ବେଙ୍ଗାଲୁରୁରୁ ଗିରଫ ହେଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମୁମ୍ବାଇ ବ୍ୟକ୍ତି

ନୂଆଦିଲ୍ଲୀ: ନଭେମ୍ବର ମାସରେ ଏୟାର୍‌ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଥାଇ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରା ନାମକ ମୁମ୍ବାଇବାସୀଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି ଦିଲ୍ଲୀ ଆଣିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍‌ ଆଉଟ୍‌ ନୋଟିସ୍‌’ ବା ‘ଏୟାର୍‌ପୋର୍ଟ ଆଲର୍ଟ’ ଜାରି କରାଯାଇଥିଲା। ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍‌ ମୁତୟନ କରିଥିଲା।

ପୁଲିସସୂତ୍ରରୁ ପ୍ରକାଶ, ଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସବୁ ଚଳାଉ ଥିଲେ। ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା।

ଅନ୍ୟୂନ ଗୋଟିଏ ଜାଗାରେ ୩୪ ବର୍ଷିୟ ମିଶ୍ରା ତାଙ୍କର କ୍ରେଡିଟ୍‌ କାର୍ଡ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଥିଲା।

ଗିରଫଦାରି ଏଡ଼ାଇବା ଲାଗି ଶଙ୍କର ମିଶ୍ରା ସବୁବେଳେ ସ୍ଥାନ ପରିବର୍ତ୍ତନ କରୁଥିଲେ। ମୁମ୍ବାଇ ଓ ବେଙ୍ଗାଲୁରୁରେ ମିଶ୍ରାଙ୍କର ଅଫିସ ଥିବାରୁ ସେଠାକୁ ସେ ସବୁବେଳେ ଯାତାୟାତ କରୁଥିଲେ। ତେଣୁ, ଦିଲ୍ଲୀ ପୁଲିସ ଉଭୟ ସହରରେ ଚଢ଼ାଉ କରିଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନରେ ଶଙ୍କର ‘ବିଜ୍‌ନେସ୍‌ କ୍ଲାସ୍‌’ରେ ଯାତ୍ରାରତ ଜଣେ ବୟୋଜ୍ୟେଷ୍ଠା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ସ୍ତ୍ରୀ ଓ ପିଲା ଅସୁବିଧାରେ ପଡ଼ିବେ ଜଣାଇ ପୁଲିସରେ ଅଭିଯୋଗ ନ କରିବା ଲାଗି ପରେ ସେ ଉକ୍ତ ମହିଳାଙ୍କ ନିକଟରେ କ୍ଷମାଭିକ୍ଷା କରିଥିଲେ।

ବିମାନର ପରିଚାରକମାନେ ବି ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆପୋସ ବୁଝାମଣା କରାଇବାକୁ ଉଦ୍ୟମ କରିଥିଲେ ବୋଲି ଉକ୍ତ ମହିଳା ଯାତ୍ରୀ କହିଥିଲେ। ଶେଷରେ, ପୀଡ଼ିତା ମହିଳାଜଣକ ‘ଟାଟା ଗ୍ରୁପ୍‌’ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଅଭିଯୋଗ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା।

Comments are closed.