ବାମନାବତାର

ଅର୍ଜୁନୀ ଚରଣ ବେହେରା

ଭକ୍ତ ପ୍ରହଲ୍ଲାଦ ପୌତ୍ର ବିରୋଚନ ସୂତ l
ଶୁକ୍ରାଚାର୍ଯ୍ୟ ବାକ୍ୟେ ହୋଇ ଅତି ମଦମତ୍ତ ll
ଶହେ ଗୋଟି ଅଶ୍ୱମେଧ ଯଜ୍ଞ ଆଚରିଲା l
ଅତି ମାନ୍ୟେ ବଳି ଇନ୍ଦ୍ର ପଦକୁ ଲଭିଲା ll
ଉଦ୍ଧତତା ନୁହେଁ କେବେ ପୁରୁଷ ପୌରୁଷ l
ବଳି ମର୍ଦ୍ଧନ ପାଞ୍ଚିଲେ ପ୍ରଭୁ ହୃଷୀକେଶ ll
ବୈକୁଣ୍ଠ ତେଜିଲେ ପ୍ରୂଭୁ ବୈକୁଣ୍ଠବିହାରୀ l
ବାମନ ରୂପେ ଆସିଲେ ଧରା ଅବତରି ll
ବଳି ଦ୍ୱାରେ ବ୍ରହ୍ମଚାରୀ ଧରି ଭିକ୍ଷା ଥାଳି l
ବୋଇଲେ ହେ ଦାନଦିଅ ଦାନବୀର ବଳି ll
ତିନି ପାଦ ଭୂମି ମାତ୍ର ମାଗୁ ଅଛି ଦାନ l
ଆନ ସମ୍ପଦେ ମୋହର ନାହିଁ ପ୍ରୟୋଜନ ll
ସତ୍ୟକଲା ବଳି ଦାନ ଶଙ୍ଖେ ଟେକି ପାଣି l
ଧନ୍ୟ ସତ୍ୟସନ୍ଧ ବଳି ଧନ୍ୟ ମହାଦାନୀ ll
ଏକ ପାଦେ ପ୍ରଭୁ ମାପି ନେଲେ ଭୂମଣ୍ଡଳ l
ଦ୍ୱିତୀୟ ପାଦେ ପୁରିଲା ଅନ୍ତରୀକ୍ଷ ସ୍ଥଳ ll
ସର୍ବସ୍ବ ହରାଇ ବଳି ହୋଇ ଗଲା ନିସ୍ବ l
ତୃତୀୟ ପାଦକୁ ବଳି ଦେବ ଆଉ କିସ ll
ଶିର ପାତି ଦେଲା ବଳି ନିଅ ପ୍ରଭୁ ମାପି l
ତୃତୀୟେ ବଳିକୁ ଦେଲେ ସୁତଳକୁ ଚାପି ll
ପ୍ରଭୁଙ୍କୁ ମାଗିଲା ବଳି ଦେବା ହେଉ ବର l
ଦ୍ୱାରପାଳ ପଣେ ପ୍ରଭୁ ଥାଅ ମୋର ପୁର ll
ତଥାସ୍ତୁ ବୋଲିଣ ପ୍ରଭୁ ତହୁଁ ଚଳି କରି l
ସୁଦର୍ଶନ ଘେନି ହେଲେ ପାତାଳେ ପ୍ରହରୀ ll
ବୈକୁଣ୍ଠେ ଶ୍ରୀବିଷ୍ଣୁଙ୍କର ନାହିଁ ଉପସ୍ଥିତି l
ମହାଲକ୍ଷ୍ମୀଙ୍କ ହୋଇଲା ବିଚଳିତ ମତି ll
ନାରଦେ ଜିଜ୍ଞାସା କରି ଜାଣିଲେ ସମସ୍ତ l
ପାତାଳପୁରରେ ଲକ୍ଷ୍ମୀ ହେଲେ ଉପସ୍ଥିତ ll
ରାକ୍ଷୀ ବାନ୍ଧି ଭ୍ରାତୃ ପଣେ ବଳିରାଜା ବରି l
ବୈକୁଣ୍ଠ ପ୍ରତ୍ୟାଗମନ କଲେ ଘେନି ହରି ll
ରାକ୍ଷା ବନ୍ଧନର ପୌରାଣିକ କଥା ଏହି l
ଭଗୀନୀ ବାନ୍ଧଇ ରାକ୍ଷୀ ଭ୍ରାତୃସ୍ନେହ ବହି ll
ଦୁଷ୍ଟ ଦଳନ ନିମନ୍ତେ ଯୁଗେ ଯୁଗେ ହରି l
ଅବତରି ଥାନ୍ତି ନନା ରୂପେ ଏହି ପରି ll
ସତ୍ୟରେ ବଳିଗଞ୍ଜନ ପଞ୍ଚମାବତାରେ l
ବାମନାବତାର ଜୟ ଜଗଦୀଶ ହରେ ll
🙏🙏🙏
ଅର୍ଜୁନୀ
———–
ମୋ – 7693091971

Comments are closed.