ବେତନ ବୃଦ୍ଧିକୁ ଖାଇଯିବ ଦରଦାମ୍‌, ଭାରତରେ କର୍ମଚାରୀ ଲାଭରେ ରହିବେ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ବର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଏକ ମୁଖ୍ୟ ସମସ୍ୟା ପାଲଟିଛି। ମୁଦ୍ରାସ୍ଫୀତି ଏତେ ଅଧିକ ରହିଛି ଯେ ଦରମା ବଢ଼ିଲେ ମଧ୍ୟ କର୍ମଚାରୀମାନେ ତାହାର କୌଣସି ସୁଫଳ ପାଉନାହାନ୍ତି।

ତେବେ ଏକ ସର୍ଭେରୁ ଜଣାଯାଇଛି ଯେ ବିଶ୍ବରେ ୩୭ ପ୍ରତିଶତ ଦେଶର ଲୋକମାନେ ସେମାନଙ୍କ ବେତନ ବୃଦ୍ଧିର ବାସ୍ତବ ଲାଭ ପାଇବେ। କିନ୍ତୁ ସବୁଠୁ ଅଧିକ ପ୍ରଭାବିତ ୟୁରୋପର ଲୋକମାନେ ହେବେ। ଦରମାରେ ହେଉଥିବା ବୃଦ୍ଧିରୁ ମୁଦ୍ରାସ୍ଫୀତି ହାରକୁ ବାଦ ଦେଲେ ବାସ୍ତବ ବୃଦ୍ଧି ମିଳିଥାଏ। ଏଠାରେ ବାସ୍ତବ ବେତନ ବୃଦ୍ଧିରେ ହାରାହାରି ୧.୫ ପ୍ରତିଶତ ହ୍ରାସ ଦେଖାଦେବ ବୋଲି ଓ୍ପାର୍କଫୋର୍ସ କନସଲଟାନ୍ସି ଇସିଏ ଇଣ୍ଟରନ୍ୟାସନାଲ ପକ୍ଷରୁ କୁହାଯାଇଛି।
ବ୍ରିଟେନର କର୍ମଚାରୀମାନେ ଚଳିତବର୍ଷ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। କର୍ମଚାରୀଙ୍କ ଦରମାରେ ହାରାହାରି ୩.୫ ପ୍ରତିଶତ ବୃଦ୍ଧି ହୋଇଥିଲେ ମଧ୍ୟ ବାସ୍ତବ ମୂଲ୍ୟରେ ଦେଖିଲେ ତାହା ୫.୬ ପ୍ରତିଶତ ହ୍ରାସ ଘଟିଛି। ଏହାର କାରଣ ହେଲା ସେଠାରେ ହାରାହାରି ମୁଦ୍ରାସ୍ଫୀତି ୯.୧ ପ୍ରତିଶତ ରହିଛି। ୨୦୨୩ରେ ମଧ୍ୟ ସେମାନଙ୍କ ବାସ୍ତବ ଆୟ ୪ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି।

ଆମେରିକାରେ କିନ୍ତୁ ଚଳିତବର୍ଷ ବାସ୍ତବ ବେତନରେ ଦେଖାଦେଇଥିବା ୪.୫ ପ୍ରତିଶତ ହ୍ରାସ ସ୍ଥିତିରେ ଆସନ୍ତାବର୍ଷ ସୁଧାର ଆସିବ। କାରଣ ସେଠାରେ ମୁଦ୍ରାସ୍ଫୀତି ଆଗକୁ ହ୍ରାସ ପାଇବ। ସେମାନଙ୍କ ବାସ୍ତବ ଦରମା ୧ ପ୍ରତିଶତ ବୃଦ୍ଧି ଘଟିବ।

ଭାରତ ସମେତ କେତେକ ଏସୀୟ ଦେଶର ଲୋକଙ୍କ ସ୍ଥିତି ଭଲ ରହିବ। ବିଶ୍ବରେ ଯେଉଁ ୧୦ଟି ଦେଶର କର୍ମଚାରୀଙ୍କ ବାସ୍ତବ ଆୟ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ସେଥିରେ ଏସିଆର ୮ଟି ଦେଶ ରହିଛନ୍ତି। ଭାରତୀୟମାନଙ୍କ ବାସ୍ତବ ଆୟ ସର୍ବାଧିକ ୪.୬ ପ୍ରତିଶତ , ଭିଏତନାମ ଲୋକଙ୍କ ବାସ୍ତବ ଆୟ ୪ ପ୍ରତିଶତ, ଚୀନ ଲୋକଙ୍କ ବାସ୍ତବ ଆୟ ୩.୮ ପ୍ରତିଶତ ବୃଦ୍ଧି ଘଟିବ। ବ୍ରାଜିଲବାସୀଙ୍କ ବାସ୍ତବ ଆୟ ୩.୪ ପ୍ରତିଶତ, ସାଉଦି ଆରବ ଲୋକଙ୍କର ୨.୩ ପ୍ରତିଶତ ବୃଦ୍ଧି ଘଟିବ।

ଇସିଏ ଇଣ୍ଟରନ୍ୟାସନାଲର ଆଞ୍ଚଳିକ ନିର୍ଦ୍ଦେଶକ (ଏସିଆ) ଲି କ୍ବେନ କହିଛନ୍ତି, ବିଶ୍ବରେ କର୍ମଚାରୀମାନେ ୨୦୨୩ରେ ମଧ୍ୟ କଷ୍ଟକର ପରିସ୍ଥିତି ଦେଇ ଗତି କରିବେ। ସର୍ଭେ ହୋଇଥିବା ଦେଶଗୁଡ଼ିକ ମଧ୍ୟରୁ କେବଳ ଏକ ତୃତୀୟାଂଶ ଦେଶର କର୍ମଚାରୀଙ୍କ ବାସ୍ତବ ଦରମାରେ ବୃଦ୍ଧି ହେବ। ତେବେ ଚଳିତବର୍ଷ ଏହା ୨୨ ପ୍ରତିଶତ ରହିଥିବାରୁ ୨୦୨୩ ଅପେକ୍ଷାକୃତ ଭଲ ରହିବ। ୨୦୨୨ରେ ହାରାହାରି ବେତନ ୩.୮ ପ୍ରତିଶତ ହ୍ରାସ ଘଟିଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ୬୮ଟି ଦେଶ ଏବଂ ସହରରେ ଥିବା ୩୬୦ରୁ ଅଧିକ ବହୁଦେଶୀୟ କମ୍ପାନିଙ୍କ ଠାରୁ ସଂଗୃହୀତ ତଥ୍ୟ ଆଧାରରେ ଉକ୍ତ ସର୍ଭେର ନିଷ୍କର୍ସ ମିଳିଛି।

Comments are closed.