କୋରାପୁଟ, ୧୯।୯ : ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ।କୋରାପୁଟ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମାଛରା ଠାରେ ବିଦ୍ୟାଳୟର ୧୧ ତମ ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀ ଡ଼. ଦେବାଶିଷ ଗଉଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା କହଁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିବୃନ୍ଦ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନିଜ ଉପରେ ଦୃଢ଼ ଆତ୍ମବିଶ୍ୱାସ ରଖି ନିଷ୍ଠାର ସହ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଅତିଥିମାନେ ବିଦ୍ୟାର୍ଥୀଙ୍କୁ ପରାମର୍ଶ ଦେଇଥିଲେ।


ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମୀକ୍ ଶତପଥୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପୂର୍ବ ବର୍ଷମାନଙ୍କରେ ଜାତୀୟ ସ୍ତରୀୟ ବିଭିନ୍ନ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ବିଦ୍ୟାଳୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ ହନ୍ତାଳ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଶୈଳେନ୍ଦ୍ର ନାରାୟଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
Comments are closed.