ଆସୁଛନ୍ତି ମହାକାଳି

ଅର୍ଜୁନୀ ଚରଣ ବେହେରା

ଆସୁଛନ୍ତି ମହାକାଳି କରାଳ ଵଦନୀ l
ଶ୍ୟାମଅଙ୍ଗୀ ଜଗତର ତମ ବିନାଶିନୀ ll
ଚତୁର୍ଭୁଜା ଦୟାମୟୀ ବିପୁଳା ଦଶନୀ l
ଚଉଦ ଭୁବନେ ପୂଜ୍ୟା ଜଗତ ଜନନୀ ll
ସଙ୍କଟା ବିକଟା ମାତ ଦେବୀ ମହୋତ୍କଟା l
ଲହ ଲହ ଜିହ୍ଵା ତାଙ୍କ ସିନ୍ଦୁରର ଚିତା ll
ନୃମୁଣ୍ଡ ମାଳିନୀ ମାତା ହସ୍ତେ ଛିନ୍ନମୁଣ୍ଡ l
ପାପୀଙ୍କି ସଂହାରୀ କରିଥାନ୍ତି ଲଣ୍ଡଭଣ୍ଡ ll
ଉନ୍ମୁକ୍ତ ଜଘନା ଶିବାରୁଢ଼ା ଦିଗାମ୍ବରୀ l
ଶ୍ମଶାନବାସିନୀ ପୀନୋସ୍ତନୀ ଭୟଙ୍କରୀ ll
ବିକଟ ହାସିନୀ କଟିଦେଶେ ହସ୍ତ ମାଳା l
କରୁଣାମୟୀ ମାଆ ସେ ସନ୍ତାନ ବତ୍ସଳା ll
ଖଡ୍ଗ ଖର୍ପର ହସ୍ତରେ ତିନିନେତ୍ରେ ଜ୍ୟୋତି l
ଭୟପ୍ରଦ ଦେବୀ ପାପିଜନେ ଦ୍ୟନ୍ତି ଭୀତି ll
ମହାରୋୖଦ୍ରି ମୁକ୍ତକେଶୀ ଦକ୍ଷିଣ କାଳିକା l
ଯୋଗ୍ନିଗଣ ସଙ୍ଗେ ମାତ ମନ୍ଦାରମାଳିକା ll
ମହୀ ପ୍ରକମ୍ପିତ ହେବ କିଳି କିଳା ରବେ l
ଚଣ୍ଡୀ ଚାମୁଣ୍ଡାଙ୍କୁ ଧରି ବୁଲୁଥାନ୍ତି ସଙ୍ଗେ ll
ଚଉଦବ୍ରହ୍ମାଣ୍ଡେ ତା’ର ଅବାଧରେ ଗତି l
କରୁଣାମୟୀ ଜନନୀ ଜୀବଙ୍କର ମୁକ୍ତି ll
ଦୁଷ୍ଟସଂହାରଣେ ଦେବୀ ଅତୀବ କରାଳ l
ଗଳେ ତା’ର ଲମ୍ବି ଥାଇ ନରମୁଣ୍ଡ ମାଳ ll
କାର୍ତ୍ତିକ ଅମାବାସ୍ୟାରେ ତାଙ୍କ ଦିବ୍ୟପୂଜା l
ଜଗତରେ ବାଜିଲାଣି ଆଗମନୀ ବାଜା ll
ସିଦ୍ଧି ପ୍ରଦାୟିନୀ ପଦେ କରିବା ଦୟିନୀ l
ଦୟା ରଖିଥିବେ ନମସ୍ତୁତେ ନାରାୟଣୀ ll
🙏🙏🙏
ଅର୍ଜୁନୀ
——————
ଅର୍ଜୁନୀ ଚରଣ ବେହେରା
ମୋ -7692091971

Comments are closed.