ଶ୍ରୀବିଷ୍ଣୁଙ୍କ ବାରମାସର ନାମ

ଅର୍ଜୁନୀ ଚରଣ ବେହେରା

ମାର୍ଗଶୀର ମାସ ଦେହେ ଶୀତ ବାସ
ପ୍ରଭୁ ହେଲେ ଘୋଡ଼ ଲାଗି l
କେଶବଙ୍କୁ ଧ୍ୟାୟୀ ସୁଜ୍ଞ ବିଜ୍ଞ ଜନେ
ହୁଅ ପ୍ରଭୁ ଅନୁରାଗୀ ll
ପଉଷ ମାସରେ କମଳା ଚିନ୍ତନ୍ତି
ବୁଲିଯିବେ ବାପ ଘର l
ଶ୍ରୀନାରାୟଣଙ୍କୁ ଯାଚନା କରନ୍ତି
ତହିଁଙ୍କୁ ଦିଅ ସ୍ୱୀକାର ll
ମାଘ ମାସେ ବାଘ ଜାଡ଼ ପଡ଼ିଅଛି
ଥର ହର ହୁଏ ମହୀ l
ମାଧୋଇ ଧବ ସେ ମାଧବଙ୍କୁ ଚିନ୍ତ
ଚିତ୍ତ ପୟରେ ଲଗାଇ ll
ଅତି ରମଣୀୟ ମଧୁମୟ ମାସ
ଫାଲ୍ଗୁନ ଆସିଲା ଡେଇଁ l
ଗୋବିନ୍ଦଙ୍କୁ ଦୋଳେ ଦରଶନ କର
ପୁନର୍ଜନ୍ମ ହେବ ନାହିଁ ll
ଚଇତ୍ର ମାସରେ ଚଇତି ପରଵ
ନାଚିବ ଚଇତି ଘୋଡ଼ା l
ରାମ ଜନମିବେ ଶ୍ରୀବିଷ୍ଣୁ ସୁମର
ଆଉ କିସ ଭାଇ ଲୋଡ଼ା ll
ବଇଶାଖ ମାସେ ଶ୍ରୀମଧୁସୂଦନ
ମଧୁ କୈଟଭ ସଂହାରୀ l
ମାଡ଼ି ଆସେ ଖରା ତ୍ରସ୍ତ ହେବ ଧରା
ସୁମର ମଧୁ ମୁରାରୀ ll
ଜ୍ୟେଷ୍ଠ ମାସେ ପ୍ରଭୁ ତ୍ରିବିକ୍ରମ ରୂପ
ବଳିକୁ ମାୟାରେ ଛଳି l
ଚନ୍ଦନ ଚର୍ଚ୍ଚିତ ପ୍ରଭୁ ବାହାରିଲେ
ନରେନ୍ଦ୍ରରେ ଚାପ ଖେଳି ll
ଆଷାଢ଼େ ଆସିଲା ଗୁଣ୍ଡିଚା ଯାତରା
ରଥରେ କଳା ବାମନ l
ଭାବ ବିନୋଦିଆ ଏକାକାର ହେଲେ
ଭକ୍ତ ସଙ୍ଗେ ଭଗବାନ ll
ଶ୍ରାବଣେ ଶ୍ରୀଧର ଅମୃତ ଅଧର
ମହାପ୍ରଭୁ ଶିରିପତି l
ଘୋରବର୍ଷା କାଳେ ବସି ନୀଳାଚଳେ
ଭକ୍ତେ କରୁଣା ବାଣ୍ଟନ୍ତି ll
ଭାଦରବ ମାସେ ପ୍ରଭୁ ହୃଷିକେଶ
ରଙ୍ଗ ଅଧରରେ ହସ l
ଗଉରୀ ନନ୍ଦନ ଇନ୍ଦୁର ବାହନ
ଆସିଲେ ପ୍ରଭୁ ବିଘ୍ନେଶ ll
ଆଶ୍ଵିନରେ ଭଜ ପ୍ରଭୁ ପଦ୍ମନାଭ
ନାଭି ପଦ୍ମୁଁ ହୋଇ ଜାତ l
ଚରାଚର ବିଶ୍ୱ ସରଜନା କଲେ
ବେଦପତି ଚଉମାଥ ll
କାର୍ତ୍ତିକ ମାସରେ ଦାମୋଦର ପ୍ରଭୁ
ରାଇ ଦାମୋଦର ବ୍ରତ l
ଖୁଆ ଦଉଡ଼ିରେ ବାନ୍ଧିଲେ ପ୍ରଭୁଙ୍କୁ
ଦ୍ଵାପରେ ଯଶୋଦା ମାତ ll
ବାର ମାସେ ବାର ନାମ ଶ୍ରୀବିଷ୍ଣୁଙ୍କ
ଭଜ ଆହେ ସାଧୁଜନେ l
ବିଫଳ ନୋହିବ ମନୁଷ୍ୟ ଜନମ
କର୍ମକ୍ଲାନ୍ତ ଦିନେ ଦିନେ ll
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.