ଅଧା ଜେଲ ଦଣ୍ଡ ଭୋଗିଥିବା କଏଦୀ ମୁକୁଳିବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

ନୂଆଦିଲ୍ଲୀ: ଛୋଟ ଛୋଟ ଅପରାଧ ପାଇଁ ଅଧା ଜେଲଦଣ୍ଡ ଭୋଗି ସାରିଥିବା କଏଦୀମାନେ ଜେଲରୁ ଖଲାସ ହେବେ । ଏଥିପାଇଁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପ୍ରାବଧାନ ବୁଝାମଣା ବ୍ୟବସ୍ଥାରେ ୭ ବର୍ଷ ବା ତା’ଠାରୁ କମ୍ ବର୍ଷ ପାଇଁ ଦଣ୍ଡିତ ହୋଇଥିବା ଅପରାଧୀଙ୍କୁ ଖଲାସ କରାଯାଇଥାଏ । ଏନେଇ ଓଡ଼ିଶା ସମେତ ୧୩ଟି ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଅନୁଯାୟୀ, ଓଡ଼ିଶା ସମେତ ଗୁଜରାଟ, କେରଳ, ରାଜସ୍ଥାନ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, ମହାରାଷ୍ଟ୍ର, ତାମିଲନାଡ଼ୁ ହାଇକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ୨୦୨୧ ମସିହା ଡିସେମ୍ବର ୩୧ ସୁଦ୍ଧା, ଓଡ଼ିଶାର ବିଭିନ୍ନ ଜେଲରେ ୧୮ ହଜାର ୧୬୪ ଜଣ ବିଚାରାଧୀନ କଏଦୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ଅନ୍ୟାନ୍ୟ ବର୍ଗର କଏଦୀ ରହିଛନ୍ତି ।

ଓଡ଼ିଶାର ଜେଲମାନଙ୍କରେ ୧୫୭୮ ଜଣ ଆଜୀବନ କଏଦୀ ରହିଥିବା ବେଳେ ୬୯୯ ଜଣ ମାନସିକ ରୋଗୀ କଏଦୀ ରହିଛନ୍ତି । ରାଜ୍ୟର ବିଭିନ୍ନ ଜେଲରେ ୨୦୨୧ରେ ୬୦ ଜଣ କଏଦୀଙ୍କ ମୃତ୍ୟୁ ଘଟିଥିଲା । ବିଭିନ୍ନ ଜେଲରୁ ୭ ଜଣ କଏଦୀ ଫେରାର ହୋଇଯାଇଥିଲେ । ଗତବର୍ଷ ବିଭିନ୍ନ ଜେଲରୁ ଖଲାସ ହୋଇଥିବା ୧୫ ଜଣ କଏଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ୨ ଜଣଙ୍କୁ ଥଇଥାନ କରାଯାଇଥିଲା । ଜେଲଗୁଡ଼ିକରେ ମଞ୍ଜୁରୀପ୍ରାପ୍ତ ୨୮୯୮ ପଦବୀ ମଧ୍ୟରୁ ୨୧୩୨ଟି ପୂରଣ ହୋଇଥିବା ଜଣାପଡ଼ିଛି ।

Comments are closed.