କେ.କେ.ଏସ୍. ମହିଳା ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ହେଲା ପାଠଚକ୍ର

•ଶିକ୍ଷାର୍ଥୀଙ୍କ ଦକ୍ଷତା ଅନୁଯାୟୀ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ

0
ବାଲେଶ୍ୱର, ୧୮/୧୧ (କୃଷ୍ଣ କୁମାର ମହାନ୍ତି): କେ.କେ.ଏସ୍. ମହିଳା ମହାବିଦ୍ୟାଳୟର ଶିକ୍ଷକ-ଶିକ୍ଷା ବିଭାଗ ପକ୍ଷରୁ ‘Teaching in Different Circumstances: Teaching Low-Proficient Learners’ ଶୀର୍ଷକ ଏକ ପାଠଚକ୍ର ଆୟୋଜିତ ହୋଇଯାଇଛି। ଏଥିରେ ଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଶିକ୍ଷଣ କ୍ଷମତାକୁ ଚିହ୍ନଟ କରି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷାଦାନ ପଦ୍ଧତି ଆପଣାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ପାଠଚକ୍ରରେ ବିଷୟ ବିଶେଷଜ୍ଞ ଭାବେ ପ୍ରଫେସର ମନ୍ମଥ କୁଣ୍ଡୁ ଓ ଡକ୍ଟର ସୁବାସ ପାତ୍ର ଯୋଗଦେଇ ନିମ୍ନ ଶିକ୍ଷଣ ଦକ୍ଷତାସମ୍ପନ୍ନ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନର ବିଭିନ୍ନ ଦିଗ, ଶିକ୍ଷଣ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।
ପ୍ରଫେସର କୁଣ୍ଡୁ କହିଥିଲେ ଯେ, ଶ୍ରେଣୀଗୃହରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଗ୍ରହଣ କ୍ଷମତା, ଶିକ୍ଷଣ ଦକ୍ଷତା ଓ ଶିଖିବାର ଗତି ସମାନ ନୁହେଁ। ତେଣୁ ଶିକ୍ଷକମାନେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସାମର୍ଥ୍ୟ ଓ ବ୍ୟକ୍ତିଗତ ଆବଶ୍ୟକତାକୁ ଚିହ୍ନଟ କରି ସରଳ ଶିକ୍ଷଣ ସାମଗ୍ରୀ, ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଓ ବ୍ୟକ୍ତିଗତ ମାର୍ଗଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବା ଆବଶ୍ୟକ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାର ବିକାଶ ହିଁ ଜଣେ ଶିକ୍ଷକଙ୍କ ପ୍ରକୃତ ସଫଳତା ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ସମ୍ପ୍ରତି ବିଦ୍ୟାଳୟ ପାଠ୍ୟପୁସ୍ତକରେ ରହିଥିବା ବିଭିନ୍ନ ତ୍ରୁଟି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଝାନ୍ସୀ ଜେନା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶିକ୍ଷକ ଓ ଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। IQAC ଓ ITEP ସଂଯୋଜକ ଡକ୍ଟର ନାରାୟଣ ସୁରଜିତ ବେହେରା ମହାବିଦ୍ୟାଳୟରେ ଶିକ୍ଷକ-ଶିକ୍ଷା ବିଭାଗ ଖୋଲିବାର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ବିଭାଗ ମୁଖ୍ୟ ଡକ୍ଟର ପଦ୍ମାଳୟା ନାଥ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଅଧ୍ୟକ୍ଷାଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଆୟୋଜିତ ଏହି ପାଠଚକ୍ରରେ ପ୍ରଶାସନିକ ବର୍ସର ଡକ୍ଟର ସଞ୍ଜୟ ସାହୁ, ଏକାଡେମିକ୍ ବର୍ସର ଡକ୍ଟର ସଂଜୀବିତା ଦାସଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନେ ଯୋଗଦେଇଥିଲେ। ଏହି ପାଠଚକ୍ର ଶିକ୍ଷାଦାନର ବିଭିନ୍ନ ପରିସ୍ଥିତିକୁ ବୁଝିବା ସହ ଶିକ୍ଷାର୍ଥୀକୈନ୍ଦ୍ରିକ ଶିକ୍ଷଣ ପଦ୍ଧତି ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଥିଲା।
ଶେଷରେ ଅଧ୍ୟାପକ ଅଭିମନ୍ୟୁ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଯୋଗୁଁ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।
Leave A Reply

Your email address will not be published.