତ ନିର୍ବିକାର” l
ଦାସୀଠାରୁ ଏକଥା ଶୁଣି ମାଆଙ୍କର ମନକୁ ବୁଝାଇ ଶାନ୍ତ ପଡ଼ିଆସୁଥିବା କ୍ରୋଧ ପଞ୍ଚମରେ ପହଞ୍ଚିଗଲା l ରାଗ ଗର ଗର ହୋଇ କହିଲେ,’ମୋତେ ନ ନେଇ ବଢ଼ିଲା ଭଉଣୀଟାକୁ ସାଥିରେ ଧରି ଗାଆଁ ଦାଣ୍ଡରେ ବାହାରିଛନ୍ତି l ସେ ଫୁଲେଇ ଭଉଣୀ କ’ଣ କମ କି? ବାର ଲୋକଙ୍କ ସାମ୍ନାରେ ଚାନ୍ଦ ମୁହଁଟିକୁ ଦେଖେଇ ହେଁହେଁ ଫେଁଫେଁ ହେଉଥିବ l ଏ ଭାଇ ଭଉଣୀ ସବୁ ଗୋଟିଏ ଲାଉର ମଞ୍ଜି l ମୋ ଦେଢ଼ଶୂର ତ କଣ୍ଟିଆ କାହାକୁ କହିବି !!! ମୁରବି ବୋଲି ଟିକିଏ ସେ ତାଙ୍କୁ ଦାବଦାରି କରିବେ ନାହିଁ l ଲକ୍ଷ୍ମୀଙ୍କ ଏ କଟାକ୍ଷ ଶୁଣି ମାଆ ସରସ୍ବତୀ ଓ ବିମଳା ମୁହଁ ମୋଡ଼ି କିରି କିରୀ ହସି ପକେଇଲେ l ଦାସୀଟି କହିଲା କଅଣ କରିବା ସବୁ ଆମ ମା’ ସାଆନ୍ତାଣୀଙ୍କ ଭାଗ୍ୟ ଦୋଷ l ପୁଣି ଟିକିଏ ଦାୟିକା ଦେଇ ଦାସୀ କହିଲା :-
ଏବେ ଭିଣୋଇ ହୋଇବେ ସଡ଼ୁ l
ବାହି ଆଗେ ପିନ୍ଧାଇବେ ଖଡୁ ll
ଭକ୍ତ ବଳିଆ ଦାସ ମହାପ୍ରଭୁଙ୍କ ରଥ ସହ କିଛି ବାଟ ଯାଇଛନ୍ତି, ହଠାତ୍ ତାଙ୍କର ମା’ ଲକ୍ଷ୍ମୀଙ୍କ କଥା ମନେ ପଡ଼ିଗଲା l ସେ ତର ଭର ହୋଇ ଲେଉଟି ଆସିଲେ ଶ୍ରୀମନ୍ଦିରକୁ ଟିକେ ମାଆଙ୍କ ଭଲମନ୍ଦ ବୁଝିବାପାଇଁ l ଶ୍ରୀମନ୍ଦିର ଆସି ଦେଖନ୍ତି ତ ମାଆ ମାନଙ୍କ ଭିତରେ ଏମିତି ସବୁ ଆଲୋଚନା ଚାଲିଛି l ମାଆ ମହାଲକ୍ଷ୍ମୀ ଅଭିମାନରେ କାନ୍ଦି କାନ୍ଦି ଫୁଲି ଗଲେଣି l ବଳରାମ ଦାସେ ଆଡୁଆଳରେ ଥାଇକରି ସବୁ ଶୁଣୁଥାନ୍ତି l ସେ ଭାବିଲେ, ” ଆରେ ଏ କାନ ମୋର କଅଣ ଶୁଣୁଛି l ମହାପ୍ରଭୁଙ୍କ ଅପନିନ୍ଦା ! ଛି ଛି !!! ପୁଣି ଏ ଦାସୀଟା କିଏ ସିଏ କହୁଛି :-
ସୁଭଦ୍ରା ସଙ୍ଗରେ ବେନି ପରାଣୀ,
ଦିନୁ ଦିନୁ ପ୍ରୀତି ନବ ତରୁଣୀ,
ତେଜି ଅଛି ଲଜ୍ଜା,
ଏବେ ହୋଇଛି ଭଉଣୀ ଭାରିଜା ll
ଦାସେ ଆଉ ସହି ପାରିଲେନି l ସେ ବଡ଼ ପାଟିରେ କହି ପକେଇଲେ ଏ ଟେରିର ଗୁଣ ବି କମ୍ ନୁହେଁ l କାଣି ହୋଇ ନଥିଲେ ଆହୁରି କେତେ ପହିଜ କଥା ନ କହନ୍ତା !!! ମହାପ୍ରଭୁ ଠିକ୍ କୁହନ୍ତି :-
ବାପ ତ ଲୁଣିଆ ଗରଜି ମରୁ ଥାଇ l
ଝିଅ ଟେରି ଗୁଣ କହିଲେ ନସରଇ ll
ବଳିଆଦାସକୁ ଦେଖି ଓ ଏକଥା ଶୁଣି ବିମଳେଇ ଓ ସରସ୍ବତୀ ଜିଭକାମୁଡ଼ି ଆଡ଼ ହୋଇଗଲେ l ତାଙ୍କର ଭୟହେଲା ବଳିଆଦାସ ବାଲି ରଥରେ ମହାପ୍ରଭୁଙ୍କୁ ବସେଇ କେତେ ଉଲୁଗୁଣା ନ ଦେଇଛି l ଲଗେଇ ଯୋଟେଇ ପୁଣି କେତେ କଅଣ ଗୀତ ଫାନ୍ଦିଦେବ l ସିଏ ତ ଆମକୁ ମାନୁଛି l ୟାଙ୍କ ଘର କଥାରେ ମୁଣ୍ଡ ପୁରାଇ ଲାଭ କଅଣ l ଆମେ ଏଠୁ ଅପସରି ଗଲେ ହେଲା l ବଳରାମ ଦାସଙ୍କୁ ଦେଖି ବାଇ ଠାକୁରାଣୀ ଲକ୍ଷ୍ମୀ ଭୀଷଣ ରାଗିଗଲେ l ମାଆ କହିଲେ, ଆରେ ଆମ ଘରକଥା ଆମ ମାଇପିମାନଙ୍କ କଥାରେ ମୁଣ୍ଡ ପୁରାଇବାକୁ ଏଟା କିଏ ହୋ !!!
ମାଆ ରାଗିଯାଇ ଅଭିଶାପ ଦେଲେ ” ହୋ ଦାସେ ! ତମେ ଏ କ୍ଷେତ୍ରରେ ରହିଥିଲେ ସିନା ଆମ କଥାରେ ମୁଣ୍ଡ ପୁରେଇବ, ମୁଁ ତୁମକୁ ଅଭିଶାପଦେଉଛି ତୁମେ ଆଉ ଏ କ୍ଷେତ୍ର ଲାଭ କରିପାରିବ ନାହିଁ l”
ଦାସେ ମାଆଙ୍କ ଠାରୁ ଅଭିଶାପ ଶୁଣି ମୁଣ୍ଡରେ ହାତ ଦେଇ ଠପକରି ବସି ପଡ଼ିଲେ l କିଛି ସମୟ ପରେ ଚିନ୍ତାକରି ମନକୁ ବୁଝେଇ ନେଲେ, ପ୍ରଭୁ ବୋଧହୁଏ ବଳରାମ ଦାସର ଶ୍ରୀକ୍ଷେତ୍ର ନିବାସ ଚାହୁଁ ନାହାଁନ୍ତି l ଦାସେ ସେହି ଦିନ ଶ୍ରୀକ୍ଷେତ୍ର ଷୋଳ କୋଷ ତ୍ୟାଗ କରି ଚାଲିଲେ, ଗୋପ ନିକଟ କୁଶଭଦ୍ରା ନଦୀ ତଟ ଏରବଙ୍ଗ ଗ୍ରାମକୁ ଓ ସେହିଠାରେ କୁଡ଼ିଆଟିଏ କରି ରହିଲେ l ଲୋକେ ସେଠି ବଡ଼ଆଦରରେ ବାବାଜୀ ବଳିଆଦାସଙ୍କ ସେବା କରୁଥାନ୍ତି l ତାଙ୍କଠାରୁ ବିଭିନ୍ନ ଶାସ୍ତ୍ର ଓ ଜ୍ଞାନଚର୍ଚ୍ଚା ଶୁଣୁଥାନ୍ତି l ଏରବଙ୍ଗ ଗ୍ରାମ ଭକ୍ତ ବଳରାମ ଦାସଙ୍କ ସାନ୍ନିଧ୍ୟ ପାଇ, ଦ୍ୱିତୀୟ ଶ୍ରୀକ୍ଷେତ୍ର ହୋଇଗଲା l କିନ୍ତୁ ଦାସେଙ୍କ ସେତେବେଳକୁ ବହୁତ ବୟସ ହୋଇ ଯାଇଥିଲା l ଜୀବନର ଶେଷ ସମୟ ଆସି ଉପନୀତହେଲା l ଶେଷ ସମୟରେ ବଳରାମ ସ୍ୱଗତୋକ୍ତି କରି ପ୍ରଭୁଙ୍କୁ ସ୍ମରଣକରି କହିଲେ, ପ୍ରଭୁ ! ଜୀବନର ଏ ଶେଷ ମୁହୂର୍ତ୍ତରେ କଅଣ ତୁମର ଥରେ ମାତ୍ର ଦର୍ଶନ ପାଇବିନାହିଁ l ତୁମ ଆଶିଷରେ ତୁମରି ମହିମା ପ୍ରଚାର ପାଇଁ, ମୁଁ ପରା କେତେ ଶାସ୍ତ୍ର, ଦାଣ୍ଡି ରାମାୟଣ ଇତ୍ୟାଦି ଗ୍ରନ୍ଥ ଲେଖିଛି l ତାର ପୁରସ୍କାର କଅଣ ଏ ବଳିଆ ଦାସ ତୁମର ଦର୍ଶନ ନପାଇ ଏଇ ସମଗରା ପାଟରେ ପଡ଼ି ମରିବ l ଦାସେଙ୍କ ଆକୁଳ ମିନତି ଭାବବିନୋଦିଆଙ୍କ କର୍ଣ୍ଣକୁହରରେ ବାଜିଲା l ମହାପ୍ରଭୁ ବଳିଆ ଦାସକୁ ଦର୍ଶନ ଦେବାକୁ ତରଭର ହୋଇ ବାହାରିପଡ଼ିଲେ l ସଙ୍ଗରେ ଯିବାପାଇଁ ମାଆ ଲକ୍ଷ୍ମୀ ମଧ୍ୟ ବାହାରି ପଡ଼ିଲେ l ଗରୁଡ଼ ପୃଷ୍ଠରେ ବସି ଦୁହେଁ ଯାଇ ପହଞ୍ଚିଲେ ଏରବଙ୍ଗ ବଳିଆ ମଠରେ l ବଳରାମଙ୍କ ପାଖରେ ପହଞ୍ଚି ପ୍ରଭୁ କହିଲେ,”ଦେଖ ବଳରାମ ତୁମେ ଡାକିଲ, ଆଉ ଆମେ ଆସିଗଲୁ” l ବଳରାମ ଅଭିମାନଭରା କଣ୍ଠରେ କହିଲେ କେଉଁଥି ପାଇଁ ଆସିଲେ ପ୍ରଭୁ, କଣ ଅଭିଶାପ କେମିତି କାମ ଦେଇଛି ତାହା ଦେଖିବାପାଇଁ l ଏଥିରେ ମହାଲକ୍ଷ୍ମୀ ବ୍ୟଥିତ ହୋଇ କହି ପକାଇଲେ ନାଁ ନାଁରେ ବଳିଆ, ମାଆ କ’ଣ ପୁଅକୁ କେବେ ଅଭିଶାପ ଦେଇପାରେ l କଥାରେ ଅଛି ପରା, “ମାଆଗାଳି ଦାଣ୍ଡଧୂଳି” l ଦୂର୍ ଅଝଟିଆ ଟା l ତୁ ପରା ଲକ୍ଷ୍ମୀପୁରାଣ ଲେଖି ମୋର କେତେ ମହିମା ବଖାଣିଛୁ l ନାରୀ ଜାତିକୁ କେତେ ଉଚ୍ଚ ଆସନରେ ବସାଇଛୁ l ଅସ୍ପୃଶ୍ୟତା ବିରୁଦ୍ଧରେ ସମାଜକୁ ବାର୍ତ୍ତା ଦେଇଛୁ l ସୁଦଶା ବ୍ରତ ତ ତୋ’ରି ଭିଆଣ l ତୁ ପରା ବଡ଼ ଭାଇ ବଳରାମଙ୍କ ମୁଖରେ ପୁଣି କୁହାଇଛୁ :-
ଆହୁରି କଥାଏ ଶୁଣ ଜଗନ୍ନାଥ ଭାଇ l
ଲକ୍ଷ୍ମୀ ବଡ଼ବୋଲି ଏବେ ଜାଣିଲଇଁ ମୁହିଁ ll
ଏତକ କହି ମାଆ ତାଙ୍କୁ ଚାହିଁଛନ୍ତି, ବଳରାମ ଦାସ କହିଲେ,” କି ଲୋ କାଣୀ ! ଏବେ କଅଣ ହେଲା !! ଅଭିଶାପ ଦେଇଥିଲୁନା ମୁଁ କ୍ଷେତ୍ର ଲାଭକରି ପାରିବି ନାହିଁ l ଏଇଟା କ୍ଷେତ୍ର ନୁହେଁ କି? ଲକ୍ଷ୍ମୀ ନାରାୟଣ ଯେଉଁଠି ବିରାଜ ମାନ, ସିଏ କ୍ଷେତ୍ର ନୁହେଁ ତ ଆଉ କଅଣ?” ମା’ ଲକ୍ଷ୍ମୀ ଓ ମହାପ୍ରଭୁ ଠିଆ ହୋଇଛନ୍ତି ଦାସେ ମୁରୁକି ମୁରୁକି ହସି ହସ୍ତ ଯୋଡ଼ୁଯୋଡ଼ୁ ଚକ୍ଷୁ ମୁଦ୍ରିତ କଲେ l ସଞ୍ଜ ନଇଁଆସିଥିଲା,ଉପସ୍ଥିତ ଭକ୍ତ ସମାଜଙ୍କ ମଧ୍ୟରେ ଗୁଞ୍ଜରିତ ହେଉଥିଲା:-
ଧନ୍ୟ ଧନ୍ୟ ଧନ୍ୟ ତୁମେ ଭକ୍ତ ଶିରୋମଣି l
ଯାରେ ବଶ ସ୍ଵୟଂ ନାରାୟଣ ନାରାୟଣୀ ll
🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.