ଭୁବନେଶ୍ୱର : ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରିବେ ନାହିଁ ଶିଶୁ। ଟ୍ରାଫିକ୍ ଛକ ହେଉ ଅବା ରାସ୍ତାକଡ଼ ଶିଶିମାନଙ୍କୁ ଭିକ୍ଷା ବୃତ୍ତି କରିବାକୁ ଦିଆଯିବନାହିଁ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ OSCPCR ଜାରିକଲା ନିର୍ଦ୍ଦେଶନାମା। ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଏନେଇ ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ ଅଧୀକ୍ଷକ ଏବଂ ପୌରପାଳିକା କମିଶନରଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଶିଶୁ ଭିକ୍ଷାବୃତ୍ତି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କ ଫୋର୍ସ’ ଗଠନ କରାଯିବ। ଏହି ଟିମ୍ ରେ ପୋଲିସ ଅଧୀକ୍ଷକ, ପୌର କମିଶନର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ DCPO ଏବଂ ଶ୍ରମ ଅଧିକାରୀ ପ୍ରମୁଖ ସଦସ୍ୟ ରହିବେ।
ଏହି ଟାସ୍କ ଫୋର୍ସ ନିୟମିତ ଭାବେ ଚଢ଼ାଉ କରି ଭିକ୍ଷାବୃତ୍ତିରେ ନିୟୋଜିତ ଶିଶୁମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଥଇଥାନ ପାଇଁ ବ୍ୟବସ୍ଥା କରିବେ। ଉଦ୍ଧାର ଶିଶୁମାନଙ୍କୁ ଶିଶୁ ମଙ୍ଗଳ କମିଟି CWC ନିକଟରେ ହାଜର କରାଯାଇ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯିବ। ସେଠାରେ ସେମାନଙ୍କୁ ମାଗଣା ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାଉନସେଲିଂ ପ୍ରଦାନ କରାଯିବ। ଯେଉଁ ବ୍ୟକ୍ତି ବା ଗୋଷ୍ଠୀ ଶିଶୁମାନଙ୍କୁ ଜବରଦସ୍ତି ଭିକ୍ଷାବୃତ୍ତିରେ ନିୟୋଜିତ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶିଶୁ ଚୋରା ଚାଲାଣ ଏବଂ ଶୋଷଣ ଉପରେ ନଜର ରଖିବାକୁ ପୋଲିସର IUCAW ଏବଂ AHTU ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବସାଧାରଣଙ୍କୁ ଶିଶୁ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ ନ କରିବା ପାଇଁ ସଚେତନତା ସୃଷ୍ଟି କରାଯିବ।
Comments are closed.