ବାଲେଶ୍ୱର, ୭/୧୧ (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ବରିଷ୍ଠ ଔପନ୍ୟାସିକା ଡ. ଜାନକୀ ଜେନାଙ୍କ ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଚିତ୍ରଶାଳା’ ଲୋକାର୍ପିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡ. ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଅନ୍ୟ ଅତିଥିମାନଙ୍କ ସହ ଉପନ୍ୟାସଟିକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଏଥିସହ ଡ. ଜେନାଙ୍କ ସାରସ୍ୱତ ସାଧନା ଓ ସାହିତ୍ୟିକ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଅତିଥିବକ୍ତା ଭାବେ ଯୋଗଦେଇ ବରିଷ୍ଠ ଗବେଷକ ଡ. ଶିରୀଶ ଚନ୍ଦ୍ର ଜେନା ଓ ସୁସାହିତ୍ୟିକା ଅରୁଣା ରାୟ ଉପନ୍ୟାସର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ବିଶଦ ଆଲୋଚନା କରିଥିଲେ। କୋଭିଡ୍ ମହାମାରୀ ସମୟରେ ମଣିଷ ଜୀବନର ଯନ୍ତ୍ରଣା, ରୋଗର ଭୟାବହତା ଏବଂ ମୃତ୍ୟୁର ବିଭୀଷିକାକୁ ଔପନ୍ୟାସିକା ଅତ୍ୟନ୍ତ ନିଖୁଣ ଓ ମର୍ମସ୍ପର୍ଶୀ ଭାବେ ଚିତ୍ରଣ କରିଛନ୍ତି ବୋଲି ସେମାନେ ମତ ଦେଇଥିଲେ। ଜୀବନର କାରୁଣ୍ୟ ଯେତେବେଳେ ଉପନ୍ୟାସର ଶବ୍ଦ ଓ ଭାଷାରେ ରୂପାୟିତ ହୁଏ, ସେତେବେଳେ ତାହା ପାଠକଙ୍କୁ ଗଭୀର ଭାବେ ଆନ୍ଦୋଳିତ କରେ ବୋଲି ଦୁଇ ବକ୍ତା ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଔପନ୍ୟାସିକା ଡ. ଜାନକୀ ଜେନା ନିଜର ଦୀର୍ଘ ସାହିତ୍ୟିକ ଜୀବନର ଅନୁଭୂତି ବଖାଣିବା ସହ ଉପନ୍ୟାସଟି ପ୍ରକାଶ କରିଥିବା ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ।
କାର୍ଯ୍ୟକ୍ରମରେ କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିବାବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଶେଷରେ ଔପନ୍ୟାସିକାଙ୍କ ସ୍ୱାମୀ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସାରସ୍ୱତ ସମାରୋହରେ ନିବାରଣ ଜେନା, ସୁରେନ୍ଦ୍ର ସ୍ୱାଇଁ, ଅମରେଶ ଚନ୍ଦ୍ର ପୁହାଣ, ଡ. ଲକ୍ଷ୍ମଣ ବିଶ୍ୱାଳ, କରୁଣାକର ସା, ତପନ ରାୟ, ଊର୍ମିଳା ନାୟକ, ଡ. ରମେଶ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ କୁମାର ଦାସ, ରଶ୍ମିରେଖା ପତି, ବୈଭବୀ ପ୍ରଧାନ, ଗୁଲନାର ତବସୁମ, ଡ. ହେମମାଳା ଦାଶ, ସୁପ୍ରଭା ପଣ୍ଡା, ଭାସ୍କର ଚନ୍ଦ୍ର ମିଶ୍ର, ଲମ୍ବୋଦର ନାୟକ, ବିଜୟ କୁମାର ମହାନ୍ତି, ତପନ କୁମାର ପଣ୍ଡା, ହିମାଂଶୁ ଶେଖର ଦାସ, ଦେବାଶିଷ ସିଂହ, ତାରାକାନ୍ତ ମହାନ୍ତି, ସୁରଂଜିତା ମହାନ୍ତି, ସୁବ୍ରତା ମହାନ୍ତି, ଅଞ୍ଜନ କୁମାର ମହାନ୍ତି, ଶାନ୍ତି ବିଶି, ଅବନ୍ତୀ ପ୍ରଧାନ, ନିରଞ୍ଜନ ରାଉତ, କୃଷ୍ଣା ପ୍ରଧାନ, ମୌସୁମୀ ଦାସ ପଟ୍ଟନାୟକ, ଅଞ୍ଜଳି ପଣ୍ଡା, ଜ୍ୟୋତ୍ସ୍ନା ରାୟ, ପଦ୍ମଲୋଚନ ଦତ୍ତ, ପ୍ରଦୀପ୍ତ କୁମାର ଦାସ, ଦିଲ୍ଲୀପ ଚକ୍ରବର୍ତ୍ତୀ, ଡ. କ୍ଷିତୀଶ୍ୱର ଦାଶ ଓ ଶ୍ୟାମରାୟ କରଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।