ଭଦ୍ରକ‌: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ ବିବାଦ ତେଜିଲା

ଖର୍ଚ୍ଚ ହିସାବ ମାଗି ଉପାଧ୍ୟକ୍ଷାଙ୍କ ରୁମ୍‌ରେ ତାଲା ପକାଇଲେ ପୌରାଧ୍ୟକ୍ଷା

ଭଦ୍ରକ : ପୌରାଞ୍ଚଳରେ ଉନ୍ନୟନମୂଳକ କାମକୁ ନେଇ ଭଦ୍ରକ ପୌରାଧ୍ୟକ୍ଷା ଓ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି। ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ଦରମା ବନ୍ଦ ପାଇଁ ଗତକାଲି ପୌରାଧ୍ୟକ୍ଷା ଗୁଲମକି ଦଲୱାଜି ହବିବି ଜିଲ୍ଲାପାଳ ଓ ଟ୍ରେଜେରି ଅଫିସରଙ୍କୁ ଚିଠି ଲେଖିଥିଲେ। ଏହି ବିବାଦ ଆଜି ପୁଣି ଭିନ୍ନମୋଡ଼ ନେଇଛି। ପୌର ଉପାଧ୍ୟକ୍ଷାଙ୍କ ରୁମ୍‌ର ମରାମତି ଚାଲିଥିବା କାମର ହିସାବ ମାଗି ପୌରାଧ୍ୟକ୍ଷା ଉକ୍ତ ଘରେ ତାଲା ପକାଇ ଦେଇଛନ୍ତି।

ପୌରାଧ୍ୟକ୍ଷା ଗୁଲମକିଙ୍କ ଅଭିଯୋଗ ଅନୁଯାୟୀ, ପୌରପାଳିକାର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ, ଆୟବ୍ୟୟ, ଅନୁଦାନ, କାର୍ଯ୍ୟାଦେଶ ଆଦି ସଂପର୍କରେ ତାଙ୍କୁ ଅବଗତ କରାଯିବା କଥା। ମାତ୍ର ସେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିବାରୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶାସକ ଦଳର ପ୍ରରୋଚନାରେ ପଡ଼ି ତାଙ୍କୁ ସବୁକ୍ଷେତ୍ରରେ ଅଣଦେଖା କରୁଛନ୍ତି। ଏପରିକି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କୁ ବିରୋଧ କରାଯାଉଛି। ଯେଉଁଥିପାଇଁ ସେ ତାଙ୍କ କ୍ଷମତା ପ୍ରୟୋଗ କରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଟ୍ରେଜେରି ଅଧିକାରୀଙ୍କୁ ଚିଠି ଲେଖିଥିବା କହିଛନ୍ତି।

ଏହି ଘଟଣାକୁ ନେଇ ସୃଷ୍ଟ ବିବାଦ ଥମି ନଥିବାବେଳେ ଆଜି ପୌରାଧ୍ୟକ୍ଷା ଗୁଲମକି ଆଉ ପାଦେ ଆଗେଇ ଯାଇ ପୌର କାର୍ଯ୍ୟାଳୟ ପରିସରରେ ଥିବା ଉପ‌ାଧ୍ୟକ୍ଷା ଅଞ୍ଜୁବାଳା‌ ଜେନାଙ୍କ ପ୍ରକୋଷ୍ଠରେ ତାଲା ପକାଇ ଦେଇଛନ୍ତି। ଉପାଧ୍ୟକ୍ଷାଙ୍କ ରୁମ୍‌ରେ‌ ମରାମତି କାର୍ଯ୍ୟ ପାଇଁ ଯେଉଁ ଟଙ୍କା ଖର୍ଚ୍ଚ ହେଉଛି, ସେ ବାବଦ ଅନୁଦାନ କେଉଁଠୁ ଆସିଛି; ତାର ପୂରା ହିସାବ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଗିଥିଲେ। ମାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ସେ ନିଜେ ଯାଇ ଉପାଧ୍ୟକ୍ଷାଙ୍କ ରୁମ୍‌ରେ କାମ ବନ୍ଦ କରିବା ସହ ସେଠାରେ ତାଲା ପକାଇ ଦେଇଥିଲେ ବୋଲି ପୌରାଧ୍ୟକ୍ଷା କହିଛନ୍ତି।
ତେବେ, ଜିଲ୍ଲାପାଳ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ପୌରାଧ୍ୟକ୍ଷା ତାଲା ଖୋଲିଥିବା ଜଣାପଡ଼ିଛି।

Comments are closed.