ହୋଟେଲ ଦୋସାରୁ ବାହାରିଲା ଅସରପା

ଫଟୋ ଓ ଭିଡିଓ ଭାଇରାଲ, ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ହୋଟେଲକୁ କଲେ ସିଲ୍

ଜୟପୁର: ଏମଜି ରୋଡରେ ଥିବା ଲୋକେଶ ହୋଟେଲରେ ଜଣେ ଗ୍ରାହକ ଜଳଖିଆରେ ରାୱା ଦୋସା ଖାଉଥିବା ବେଳେ ଏଥି ମଧ୍ୟରୁ ମଲା ଅସରପା ବାହାରିଥିଲା। ଏହାକୁ ନେଇ ଉକ୍ତ ଗ୍ରାହକ ଜଣକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଚିତ୍ର ଓ ଭିଡିଓ ଉତ୍ତୋଳନ କରି ଭାଇରାଲ କରିଥିଲେ। ଏହି ଭାଇରାଲ ଭିଡିଓ ଓ ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବା ପରେ ପୁଲିସକୁ ସାଙ୍ଗରେ ନେଇ​ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ହୋଟେଲ ଉପରେ ଚଢ଼ାଉ କରି ହୋଟେଲ ପରିଚାଳକଙ୍କୁ ତାଗିଦ୍ କରିଥିଲେ। ହୋଟେଲର ସବୁ ଖାଦ୍ୟ ପଦାର୍ଥ ଓ ରୋଷଇଘରର ଯାଂଚ କରିବା ସହ ଅପରିଷ୍କାର, ଅପରିଚ୍ଛନ୍ନତା ରହିଥିବାରୁ ହୋଟେଲକୁ ସିଲ୍ କରିଥିଲେ। ଜରିମାନା ବାବଦକୁ ୨୦ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ମାସ ମଧ୍ୟରେ ଥରେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ସହରର କିଛି ହୋଟେଲ ବୁଲି ଖାଦ୍ୟର ମାନ ଯାଞ୍ଚ କରି କିଛି ହୋଟେଲରୁ ଜରିମାନା ବାବଦକୁ ୧୮ହଜାର ଟଙ୍କାର ଆଦାୟ କରିଥିଲେ।

ତେବେ ନିୟମିତ ପ୍ରକ୍ରିୟାରେ ଯାଂଚ ହେଉ ନଥିବାରୁ ଏଭଳି ଅପମିଶ୍ରିତ ଖାଦ୍ୟ ସହ ଖାଦ୍ୟରେ ମଲା ଜୀବଜନ୍ତୁ ମିଳୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି। ସହରର ଶତାଧିକ ହୋଟେଲ ଷ୍ଟଲ, ରୁମଓ ଉଠା ଟ୍ରଲିରେ କରାଯାଉଥିବା ବେଳେ ପୌରପ୍ରଶାସନ, ପ୍ରଶାସନ, ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଭାବେ ଯାଞ୍ଚ କରାଯାଉନି। ଫଳରେ ଅପମିଶ୍ରିତ ଖାଦ୍ୟ, ପୋଡା ତେଲ ଆଦିରେ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ପୁର୍ବରୁ ମଧ୍ୟ ଏହି ହୋଟେଲରୁ ଅସରଫା ବାହାରିଥିବା ବେଳେ ଏବେ ପୁଣି ବାହାରିଛି। ହୋଟେଲର ସଫେଇ, ସ୍ବଚ୍ଛତା ଓ ପରିମଳ ପ୍ରତି ହୋଟେଲ ପରିଚାଳକ ମାନେ ଧ୍ୟାନ ଦେଉନଥିବାରୁ ଏବଂ ପ୍ରଶାସନର ନିୟମିତ ଯାଞ୍ଚ ହେଉ ନଥିବାରୁ ଏହା ଦିନକୁ ଦିନ ବଢ଼ିଚାଳୁଛି।

Comments are closed.