ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ସୁଶ୍ରୀ ମାୟାବତୀ ତାଙ୍କ ଝିଆରୀ ଦୀପିକା ଆନନ୍ଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦୀପିକା ହେଉଛନ୍ତି ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦଙ୍କ ଭଉଣୀ। ପୂର୍ବରୁ ଆକାଶ ଦଳରୁ ବିଦା ହୋଇଥିବାବେଳେ ଏବେ ଦୀପିକା ଦଳରୁ ବିଦା ହୋଇଛନ୍ତି। ଉଭୟଙ୍କୁ ଦଳର ସମସ୍ତ ଦାୟିତ୍ବରୁ ମୁକ୍ତ କରାଯାଇଥିବା ମାୟାବତୀ ସୋସିଆଲ ମିଡିଆ ‘ଏକ୍ସ’ର ପୋଷ୍ଟରେ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି ଯେ ସେ ଅତ୍ୟନ୍ତ ଦୃଢତାର ସହ ସମସ୍ତ ଦିଗକୁ ତର୍ଜମା କରି ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ମାୟାବତୀ ତାଙ୍କ ସାନ ଝିଆରୀ ଇସାନ ଆନନ୍ଦଙ୍କ ଉପରେ ଦୃଢ ଭରସା କରିଛନ୍ତି। ଆଗାମୀ ଦିନରେ ଇସାନଙ୍କୁ ଦଳରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯିବ ବୋଲି ସେ କହିଛନ୍ତି। ମାୟାବତୀ କହିଛନ୍ତି ଯେ ବିଏସ୍ପିର ପ୍ରତିଷ୍ଠାତା କାଂଶୀରାମ ନିଜର ନିକଟ ସମ୍ପର୍କୀୟଙ୍କୁ ରାଜନୈତିକ ଫାଇଦାରୁ ଦୂରେଇ ରଖୁଥିଲେ। ଠିକ୍ ତାଙ୍କ ପରି ସେ ମଧ୍ୟ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ରାଜନୈତିକ ଫାଇଦାରୁ ଦୂରେଇ ରଖିବାର ନିଷ୍ପତ୍ତି ନେଇଛନ୍ତି।