ଗଜପତି,7.11 ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗୁମ୍ମା ପିଏମ୍ ଶ୍ରୀ ବିଦ୍ୟାଳୟରୁ ଟେବୁଲ୍-ଚେୟାର ସ୍ଥାନାନ୍ତର ଘଟଣାରେ ହଲଚଲ୍; ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷା ଅଧିକାରୀ
ସରକାରୀ ବିଦ୍ୟାଳୟର ସମ୍ପତ୍ତି କ’ଣ କାହାର ବ୍ୟକ୍ତିଗତ ସମ୍ପତ୍ତି? ସରକାରୀ ଅନୁମତି ବିନା ବିଦ୍ୟାଳୟର ଟେବୁଲ୍, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ବାହାରକୁ ନେବାକୁ ଅଧିକାର ଦେଲା କିଏ? ଏଭଳି ଅନେକ ଗୁରୁତର ପ୍ରଶ୍ନ ଏବେ ଗଜପତି ଜିଲ୍ଲାର ଗୁମ୍ମା ପିଏମ୍ ଶ୍ରୀ ବିଦ୍ୟାଳୟକୁ ନେଇ ସାଧାରଣରେ ଉଠିବାରେ ଲାଗିଛି।
ବିଦ୍ୟାଳୟ ପରିସରରୁ ଟେବୁଲ୍ ଓ ଚେୟାର ବାହାରକୁ ଯାଉଥିବା ଘଟଣାର ଖବର ପ୍ରଘଟ ହେବା ପରେ ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର୍ ଧରିଛି। ସରକାରୀ ଅନୁଦାନରେ କିଣାଯାଇଥିବା ବିଦ୍ୟାଳୟର ସାମଗ୍ରୀ କେଉଁ ଉଦ୍ଦେଶ୍ୟରେ, କାହା ନିର୍ଦ୍ଦେଶରେ ଏବଂ କେଉଁ ଅନୁମତି ବଳରେ ବିଦ୍ୟାଳୟ ବାହାରକୁ ନିଆଯାଉଥିଲା, ତାହାର ନିରପେକ୍ଷ ତଦନ୍ତ ଦାବି କରୁଛନ୍ତି ସାଧାରଣ ଲୋକେ।
ଏହି ପ୍ରସଙ୍ଗରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚରାଯିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଥିବା ସ୍ୱୀକାର କରିଛନ୍ତି। ଏଥିସହ ଘଟଣାର ତଦନ୍ତ ପାଇଁ ଗୁମ୍ମା ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି।
ଜିଲ୍ଲା ଶିକ୍ଷା ଅଧିକାରୀ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସରକାରୀ ବିଦ୍ୟାଳୟର କୌଣସି ଆସବାବପତ୍ର ବିନା ଅନୁମତିରେ ବିଦ୍ୟାଳୟ ବାହାରକୁ ଯିବା ଉଚିତ ନୁହେଁ। ତେବେ କେଉଁ ପରିସ୍ଥିତିରେ ଏଭଳି ସାମଗ୍ରୀ ବାହାରକୁ ନିଆଗଲା, ତାହାକୁ ନେଇ ସେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି।
କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, କେବଳ ତଦନ୍ତ ନିର୍ଦ୍ଦେଶ ଦେଇଦେଲେ କ’ଣ ଦାୟିତ୍ୱ ସରିଯିବ? ତଦନ୍ତ କେବେ ଶେଷ ହେବ? କେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ରିପୋର୍ଟ ପହଞ୍ଚିବ? ବିଦ୍ୟାଳୟର ସମ୍ପତ୍ତି ବାହାରକୁ ନେବା ପଛରେ କାହାର ନିର୍ଦ୍ଦେଶ ଓ ଭୂମିକା ରହିଛି, ତାହା ସାର୍ବଜନୀନ ହେବ କି?
ସବୁଠାରୁ ବଡ଼ କଥା, ତଦନ୍ତରେ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କ ଦାୟିତ୍ୱହୀନତା ବା ଅନିୟମିତତା ପ୍ରମାଣିତ ହୁଏ, ତେବେ ଶିକ୍ଷା ବିଭାଗ କି ନିରପେକ୍ଷ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ? ନା ପୂର୍ବ ଘଟଣାଗୁଡ଼ିକ ଭଳି କେବଳ ତଳସ୍ତରର କର୍ମଚାରୀଙ୍କୁ ଦାୟୀ କରି ଉପରସ୍ତରର ଦାୟିତ୍ୱବାନ ବ୍ୟକ୍ତିଙ୍କୁ ଆଢ଼ୁଆଳରେ ରଖାଯିବ?
ସରକାରୀ ବିଦ୍ୟାଳୟର ସମ୍ପତ୍ତି ହେଉଛି ଜନସାଧାରଣଙ୍କ ଟିକସ ଟଙ୍କାରେ କିଣାଯାଇଥିବା ସମ୍ପତ୍ତି। ଏହାର ସୁରକ୍ଷା କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନୁହେଁ, ସମଗ୍ର ଶିକ୍ଷା ବିଭାଗର ଦାୟିତ୍ୱ। ତେଣୁ ଏହି ଘଟଣାରେ ନିରପେକ୍ଷ, ସମୟବଦ୍ଧ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି ଜୋର୍ ଧରିଛି।
ଏବେ ଅପେକ୍ଷା ଗୁମ୍ମା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ତଦନ୍ତ ରିପୋର୍ଟକୁ। ଦେଖିବାକୁ ବାକି ରହିଲା, ଏହି ତଦନ୍ତ ସତ୍ୟକୁ ସାମ୍ନାକୁ ଆଣିବ ନା କେବଳ ଏକ ଔପଚାରିକତାରେ ସୀମିତ ରହିଯିବ?