ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟରୁ ଭାରତର ଅଭିଯାନ

ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪-୩ରେ ହରାଇଲା

ଭୁବନେଶ୍ବର: ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସଠାରେ ଆରମ୍ଭ ହୋଇଛି। ଉତ୍କଣ୍ଠାପୂର୍ଣ୍ଣ ଉଦ୍‌ଘାଟନୀ ମୁକାବିଲା‌ରେ ଭାରତ ୪-୩ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଜୟରୁ ପ୍ରୋ ଲିଗ୍‌ ଅଭିଯାନ ଆରମ୍ଭ କରିଛି। ଭାରତ ପକ୍ଷରୁ ମନଦୀପ ସିଂହ (୫୧, ୫୬ ମିନିଟ୍‌) ଦୁଇଟି ଏବଂ ମନଦୀପ ମୋର (୧୩ ମିନିଟ୍‌) ଓ ଅଧିନାୟକ ହର୍ମନପ୍ରୀତ ସିଂହ (୪୧ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ନ୍ୟୁଜିଲାଣ୍ଡର ସାମ୍‌ ଲେନ୍‌ (୨୨, ୩୫ ମିନିଟ୍‌) ଦୁଇଟି ଏବଂ ଜେକ୍‌ ସ୍ମିଥ୍‌ (୩୪ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ମନଦୀପ ସିଂହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତାଙ୍କୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ‌ଏହି ପୁରସ୍କାର ପ୍ରଦାନ କରିଥିଲେ। ଶନିବାର ସ୍ପେନ୍‌ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ।

ଘରୋଇ ପଡ଼ିଆରେ ଖେଳୁଥିବା ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା। ୧୪ତମ ମିନିଟ୍‌ରେ ମନଦୀପ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହି ଗୋଲ୍‌ ବଳରେ ଭାରତ ୧-୦‌ରେ ପ୍ରଥମ କ୍ବାର୍ଟର ଶେଷ କରିଥିଲା। ଦ୍ବିତୀୟ କ୍ବାର୍ଟରରେ ଘରୋଇ ଦଳ ଟିକେ ଧିମା ପଡ଼ି ଯାଇଥିଲା। ଏହାର ସୁଯୋଗ ନେଇ ନ୍ୟୁଜିଲାଣ୍ଡ ଦ୍ବିତୀୟ କ୍ବାର୍ଟରରେ ସ୍ଥିତି ସମାନ କରିଦେଇଥିଲା। ୨୩ତମ ମିନିଟ୍‌ରେ ନ୍ୟୁଜିଲାଣ୍ଡକୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ସାମ ଲାନ୍‌ ସଫଳତାର ସହ ଭାରତୀୟ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଏହି ଗୋଲ୍‌ଟି ଶୁଝି ଦେଇଥିଲେ। ପ୍ରଥମାର୍ଦ୍ଧ ୧-୧ ସମାନ ସ୍ଥିତିରେ ରହିବା ପରେ ନ୍ୟୁଜିଲାଣ୍ଡ ତୃତୀୟ କ୍ବାର୍ଟରରେ ପୂରା ଜୋସ୍‌ ନେଇ ପଡ଼ିଆକୁ ଓହ୍ଲାଇଥିଲା। ୩୫ତମ ମିନିଟ୍‌ରେ ଜାକ୍‌ ସ୍ମିଥ୍‌ ଫିଲ୍ଡ ଗୋଲ୍‌ ଜରିଆରେ ଭ୍ରମଣକାରୀ ଦଳକୁ ଆଗୁଆ କରିଥିଲେ। ଏହାର ଗୋଟିଏ ମିନିଟ୍‌ ପରେ ନ୍ୟୁଜିଲାଣ୍ଡ ପେନାଲ୍ଟି କର୍ଣ୍ଣର ଅର୍ଜନ କରିନେଇଥି‌ଲା। ଏହାକୁ ସାମ ଲାନ୍‌ (୩୬ ମିନିଟ୍‌) ଗୋଲ୍‌ରେ ପରିଣିତ କରି ଯୁଗଳ ସଫଳତା ସହ ଦଳକୁ ୩-୧ରେ ଆଗୁଆ ରଖିଥିଲେ। ଏହାପରେ ଅନେକ ପେନାଲ୍‌ଟି କର୍ଣ୍ଣର ନ୍ୟୁଜିଲାଣ୍ଡ ପାଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସବୁଗୁଡ଼ିକ ନିଷ୍ଫଳ କରି ଆଉ ସୁଯୋଗ ଦେଇନଥିଲେ। ତେବେ ୪୨ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି ସୁଟ୍‌କୁ ଅଧିନାୟକ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ବ୍ୟବଧାନ ୨-୩କୁ କମାଇଥିଲେ। ତଥାପି ପଛୁଆ ଥିବା ଭାରତ ଚତୁର୍ଥ କ୍ବାର୍ଟରରେ ପ୍ରତ୍ୟାବର୍ତ୍ତନ କରିଥିଲା। ୫୨ତମ ମିନିଟ୍‌ରେ ମନଦୀପ ମୋରଙ୍କ ପାସ୍‌କୁ ନ୍ୟୁଜିଲାଣ୍ଡର ୩ ଜଣ ରକ୍ଷଣଭାଗଙ୍କୁ ଚକ୍‌ମା ଦେଇ ମନଦୀପ ସିଂହ ‌ଗୋଲ୍‌ ଲଦି ଦେଇଥିଲେ। ଏଥି ସହିତ ସ୍ଥିତି ୩-୩ ହୋଇଯାଇଥିଲା। ୫୬ତମ ମିନିଟ୍‌ରେ ମନଦୀପ ସିଂହ ଆଉ ଏକ ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ବିଜୟ ଦିଗରେ ନେଇଯାଇଥିଲେ। ‌ହେଲେ ଶେଷ ୩୬ ସେକେଣ୍ଡରେ ନ୍ୟୁଜିଲାଣ୍ଡ ଲଗାତାର ୩ ପେନାଲ୍ଟି କର୍ଣ୍ଣର ଲାଭ କରିଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ଏସବୁ ଅଟକାଇ ବିଜୟ ନିଶ୍ଚିତ କରିଥିଲେ।

ନୀଲମ ବସିଲେ, ଅମିତ ଖେଳିଲେ

କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଲାଗି ଭାରତର ୨୨ ଜଣିଆ ଦଳରେ ଓଡ଼ିଶାରୁ ୨ ଜଣ ଅମିତ ରୋହିଦାସ ଏବଂ ନୀଲମ ସଂଜୀବ ଖେସ ସ୍ଥାନ ପାଇଥିଲେ। ହେଲେ ମ୍ୟାଚ୍‌ ଖେଳିବା ପାଇଁ ୧୮ ଜଣିଆ ଦଳରେ‌ କେବଳ ଅମିତ ସ୍ଥାନ ପାଇଥିଲା ବେଳେ ନୀଲମଙ୍କୁ ବାହାରେ ବସିବାକୁ ପଡ଼ିଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ଅମିତ ନଥିବାରୁ ମ୍ୟାଚ୍‌ ଆରମ୍ଭରୁ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳିନଥିଲା। ଦୁଇ ସ୍ଥାନୀୟ ଖେଳାଳିଙ୍କୁ ନ ଦେଖି ଦର୍ଶକ ଟିକେ ନିରାଶ ହୋଇଥିଲେ। ‌ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଅମିତ ପଡ଼ିଆରେ ବଦଳ ଖେଳାଳି ଭାବେ ପ୍ରବେଶ କରିବାରୁ ଦର୍ଶକ କିଛିଟା ଖୁସି ହୋଇଥିଲେ।

ସମ୍ମାନିତ ହେଲେ ହର୍ମନପ୍ରୀତ

ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ହର୍ମନପ୍ରୀତ ‌ସିଂହଙ୍କୁ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ହକି ପ୍ରୋ ଲିଗ୍‌ ମ୍ୟାଚ୍‌ ଅବସରରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ୩୦୦୦ ଡଲାର ପୁରସ୍କାର ରାଶିର ଚେକ୍‌ ପ୍ରଦାନ କରିଥିଲେ ହକି ଇଣ୍ଡିଆ ସଭାପତି ଦିଲିପ ତିର୍କି। ଏଫ୍‌ଆଇଏଚ୍‌ ପୁରୁଷ ହକି ପ୍ରୋ ଲିଗ୍‌ ୨୦୨୧-୨୨ ସଂସ୍କରଣରେ ସେ ସର୍ବାଧିକ ଗୋଲ୍‌ ସ୍କୋରର୍‌ ଥିଲେ। ଏହି ୨୫ ବର୍ଷୀୟ ଡ୍ରାଗ୍‌ଫ୍ଲିକର ଗତ ସଂସ୍କରଣରେ ୧୬ ମ୍ୟାଚ୍‌ ଖେଳି ୧୪ ପେନାଲ୍‌ଟି ‌କର୍ଣ୍ଣର ସହ ମୋଟ ୧୮ ଗୋଲ୍‌‌ ଦେଇଥିଲେ।

ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରୁ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଚତୁର୍ଥ ସଂସ୍କରଣ ଶୁକ୍ରବାରଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ ଖେଳାଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ଉଭୟ ଦଳର ଜାତୀୟ ସଙ୍ଗୀତ ଗାନ ବେଳେ ‌ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କ ସହ ପଡ଼ିଆ ମଧ୍ୟରେ ଠିଆ ହୋଇଥିଲେ। ଏହାପରେ ଆତସବାଜି ସହ ଭୁବନେଶ୍ବରରେ ପ୍ରୋ ଲିଗ୍‌ ହକି ପ୍ରତିଯୋଗିତାର ବଲ୍‌ ଗଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଅନ୍ୟ ଅତିଥି ଭାବେ ପଡ଼ିଆରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସିଇଓ ଏଲିନା ନର୍ମାନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ।

Comments are closed.