ଦୀର୍ଘଦିନର ସ୍ୱପ୍ନ ହେବ ସାକାର: ୫.୫୦ କୋଟିରୁ ଊର୍ଦ୍ଧ୍ୱ ବ୍ୟୟରେ ମିରିଗିମୁଣ୍ଡି–ଓଲାଡ଼ି ଘାଟ ରାସ୍ତାର ଉନ୍ନତିକରଣ ଆରମ୍ଭ

0
ବାଲେଶ୍ୱର, ୭/୧୧ (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଓ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ୫ କୋଟି ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ଏନ୍‌ଏଚ୍‌-୬୦ର ମିରିଗିମୁଣ୍ଡିଠାରୁ ହୁଜା ଦେଇ ଓଲାଡ଼ି ଘାଟ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଭିତ୍ତିପ୍ରସ୍ତର ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ସ୍ଥାପନ କରିଛନ୍ତି।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ରାସ୍ତାର ଉନ୍ନତିକରଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବା ପରେ ମିରିଗିମୁଣ୍ଡି, ହୁଜା, ଓଲାଡ଼ି ଘାଟ ସମେତ ଆଖପାଖ ଅଞ୍ଚଳର ଲୋକମାନେ ଉପକୃତ ହେବେ। ବିଶେଷକରି ଛାତ୍ରଛାତ୍ରୀ, କୃଷକ, ବ୍ୟବସାୟୀ, ରୋଗୀ ଏବଂ ଦୈନନ୍ଦିନ ଯାତାୟାତ କରୁଥିବା ଲୋକଙ୍କ ଗମନାଗମନ ଅଧିକ ସୁଗମ ହେବ।
ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଥିଲେ, “ଅଞ୍ଚଳବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାହା ଆଜି ବାସ୍ତବ ରୂପ ନେବାକୁ ଯାଉଛି। ଏହି ରାସ୍ତାର ଉନ୍ନତିକରଣ ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଆଶା ଥିଲା। ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ମୋ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ।”
ସେ ଆହୁରି କହିଥିଲେ ଯେ, ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ପାଇଁ ଉନ୍ନତ ସଡ଼କ ଯୋଗାଯୋଗ ଅପରିହାର୍ଯ୍ୟ। ଏକ ଭଲ ରାସ୍ତା କେବଳ ଯାତାୟାତର ମାଧ୍ୟମ ନୁହେଁ, ବରଂ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି ଓ ସ୍ଥାନୀୟ ଅର୍ଥନୈତିକ କାର୍ଯ୍ୟକଳାପର ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଏହି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳ ଓ ମୁଖ୍ୟ ସଡ଼କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।
ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଅଞ୍ଚଳରେ ମୌଳିକ ଭିତ୍ତିଭୂମିର ବିକାଶ, ଉନ୍ନତ ଗମନାଗମନ ବ୍ୟବସ୍ଥା ଓ ଲୋକଙ୍କ ଜୀବନଯାତ୍ରାକୁ ସହଜ କରିବା ଦିଗରେ ନିରନ୍ତର ପ୍ରୟାସ ଜାରି ରହିଥିବା ସେ ପ୍ରକାଶ କରିଥିଲେ। ଆଗାମୀ ଦିନରେ ମଧ୍ୟ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ଏଭଳି ବିକାଶମୂଳକ ପ୍ରକଳ୍ପକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ।
ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ମାରାଣ୍ଡି, ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ବେହେରାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
Leave A Reply

Your email address will not be published.