ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ସାମ୍ବାଦିକ ସମ୍ମିଳନୀ

କଟକ : ଆଠଗଡ଼ ଘଣ୍ଟିଖାଲ ଠାରେ ଗଢିଉଠିଥିବା ଆରତୀ କାରଖାନା ବିରୋଧରେ ମନମୁଖି କାର୍ଯ୍ୟକଳାପ ନେଇ ଆଠଗଡ଼ର ରଥଗଡ଼ା ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଖଡିର ଗଗନ କୁମାର ବାରିକ କିଛି କହିବାରୁ ତାଙ୍କୁ ଅନ୍ୟାୟ ଭାବରେ କାରଖାନା ରେ ପ୍ରବେଶ ରେ ରୋକ ଲଗାଯାଇଥିବା ବେଳେ ଅନ୍ୟଜଣେ କର୍ମଚାରୀ ସଂଜୟ କୁମାର ସାହୁଙ୍କୁ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟକରିବାରୁ ବାରଣ କରାଯାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ। ଆଠଗଡ଼ ଅଞ୍ଚଳର ମାଟି, ପାଣି,ପବନକୁ ନେଇ ଆରତୀ କାରଖାନା ଗଢିଉଠିଛି। କାରଖାନା ଅନେକ ନିୟମ ବିରୋଧି କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ପାଟି ଚୁପ କରିବସିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏବଂ ତାଙ୍କ ସଂପର୍କୀୟ ଏଠାରେ ନିଜର ଆଧିପତ୍ୟ ବିସ୍ତାର କରି ମନଇଚ୍ଛା କାର୍ଯ୍ୟ ଚଳାଇଛନ୍ତି ବୋଲି ଆଜି ଆହୁତ ସାମ୍ବାଦିକ ସମ୍ମଳନୀରେ ଯୁବ ସଂଗଠକ ଅଭୟ କୁମାର ବାରିକ, କଖଡି ପୂର୍ବତନ ସରପଞ୍ଚ ସୁନିଲ କୁମାର ସୁତାର କହିବା ସହ କାରଖାନା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏପରିକି କାରଖାନା ପ୍ରବେଶ ବାରଣରେ ଥିବା କର୍ମଚାରୀ ଗଗନ କୁମାର ବାରିକ ଓ ସଂଜୟ କୁମାର ସାହୁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ନିଜ ମତ ରଖିବା ସହ ଜୈନିକ ପ୍ରବନ୍ଧକଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରକଟ କରିଥିଲେ। ଆଗାମୀ ୧୦ ତାରିଖ ଦିନ ସରକାର କାରଖାନାର ବେନିୟମ କାର୍ଯ୍ୟ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଖଡି ଠାରେ ଥିବା କାରଖାନାର ଜଳଯୋଗାଣ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଜ୍ଞାନରଞ୍ଜନ ମହାପାତ୍ର, ସରୋଜ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ତାପସ ସାହୁ, ଲୁଲୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.