ବନ କର୍ମଚାରୀଙ୍କ ହାତରେ ଏକେ-୪୭: ଜଗିବେ ଶିମିଳିପାଳ

ବାରିପଦା: ଶିମିଳିପାଳ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଗତବର୍ଷ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀ ଟଳି ପଡ଼ିବା ପରେ ଶିମିଳିପାଳ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା, ଯାହା ଏଯାଏ ବଳବତ୍ତର ରହିଛି। ତେବେ ଅଭୟାରଣ୍ୟ ଜଗିବା ଓ ଜୀବଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରରେ ପୁଲିସ ଅପେକ୍ଷା ବନ କର୍ମଚାରୀ ଅଧିକ ପାରଙ୍ଗମ ହୋଇଥିବାରୁ ସେମାନଙ୍କ ହାତକୁ ବଳ ଦେବାପାଇଁ ଚାଲିଛି ପ୍ରୟାସ। ପୂର୍ବରୁ ସେମାନେ ହାତରେ ଲାଠିଖଣ୍ଡେ ଧରି ଜଙ୍ଗଲ ଜଗୁଥିଲେ ଓ ବନ୍ଧୁକଧାରୀ ଶିକାରୀଙ୍କ ହାବୁଡ଼ରେ ପଡ଼ିଲେ ନିରୁପାୟ ହୋଇ ହାତ ଟେକି ଦେଉଥିଲେ। ଯିଏ ଶିକାରିଙ୍କ ବାଟ ଓଗାଳୁଥିଲା ସେ ଗୁଳି ଖାଉଥିଲା। ଏହି ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିର ମୁକାବିଲା ପାଇଁ ଏବେ ବନ କର୍ମଚାରୀଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଦେବାକୁ ନିଷ୍ପତି ହୋଇଛି। ଏଥିପାଇଁ ଜିଲ୍ଲାର କିଛି ବଛା ବଛା ବନ କର୍ମଚାରୀଙ୍କୁ ଖୁଣ୍ଟା ଥାନା ଅଧୀନ ବଣିଆବସାସ୍ଥିତ ପୁଲିସ ଟେଷ୍ଟିଂ ରେଞ୍ଜରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ଦିଆଯାଉଛି।
ଏଠାରେ ଅତ୍ୟାଧୁନିକ ଇନସାସ୍ ରାଇଫଲ୍, ଏକେ-୪୭ ଓ ନାଇନ୍‌ ଏମ୍‌ଏମ୍‌ ପିସ୍ତଲ ଚାଳନା ଶିଖୁଛନ୍ତି କର୍ମଚାରୀ। ବାରିପଦା, ଉଦଳା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରୁ ଆସିଥିବା ଏହି କର୍ମଚାରୀଙ୍କୁ ପରବର୍ତ୍ତୀ ସମୟରେ ମୋଟ ୩ ଶହ ବନ୍ଧୁକ ପ୍ରଦାନ କରାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନାନୀ ସୂଚନା ଦେଇଛନ୍ତି। ୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଭୟାରଣ୍ୟର କୋର୍‌ ଏରିଆ ୫ଶହ ବର୍ଗ କିମିରୁ ବି କମ୍‌। ମୁଖ୍ୟତଃ ଏହି ଅଞ୍ଚଳରେ ହିଁ ଅଧିକାଂଶ ବନ୍ୟପ୍ରାଣୀ ରହିଥାନ୍ତି ଓ ଏହାରି ଉପରେ ଲଗାତର ଶିକାରଙ୍କ ନଜର ରହୁଛି। ତେଣୁ ଏହି ପ୍ରଶିକ୍ଷିତ ବନ୍ଧୁକଧାରୀ ବନ କର୍ମଚାରୀମାନେ ଏସ୍‌ଟିପିଏଫ୍‌ର ୬ଟି ଟିମ୍‌ରେ ଭାଗ ହୋଇ କୋର୍‌ ଏରିଆ ଓ ଏହାର ପ୍ର‌ବେଶପଥକୁ ଜଗି‌ବେ ବୋଲି କହିଛନ୍ତି କର୍ତୃପକ୍ଷ।

Comments are closed.