ଆଉ କରୋନାକୁ ନାହିଁ ଡର! କଟକ ଜିଲ୍ଲାରେ ବୁଷ୍ଟର୍‌ ଡୋଜ୍‌ ନେଇ ନାହାନ୍ତି ୬୩ ପ୍ରତିଶତ

କଟକ: କରୋନା ମହାମାରୀ ଯାଇନି, ମାତ୍ର ଲୋକଙ୍କ ଭିତରୁ ଏହାକୁ ନେଇ ଆଉ ଆଗଭଳି ଡର ନାହିଁ। ରାଜ୍ୟରେ ‌ଏବେ କରୋନା ସଂକ୍ରମଣ ସଂଖ୍ୟା ପ୍ରତିଦିନ ଶହେ ଉପରେ ରହୁଛି। ପୁଣି ଥରେ ଯେ ଏହାର ଲହର ଆଉ ଫେରିବ ନାହିଁ ଏ ନେଇ ଏ ଯ‌ାଏ ସ୍ପଷ୍ଟ ହୋଇପାରିନି। ସେପ‌ଟେ କ‌ରୋନା ଆସିଲେ ଟିକା ପାଇଁ ବିକଳ ହୋଇ ଲମ୍ବାଧାଡିରେ ଠିଆ ହୋଇ ରହୁଥିବା ଲୋକ ଏବେ ମାତ୍ର ସଂକ୍ରମଣ କମିବା ପ‌ରେ ଟିକା ନେବାରେ ହେଳା କରୁଛନ୍ତି। କରୋନା ଟିକ‌ା ନେବାକୁ ଲୋକଙ୍କ ମନରେ ଆଉ ଆଗ୍ରହ ନାହିଁ। ମିଳିଥିବା ତଥ୍ୟ ମୁତାବକ, କଟକ ଜିଲ୍ଲାରେ ମାତ୍ର ୩୭ ପ୍ରତିଶତ ଲୋକ ବୁଷ୍ଟର୍‌ ଡୋଜ୍ ବା ପ୍ରିକସନ୍ ଡୋଜ୍ ନେଇଛନ୍ତି। ଅର୍ଥାତ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୬୩ ପ୍ରତିଶତ ଲୋକ ବୁଷ୍ଟର୍‌ ଡୋଜ୍ ନେଇ ନଥିବା ଜଣାପଡିଛି। ଅର୍ଥାତ ଜିଲ୍ଲାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଅତ୍ୟନ୍ତ ନିରାଶଜନକ ରହିଛି। କଟକ ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ମୋଟ ୧୬ଲକ୍ଷ ୩୫ ହଜାର ୯୨୫ ‘ପ୍ରିକସନ୍ ଡୋଜ୍’ ଟିକା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଜିଲ୍ଳାରେ ମୋଟ ମାତ୍ର ୬ଲକ୍ଷ ୧୮ ହଜାର ୫୦ଟି ବୁଷ୍ଟର୍‌ ‌ଡୋଜ୍‌ ଦିଆଯାଇଛି। ଅର୍ଥାତ ଜିଲ୍ଲାରେ ମାତ୍ର ୩୭.୭୮ ପ୍ରତିଶତ ଲୋକ ବୁଷ୍ଟର୍‌ ଡୋଜ୍ ହୋଇଛି। ଜିଲ୍ଲାରେ ୬୩ ପ୍ରତିଶତ ଲୋକ ଟିକା ନେଇନାହାନ୍ତି। କଟକ ଜିଲ୍ଲାର ଗ୍ରାମାଞ୍ଚଳରେ ୧୧ଲକ୍ଷ ୪୯ ହଜାର ୮୧୩ ଜଣ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଏଠାରେ ମାତ୍ର ୪ଲକ୍ଷ ୨୬ ହଜାର ୫୦୪ ଜଣ ଲୋକ ଟିକା ନେଇଛନ୍ତି। ଅର୍ଥାତ ଗ୍ରାମାଞ୍ଚଳରେ ମାତ୍ର ୩୭.୦୯ ପ୍ରତିଶତ ଲୋକ ଟିକା ନେଇଛନ୍ତି। ସେହିଭଳି ସହରାଞ୍ଚଳରେ ‘ପ୍ରିକସନ୍‌ ଡୋଜ୍‌’ ପାଇଁ ୪ଲକ୍ଷ ୮୬ ହଜାର ୧୧୨ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୧ଲକ୍ଷ ୯୧ ହଜାର ୫୪୬ ଜଣ ଲୋକଙ୍କୁ ଟିକା ଦିଆଯାଇଛି। ଅର୍ଥାତ ସହରାଞ୍ଚଳରେ ମାତ୍ର ୩୯.୪୦ ପ୍ରତିଶତ ଲୋକ ପ୍ରିକସନ୍ ଡୋଜ୍ ଟିକା ନେଇଛନ୍ତି।

ଅର୍ଥାତ ସହରାଞ୍ଚଳରେ ୧୦୦ରୁ ୬୧ଜଣ ଲୋକ ‘ପ୍ରକିସନ୍‌ ଡୋଜ୍‌’ ଟିକା ନେଇ ନଥିବା ଜଣାପଡିଛି। ସୂଚନାଯୋଗ୍ୟ, ଜିଲ୍ଲାରେ ୧୮ରୁ ୫୯ ବର୍ଷ ବୟସ ବର୍ଗରେ ୯ଲକ୍ଷ ୬ ହଜାର ୪୭୮ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହି ବର୍ଗରେ ମାତ୍ର ୩ଲକ୍ଷ ୯ ହଜାର ୧୮୦ ଜଣ ଟିକା ନେଇଛନ୍ତି। ଏହି ବର୍ଗର ସଫଳତା ହାର ମାତ୍ର ୩୪.୧୧ ରହିଛି। ସେହିଭଳି ୬୦ରୁ ଅଧିକ ବୟସ ବର୍ଗରେ ୨ଲକ୍ଷ ୨୩ ହଜାର ୭୫୦ ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ମାତ୍ର ୯୨ ହଜାର ୭୭୮ ଜଣଙ୍କୁ ଟିକା ଦିଆଯାଇଛି। ଏହି ବର୍ଗରେ ସଫଳତା ହାର ମାତ୍ର ୪୧.୪୭ ପ୍ରତିଶତ ରହିଛି। କଟକ ଜିଲ୍ଲାରେ ‘କୋଭିଡ ପ୍ରିକସନ୍‌ ଡୋଜ୍’ ବା ‘ବୁଷ୍ଟର୍‌ ଡୋଜ୍‌’ରେ ନିରାଶଜନକ ପ୍ରଦର୍ଶନ ରହିଛି। ତେବେ କୋଭିଡ ଯୋଦ୍ଧ‌ାମାନେ କିନ୍ତୁ ପ୍ରିକସନ ଡୋଜ ନେଇଛନ୍ତି। ହେଲଥ୍ କୋଭିଡ୍‌ ୱାରିଅର୍‌ (ଏଚ୍‌ସିଡବ୍ଲୁ)ପାଇଁ ୧୧ ହଜାର ୩୩୧ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ବର୍ଗରେ ୧୦ ହଜାର ୫୦ ଜଣ ଯୋଦ୍ଧ‌ା ଟିକା ନେଇଛନ୍ତି। ଏଥରେ ସଫଳତା ହାର ୮୮.୬୯ ପ୍ରତିଶତ ରହିଛି। ସେହିଭଳି ‘ଫ୍ରଣ୍ଟ୍‌ଲାଇନ୍ କୋଭିଡ୍‌ ୱାରିଅର୍‌’ ପାଇଁ ୮ ହଜାର ୨୫୪ଲକ୍ଷ୍ୟ ଧାର୍ଯ୍ୟ ଥିବ‌ା ବେଳେ ଏହି ବର୍ଗରେ ଲକ୍ଷ୍ୟ ଠାରୁ ପାଖାପାଖି ଦୁଇଗୁଣା ଅଧିକ, ୧୪ହଜାର ୪୯୦ ଜଣ ଟିକା ନେଇଛନ୍ତି। ଏଥି‌ରେ ସଫଳତା ୧୭୫ ପ୍ରତିଶତ ରହିଛି। ସହରାଞ୍ଚଳରେ ଏଚ୍‌ସିଡବ୍ଲୁ ବର୍ଗରେ ୧୭ହଜାର ୫୮୩ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୧୨୩୫୧ ଜଣ ଟିକା ନେଇଥିଲେ। ସହରାଞ୍ଚ‌ଳରେ ୭୦.୨୪ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି। ଅର୍ଥାତ ୩୦ ପ୍ରତିଶତ ସ୍ବାସ୍ଥ୍ୟ କର୍ମୀ ମଧ୍ୟ ପ୍ରିକସନ୍ ଡୋଜ୍ ଟିକା ନେଇଛନ୍ତି। ସେହିଭଳି ସହରାଞ୍ଚଳରେ ‘ଫ୍ରଣ୍ଟ୍‌ଲାଇନ୍ ୱାର୍କର୍‌’ରେ ୧୧ ହଜାର ୨୬୧ ଲକ୍ଷ୍ୟ ଥିବା ବେଳେ ୧୦ ହଜାର ୮୧୧ ଜଣ ଟିକା ନେଇଛନ୍ତି। ଏଥିରେ ସଫଳତା ହାର ୯୫.୯୮ ରହିଛି।

Comments are closed.