ଅକ୍ରୁରଙ୍କ ହସ୍ତିନା ଯାତ୍ରା ।

ଅର୍ଜୁନୀ ଚରଣ ବେହେରା

ମଥୁରାଦାଣ୍ଡରେ ଶ୍ରୀକୃଷ୍ଣ କୁବୁଜାର ଖଞ୍ଜା ସଳଖି ଦେଇ, ତାକୁ ଏକ ସୁନ୍ଦରୀ ନାରୀରେ ରୂପାନ୍ତରିତ କରିଦେଲେ। ସେତେବେଳେ କୁବୁଜା ଖୁବ୍ ଆନନ୍ଦ ହୋଇ କହିଲା, ହେ ନନ୍ଦ ନନ୍ଦନ, ତୁମେ ମୋତେ ତୁମ ଭାର୍ଯ୍ୟା ଭାବେ ଗ୍ରହଣ କର। ପ୍ରଭୁ କୁବୁଜାର ମନୋଭାବ ବୁଝି ଗଲେ। ପ୍ରଭୁ ତାକୁ କହିଲେ, ମୁଁ ନିଶ୍ଚୟ ତୋ’ର ଅଭିଳାଷ ପୂରଣ କରିବି। ଆଗେ ଯେଉଁ କାମପାଇଁ ମୁଁ ଆସିଛି ସେହି କାମ ସାରେ। ତୁ ଯାଇ ଘରେ ଥା । ମୁଁ ନିଶ୍ଚୟ ଆସିବି ।
କଥା ଅନୁସାରେ କଂସର ନିଧନ ପରେ ଭଗବାନ୍ ଶ୍ରୀକୃଷ୍ଣ କୁବୁଜାର ଘରକୁ ଗଲେ। ପ୍ରଭୁଙ୍କ ସାନ୍ନିଧ୍ୟ ଲାଭକରି କୁବୁଜା ନିଜକୁ କୃତକୃତ୍ୟ ମନେକଲା। ବାଧ୍ୟ କରିବାରୁ କୁବୁଜାର ପୁରରେ କିଛିଦିନ ରହି ପ୍ରଭୁ ଫେରି ଆସିଲେ । ଉଗ୍ରସେନଙ୍କୁ ମଥୁରାରେ ରାଜା କଲେ। ମଥୁରାରେ ସବୁ ଯାଦବଙ୍କୁ ଓ ବନ୍ଧୁ ବାନ୍ଧବଙ୍କୁ ଥଇଥାନ କଲେ ।
ଏହାପରେ ପ୍ରଭୁଙ୍କ ମନେପଡ଼ିଲା ହସ୍ତିନାରେ ଥିବା ବଧବା ପିଉସୀ କୁନ୍ତୀ ଓ ତାଙ୍କ ପାଞ୍ଚପୁତ୍ରଙ୍କ କଥା। ତାଙ୍କ ଖବର ନେବାକୁ ପ୍ରଭୁ ଉଦ୍ଧବଙ୍କୁ ସାଙ୍ଗ କରି ଅକ୍ରୁରଙ୍କ ଘରକୁ ଗଲେ। ପୂର୍ବ କଥାନୁସାରେ ପ୍ରଭୁ ତା ଘରକୁ ଆସିଛନ୍ତି। ଏଣୁ ଭକ୍ତିରେ ସେ ଗଦଗଦ ହୋଇ ଗଲେ। ପ୍ରଭୁଙ୍କ ପୂଜାକରି ସେ ତାଙ୍କୁ ନାନା ଭାବେ ସ୍ତୁତି କଲେ। ତା’ ପରେ ଶ୍ରୀକୃଷ୍ଣ ଅକ୍ରୁରଙ୍କୁ କହିଲେ, ଆପଣ ତ ଆମର ନିଜ ଲୋକ। ଆପଣ ଟିକେ ହସ୍ତିନା ଯାଇ ଧୃତରାଷ୍ଟ୍ରଙ୍କ ଘରେ ରହୁଥିବା ଆମ ପିଉସୀ କୁନ୍ତୀଙ୍କ ଏବଂ ତାଙ୍କ ଅରକ୍ଷିତ ପାଞ୍ଚ ପୁତ୍ରଙ୍କ ଖବର ବୁଝି ଆସନ୍ତୁ। ପ୍ରଭୁଙ୍କ ଆଜ୍ଞା ଘେନି ଅକ୍ରୁର ସଙ୍ଗେ ସଙ୍ଗେ ହସ୍ତିନା ଯାତ୍ରା କଲେ ।
ହସ୍ତିନାରେ ପହଞ୍ଚି ଅକ୍ରୁର ସେଠାରେ କୁରୁ ବଂଶର ରାଜା ମାନଙ୍କର କୀର୍ତ୍ତି ଅଙ୍କିତ ହୋଇଥିବା ଦର୍ଶନ କଲେ। ଏହାପରେ ଅକ୍ରୁର ଯାଇ ଭୀଷ୍ମ, ଧୃତରାଷ୍ଟ୍ର, ବିଦୁର, କୁନ୍ତୀ, ବହ୍ଲିକ, ସୋମଦତ୍ତ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଦୁର୍ଯ୍ୟୋଧନ, ଅସ୍ଵତ୍ଥାମା, ଯୁଧିଷ୍ଟିରଙ୍କ ସହ ପଞ୍ଚପାଣ୍ଡବଙ୍କୁ ଓ ଅନ୍ୟ ବନ୍ଧୁମାନଙ୍କୁ ସାକ୍ଷାତ କଲେ। ସେମାନେ ଅକ୍ରୁରଙ୍କୁ ମଥୁରାବାସୀ ଯାଦବ ମାନଙ୍କ କଥା ପଚାରିବାରୁ ଅକ୍ରୁର ସେମାନେ ସର୍ଵ କୁଶଳରେ ଅଛନ୍ତିବୋଲି କହିଲେ। ଯେଉଁଥି ପାଇଁ କୃଷ୍ଣ ତାଙ୍କୁ ହସ୍ତିନା ପଠାଇଥିଲେ ସେକଥା ଜାଣିବା ପାଇଁ ସେ ହସ୍ତିନାରେ କିଛି ମାସ ରହିଗଲେ ।
ସେ ବୁଝି ପାରିଲେ ଯେ ଧୃତରାଷ୍ଟ୍ର ଶକୁନି ବୁଦ୍ଧିରେ ପରିଚାଳିତ ତାଙ୍କ ଦୁଷ୍ଟପୁତ୍ର ଦୁର୍ଯୋଧନ ବିରୁଦ୍ଧରେ କିଛି କରି ପାରିବେ ନାହିଁ । ସେ ବିଦୁରଙ୍କୁ ପଚାରି ବୁଝିଲେ ପାଣ୍ଡବ ମାନଙ୍କ ତେଜ, ସୌର୍ଯ୍ୟ, ସାହସ, ବଳ, ବୀର୍ଯ୍ୟ ଏଵଂ ପ୍ରଜାମାନଙ୍କ ପ୍ରତି ଶ୍ରଦ୍ଧା ଆଦି ସଦଗୁଣ ସବୁକୁ ଧୃତରାଷ୍ଟ୍ରଙ୍କ ପୁଅମାନେ ସହିପାରୁ ନାହାଁନ୍ତି। ଏଣୁ ସେମାନେ ଭୀମକୁ ବିଷଲଡୁ ଦେବା ପ୍ରଭୃତି ଦୁଷ୍କର୍ମ କରିଛନ୍ତି। ଏହାପରେ ସେ କୁନ୍ତୀଙ୍କ ପାଖକୁ ଗଲେ । ସେ ତ କୁନ୍ତୀଙ୍କ ହିସାବରେ ଭାଇ ଥିଲେ । ଏଣୁ ଅଶ୍ରୁପୂର୍ଣ୍ଣ ନେତ୍ରରେ କୁନ୍ତୀ ଅନ୍ତରଙ୍ଗ ଭାବେ ଅକ୍ରୁରଙ୍କୁ ନିଜ ମାତୃଭୂମି କଥା ପଚାରିଲେ। କୁନ୍ତୀ ପୁଣି କହିଲେ, ମୋର ବାପା, ମାଆ, ଭାଇ, ଭାଉଜ, ଭଉଣୀ, ଭଣଜା, ଭାଣିଜୀ ଓ ପିଲାବେଳ ସାଙ୍ଗମାନେ ସବୁ କେମିତି ଅଛନ୍ତି। ସେମାନେ କଣ ମୋତେ ମନେ ପକାନ୍ତି। ଶ୍ରୀକୃଷ୍ଣ, ବଳରାମ ତାଙ୍କ ପିଉସୀଙ୍କ କଥା ଏବଂ ପିଉସୀ ପୁଅ ଭାଇ ମାନଙ୍କ କଥା ମନେପକାନ୍ତି ତ ! ବ୍ୟାଘ୍ରମାନଙ୍କ ମଧ୍ୟରେ ମୁଁ ଏକ ତ୍ରସ୍ତ ହରିଣୀ ଭଳି, ଶତ୍ରୁ ମାନଙ୍କ ଭିତରେ ମୁଁ ପିତୃହୀନ ପୁତ୍ରଙ୍କୁ ଧରି ଅତିଦୁଃଖରେ ରହୁଛି। କୃଷ୍ଣ କେବେ ଆସି ମୋତେ ଶାନ୍ତ୍ବନା ଦେବେ। ହେ ବିଶ୍ଵ ଆତ୍ମା ! ହେ ଯୋଗେଶ୍ୱର ! ହେ ବିଶ୍ୱପିତା ! ହେ କୃଷ୍ଣ ! ହେ ଅରକ୍ଷରକ୍ଷଣ, ମୁଁ ତୁମର ଶରଣାଗତ। ହେ ଗୋବିନ୍ଦ ! ମୋତେ ରକ୍ଷା କର । ରକ୍ଷା କର ! ତୁମେ ହିଁ ମୋର ଶେଷ ଆଶ୍ରୟ । ହେ ପରଂବ୍ରହ୍ମ ! ମୁଁ ତୁମକୁ ନମସ୍କାର କରୁଛି।
ଏପରି କହି, କୁନ୍ତୀ ରୋଦନ କରିବାକୁ ଲାଗିଲେ। ତୁମର ପୁତ୍ରମାନେ ଦେବ ଅଂଶୀ । ତୁମେ ଧୈର୍ଯ୍ୟ ଧର। ଏପରି କହି, ବିଦୁର ଓ ଅକ୍ରୁର କ୍ରନ୍ଦନରତା କୁନ୍ତୀଙ୍କୁ ଶାନ୍ତ୍ବନାଦେଲେ। ଏହାପରେ ଧୃତରାଷ୍ଟ୍ରଙ୍କ ନିକଟକୁ ଯାଇ, ଅକ୍ରୁର ବହୁ ଧର୍ମୋପଦେଶ ଦେଇ ଶ୍ରୀକୃଷ୍ଣ ଓ ବଳରାମଙ୍କ ସନ୍ଦେଶ ଶୁଣାଇ କହିଲେ, ହେ ରାଜା ! ଆପଣ ଏ କୁରୁବଂଶର କୀର୍ତ୍ତି ବର୍ଦ୍ଧନ କରିଛନ୍ତି । ଧର୍ମରେ ପୃଥିବୀକୁ ପାଳନ କରି, ସତ୍ ବ୍ୟବହାରଦ୍ୱାରା ପ୍ରଜାନୁରଞ୍ଜନ କରନ୍ତୁ ଓ ସମାନ ଦୃଷ୍ଟିରେ ନିଜର ଆତ୍ମୀୟ ସ୍ୱଜନମାନଙ୍କୁ ଦେଖନ୍ତୁ। ତା ନହେଲେ ଆପଣଙ୍କୁ ଏ ସଂସାର ନିନ୍ଦା କରିବ। ତୁମେ ସଂଯତ ଓ ସମଦର୍ଶୀ ହୁଅ ।
ଅକ୍ରୁରଙ୍କ ସବୁ କଥା ଶୁଣି ଧୃତରାଷ୍ଟ୍ର କହିଲେ, ହେ ମହାମନା ଅକ୍ରୁର,ତୁମେ ଯାହାସବୁ କହିଲ, ତାହା ମୋ ମଙ୍ଗଳ ପାଇଁ କହିଲ । କିନ୍ତୁ ଯେପରି ଅମୃତ ଲାଭ କଲେ ମୃତ୍ୟୁମୁଖୀ ଜୀବ ତୃପ୍ତ ହୋଇପାରେ ନାହିଁ, ତୁମର ଏହି ଅମୃତମୟ କଥାରେ ମୁଁ ସେହି ପରି ତୃପ୍ତ ହୋଇ ପାରୁନାହିଁ। ହେ ବନ୍ଧୁ, ମୁଁ ପୁତ୍ରଙ୍କ ପ୍ରତି ଅତିଶୟ ମମତାସିକ୍ତ ରହୁ ଥିବାରୁ ମୋ ଚିତ୍ତ ସବୁବେଳେ ଚଞ୍ଚଳ ରହି, ତୁମର ଭଲ କଥା ମଧ୍ୟ ମେଘରେ ବିଜୁଳି ପରି ମୋ ମନରେ ସ୍ଥିର ହୋଇ ରହିପାରୁ ନାହିଁ। ଯଦୁ କୁଳରେ ଧରାଭାର ହରଣ କରିବାକୁ, ଯେଉଁ କୃଷ୍ଣ ଜନ୍ମ ହୋଇଛନ୍ତି, ତାଙ୍କର ବିଧାନକୁ କିଏବା ଲଂଘନ କରିବ। ତାଙ୍କର ମାର୍ଗ ଅଚିନ୍ତନୀୟ । ନିଜ ମାୟାରେ ସେ ଏ ସଂସାରକୁ ସୃଷ୍ଟି କରନ୍ତି ଏବଂ ସେଥିରେ ପ୍ରବେଶପୂର୍ବକ ଗୁଣ ଓ କର୍ମକୁ ଭାଗ କରିଥାନ୍ତି। ତାଙ୍କର ସେ ଲୀଳାକୁ କେହି ମଧ୍ୟ ବୁଝି ପାରନ୍ତି ନାହିଁ। ମୁଁ ପରମ ପୁରୁଷ ସଂସାରଚକ୍ରରେ ପଶିଥିବା ସେହି ପରମେଶ୍ବରଙ୍କୁ ବାରମ୍ବାର ପ୍ରଣାମ କରୁଛି।
ଧୃତରାଷ୍ଟ୍ରଙ୍କ କଥାରୁ ଅକ୍ରୁର ତାଙ୍କ ଅଭିପ୍ରାୟ ଜାଣି ନେଲେ। ସେ ସୁହୃଦ ମାନଙ୍କ ଠାରୁ ବିଦାୟ ଘେନି ମଥୁରାକୁ ପ୍ରତ୍ୟାବର୍ତ୍ତନ କଲେ। ମଥୁରାରେ ପହଞ୍ଚି ସେ କୃଷ୍ଣ ଏବଂ ବଳରାମଙ୍କୁ ସବୁ କଥା କହିଲେ । ସେ ତନ୍ନ ତନ୍ନ କରି ରାଜା ଧୃତରାଷ୍ଟ୍ରଙ୍କ ପାଣ୍ଡବଙ୍କ ପ୍ରତି ବ୍ୟବହାର ଓ କାର୍ଯ୍ୟ କଳାପକୁ ଭଗବାନଙ୍କୁ ବୁଝାଇ ଦେଲେ। ତାଙ୍କ ଠାରୁ ଧୃତରାଷ୍ଟ୍ରଙ୍କ ପାଣ୍ଡବ ମାନଙ୍କ ପ୍ରତି ବକ୍ରବ୍ୟବହାର କଥା ଶୁଣି ଭଗବାନ ହସିବାକୁ ଲାଗିଲେ। ଶ୍ରୀମଦ୍ ଭାଗବତର ଦଶମ ସ୍କନ୍ଧ, ତ୍ରିପଞ୍ଚାଶତ ଅଧ୍ୟାୟରେ ଏହା ବର୍ଣ୍ଣନା କରି ଭାଗବତକାର ଜଗନ୍ନାଥ ଦାସ ଲେଖିଲେ:-
ପାଣ୍ଡୁ ବାଳକେ ରାଜା ଚିତ୍ତ।
ବକ୍ର ବେଭାର ବିପରୀତ।।
ଶୁଣି ହସିଲେ ଭଗବାନ।
ଅକ୍ରୁର ମୁଖେ ଅବଧାନ।।
ଓଁ ଗୋବିନ୍ଦାୟ ନମଃ
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.