ଅଭିଶପ୍ତା ଫଲ୍ଗୁ ନଦୀ

ଅର୍ଜୁନୀ ଚରଣ ବେହେରା

କୌଣସି ଚିରନ୍ତନୀ ଭାବ ବା ସ୍ମୃତି ଯାହା ଚିର କାଳ ପାଇଁ ପ୍ରଚ୍ଛନ୍ନ ଭାବରେ ଆମ ଜୀବନଧାରାକୁ ପ୍ରଭାବିତ କରୁଛି ତାକୁ ଆମେ ସାହିତ୍ୟିକ ଭାଷା ମାଧ୍ୟମରେ ଅନ୍ତଃସଲୀଳା ଫଲ୍ଗୁଧାରା ସହ ତୁଳନା କରିଥାଉଁ l ଏହି ଫଲ୍ଗୁନଦୀ ବିହାରର ପ୍ରସିଦ୍ଧ ହିନ୍ଦୁ ତଥା ବୌଦ୍ଧ ତୀର୍ଥ ଗୟା ନିକଟରେ ପ୍ରବାହିତ l ଏଠାରେ ନଦୀର ଶଯ୍ୟା ଶୁଷ୍କ କିନ୍ତୁ ବାଲୁକାରାଶି ଆଡେଇ ଦେଲେ ତାହା ତଳୁ ଜଳ ବାହାରି ଥାଏ ଯେଉଁଥିପାଇଁ ଏହାକୁ ଅନ୍ତଃ ସଲୀଳା କୁହାଯାଏ l ଆସନ୍ତୁ ଜାଣିବା ଏହି ପୁରାଣ ଓ ଇତିହାସ ପ୍ରସିଦ୍ଧ ନଦୀ ବିଷୟରେ କିଛି ରୋଚକ ତଥ୍ୟ l
ଏହି ନଦୀଟି ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମୀମାନଙ୍କ ପାଇଁ ପବିତ୍ର l ଏହା ତୀରରେ ବିଷ୍ଣୁପାଦ ମନ୍ଦିର ଅବସ୍ଥିତ ଯେଉଁଠାରେ ଗୟା ପିଣ୍ଡ ଦାନ ଓ ଅସ୍ଥି ବିସର୍ଜନ କରାଯାଏ l ବାୟୁ ପୁରାଣ ବର୍ଣ୍ଣିତ ଗୟା ମାହାତ୍ମ୍ୟରେ କୁହା ଯାଇଛି ଫଲ୍ଗୁ ସ୍ୱୟଂ ବିଷ୍ଣୁଙ୍କ ସ୍ୱରୂପ ଏବଂ ପୂର୍ବ କାଳରେ ଏହି ନଦୀରେ କ୍ଷୀର ପ୍ରବାହିତ ହେଉଥିଲା l ମହାଳୟା ଦିନକୁ ଶେଷ ହେଉଥିବା ପିତୃପକ୍ଷ ଅବସରରେ ଏଠାରେ ପିଣ୍ଡ ଦାନ ଓ ତର୍ପଣ ପାଇଁ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ଼ ହୋଇଥାଏ l ବୋଧଗୟା ନିକଟ ପ୍ରାୟ ଦୁଇ କିଲୋମିଟର ତଳକୁ ନିରଞ୍ଜନା ଓ ମୋହନା ଦୁଇ ନଦୀର ମିଳନରେ ଫଲ୍ଗୁ ନଦୀର ସୃଷ୍ଟି ହୋଇଛି l ଇତିହାସ ପ୍ରସିଦ୍ଧ ନିରଞ୍ଜନା ( ନିଲଞ୍ଜନା ) ନଦୀ କୂଳରେ ଅତି ପବିତ୍ର ବୋଧି ଦ୍ରୁମ (ଅଶ୍ୱସ୍ତ ବୃକ୍ଷ ) ଅବସ୍ଥିତ l ଏହି ବୋଧିଦ୍ରୁମର ଗୋଟିଏ ଶାଖାକୁ ନେଇ ସମ୍ରାଟ ଅଶୋକଙ୍କ ପୁତ୍ର ରାହୁଳ ଓ ପୁତ୍ରି ସଂଘମିତ୍ରା ସିଂହଳର ଅନୁରାଧାପୁରରେ ରୋପଣ କରିଥିଲେ l ଏଥିରୁ ଉତ୍ଥିତ ବୃକ୍ଷ ସେଠାରେ ଏବେ ମଧ୍ୟ ବିଦ୍ୟମାନ l ଅନୁରାଧା ପୁର ସିଂହଳ ତଥା ପୃଥିବୀର ସମସ୍ତ ବୁଦ୍ଧଧର୍ମାବଲାମ୍ବୀଙ୍କ ପାଇଁ ଏକ ମହାନ ତୀର୍ଥ l ନିକଟରେ ଅନୁରାଧାପୁରରୁ ବୋଧି ଦ୍ରୁମର ଖଣ୍ଡେ ଶାଖା ଆମ ଓଡିଶାର ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ଶାନ୍ତିସ୍ତୁପ ଠାରେ ରୋପଣ କରାଯାଇଛି l ନିରଞ୍ଜନା ନଦୀର ଅନତିଦୂରରେ ଥିବା ଉରୁବିଲ୍ଵ ଅରଣ୍ୟ ମଧ୍ୟରେ ସିଦ୍ଧାର୍ଥ ପ୍ରଥମେ ଛଅବର୍ଷ (ପ୍ରକାରାନ୍ତରେ10/12 ବର୍ଷ) କଠୋର ତପସ୍ୟା କରିଥିଲେ l ଏଥିରେ ତାଙ୍କର ସିଦ୍ଧି ପ୍ରାପ୍ତ ହୋଇ ନଥିଲା l ପରେ ସେ ନିରଞ୍ଜନା ନଦୀରେ ସ୍ନାନ ତର୍ପଣାଦି କରି ସୁଜାତା ନାମଧାରୀ ଜନୈକା ଗୋପାଳୁଣୀ ଠାରୁ ଖାଦ୍ୟ ଗ୍ରହଣ କରି ବୋଧିଦ୍ରୁମ ଛାୟା ତଳେ କଠୋର ତପସ୍ୟାରେ ନିମଗ୍ନ ରହି ସିଦ୍ଧି ପ୍ରାପ୍ତ ହୋଇ ଥିଲେ l କାଳ କ୍ରମେ ଏଠାରେ ନିର୍ମିତ ହୋଇଛି ମହାବୋଧି ମନ୍ଦିର lଏହା ସମଗ୍ର ବିଶ୍ୱର ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଇଁ ମୁଖ୍ୟ ତୀର୍ଥସ୍ଥଳ l ବୁଦ୍ଧ ପୂର୍ଣ୍ଣିମା ତଥା ଅନ୍ୟାନ୍ୟ ବୌଦ୍ଧ ଉତ୍ସବ ମାନଙ୍କରେ ସମଗ୍ର ବିଶ୍ୱରୁ ଏଠାରେ ଆସି ବୌଦ୍ଧ ଧର୍ମାବଲମ୍ବୀ ମାନେ ଏକତ୍ରିତ ହୁଅନ୍ତି l
ଫଲ୍ଗୁ ନଦୀ ଅନ୍ତଃସଲୀଳା ହେବା ପଛରେ ମହା କାବ୍ୟ ରାମାୟଣରେ ଏକ ରୋଚକ ଉପାଖ୍ୟାନ ରହିଛି l ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ ଓ ମାଆ ଜାନକୀ ବନବାସରେ ଯିବାପରେ ମହାରାଜ ଦଶରଥଙ୍କର ପୁତ୍ରଶୋକରେ ପରଲୋକ ହୋଇଥିଲା l ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ପ୍ରଭୁ ଶ୍ରୀରାମ,ଭାଈ ଲକ୍ଷ୍ମଣ ଓ ମାଆ ଜାନକୀ ଯୋଗ ଦେଇ ପାରି ନଥିଲେ l ବନ ବାସ କାଳରେ ଦଶରଥଙ୍କର ଶ୍ରାଦ୍ଧ ଦିବସ ଉପନୀତ ହେବାରୁ ସେମାନେ ପିଣ୍ଡ ଦେବା ପାଇଁ ଗୟାରେ ପହଞ୍ଚିଲେ l ଫଲ୍ଗୁ ନଦୀ ତଟରେ ମାଆ ସୀତା ବାଲିରେ ବସି ରହିଥାନ୍ତି ଶ୍ରୀରାମ,ଲକ୍ଷ୍ମଣ ଗାଧୋଇ ଆସି ପିଣ୍ଡ ଦେବା ପାଇଁ ଫଲ୍ଗୁକୁ ସ୍ନାନ କରିବାକୁ ଗଲେ l ଇତ୍ୟବସରରେ ପିଣ୍ଡ ଦେବାର ଅବସର ଉପନୀତ ହେବାରୁ ମହାରାଜ ଦଶରଥ ମା’ସୀତାଙ୍କ ସମ୍ମୁଖରେ ଆବିର୍ଭାବ ହୋଇ ମୁଁ ବଡ଼ କ୍ଷୁଧିତ ମୋତେ ଶୀଘ୍ର ପିଣ୍ଡ ଦିଅ ବୋଲି କହିଲେ l ସୀତା ତାଙ୍କୁ ପୁତ୍ର ମାନଙ୍କ ପ୍ରତ୍ୟାଗମନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କଲେ l କାରଣ, ତାଙ୍କ ପାଖରେ ପିଣ୍ଡ ଦେବା ପାଇଁ ତଣ୍ଡୁଳ ଇତ୍ୟାଦି ସାମଗ୍ରୀ ନଥିଲା ଯାହା ରାମଲକ୍ଷ୍ମଣ ନେଇ ଫେରି ଥାନ୍ତେ l ଦଶରଥ ଅପେକ୍ଷା କରି ପାରିବେ ନାହିଁ କହି ସୀତାଙ୍କୁ ଫଲଗୁର ବାଲିରେ ପିଣ୍ଡ ଦେବାକୁ କହିବାରୁ ମା’ ତାଙ୍କୁ ବାଲିରେ ପିଣ୍ଡ ଦେଇଥିଲେ l ପିଣ୍ଡଦେବା କାଳରେ ସେଠାରେ ପାଞ୍ଚ ଜଣ ସାକ୍ଷୀ ଥିଲେ ଫଲ୍ଗୁ ନଦୀ, ଅକ୍ଷୟବଟ, ଗୋଟିଏ ଗାଭୀ, ତୁଳସୀ ବୃକ୍ଷ ଓ ଜଣେ ବ୍ରାହ୍ମଣ l ସେ ସମୟରେ ପିଣ୍ଡ ଗ୍ରହଣ ପାଇଁ ପିତୃ ପୁରୁଷ ମାନେ ସମ୍ମୁଖରେ ଉପସ୍ଥିତ ହେଉଥିଲେ ବୋଲି ପୁରାଣ ମାନଙ୍କରେ ଉଲ୍ଲେଖ ଅଛି l ପରେ କିନ୍ତୁ ଶ୍ରୀରାମ ପିଣ୍ଡ ଦାନ କରିବାରୁ ଦଶରଥ ଆଉ ଉପସ୍ଥିତ ହେଲେନାହିଁ l ଏହାର କାରଣ ଜାଣିବାକୁ ଚାହିଁବାରୁ ମା’ ସୀତା ତାଙ୍କୁ ସବୁ ଘଟଣା ବୁଝାଇଲେ l ଶ୍ରୀରାମଙ୍କର ଏ କଥାରେ କିନ୍ତୁ ବିଶ୍ୱାସ ହେଲାନାହିଁ l ତେଣୁ ସୀତା ଉପସ୍ଥିତ ସାକ୍ଷୀମାନଙ୍କୁ ଏହାର ସତ୍ୟତା କହିବା ପାଇଁ ଅନୁରୋଧ କରନ୍ତେ କେବଳ ଅକ୍ଷୟ ବଟହିଁ ସପକ୍ଷରେ କହି ଶ୍ରୀରାମଙ୍କୁ ବୁଝାଇ ଦେଇଥିଲେ l ଅନ୍ୟ ମାନେ ଠିକ ଭାବରେ ସାକ୍ଷ୍ୟ ନ ଦେବାରୁ ମାଆ କ୍ରୋଧିତା ହୋଇ ଅଭିଶାପ ଦେଇଥିଲେ,
” ଫଲ୍ଗୁ ନଦୀର ଜଳଧାରା ଶୁଷ୍କ ହୋଇଯାଉ “l ମାଆ ଜାନକୀଙ୍କ ଏହି ଅଭିଶାପ ଯୋଗୁଁ ଫଲଗୁ ନଦୀର ଜଳଧାରା ବାଲୁକା ମଧ୍ୟରେ ଗୁପ୍ତ ହୋଇ ନଦୀ ଅନ୍ତଃସଲୀଳା ହୋଇଅଛି l
ମାଆ ଜାନକୀ ପୁଣି ଅଭିଶାପ ଦେଲେ
– ଗୋମାତାଙ୍କୁ ଆଗରୁ କେହି ପୂଜା ନ କରି ପଶ୍ଚାଦଭାଗରୁ ପୂଜା କରିବେ l
– ଗୟାରେ ତୁଳସୀଗଛ ରହିବ ନାହିଁ l ଏଥିପାଇଁ ଗୟାରେ ଛୋଟ ତୁଳସୀ ମିଳେ ନାହିଁ l ଏଠାରେ ମିଳୁଥିବା ତୁଳସୀ ଗୟା ତୁଳସୀ ଯାହାର ପତ୍ର ବଡ଼ ବଡ଼ l
– ଗୟାର ବ୍ରାହ୍ମଣଗଣ କେବେ ହେଲେ ଶ୍ରଦ୍ଧାଳୁଙ୍କ ଦକ୍ଷିଣାରେ ସନ୍ତୁଷ୍ଟ ହେବେ ନାହିଁ l ଏଣୁ ଗୟାରେ ବ୍ରାହ୍ମଣଙ୍କୁ ଯେତେ ଦକ୍ଷିଣାଦେଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ ଏବଂ ଶ୍ରଦ୍ଧାଳୁଙ୍କ ଠାରୁ ସବୁ ବେଳେ ଅଧିକରୁ ଅଧିକ ପାଇବା ପାଇଁ ଚେଷ୍ଟିତ ଥାଆନ୍ତି l
ମା’ ଅକ୍ଷୟ ବଟକୁ ଆଶୀର୍ବାଦ କରିଥିଲେ ତୋରି ମୂଳରେ ଲୋକେ ଶ୍ରାଦ୍ଧ,ତର୍ପଣ ଇତ୍ୟାଦି କରିବେl ଫଳ ସ୍ୱରୂପ ଗୟା ଶ୍ରାଦ୍ଧ ଅକ୍ଷୟ ବଟ ତଳେ ଦିଆ ଯାଇଥାଏ l
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର,
ମୋ -7693091971

Comments are closed.