ବାରଙ୍ଗ,୨୬/୦୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଏଠାକୁ ଆଉ ଦୁଇଟି ହୁଲକ ଗିବନ୍ ଆସୁଛନ୍ତି । ଏଥିସହ ହିମାଳୟ ଭାଲୁ ଓ ଘୁଷୁରୀ ଲାଞ୍ଜି ମାଙ୍କଡ଼ ମଧ୍ୟ ଆସିବେ । ଏଥିପାଇଁ ପ୍ରାଣୀ ଉଦ୍ୟାନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୨୮ ତାରିଖରେ ପ୍ରାଣୀ ଉଦ୍ୟାନର ଏକ ଟିମ୍ ମିଜୋରାମର ଆଇଜଲ ଚିଡିଆଖାନା ଗସ୍ତ କରିବେ । ସେଠାରୁ ଦୁଇଟି ହୁଲୁକ ଗିବନ (ଅଣ୍ଡିରା, ମାଈ), ଦୁଇଟି ଘୁଷୁରୀ ଲାଞ୍ଜି ମାଙ୍କଡ଼, (ଅଣ୍ଡିରା, ମାଈ) ଓ ଗୋଟିଏ ମାଈ ହିମାଳୟ କଳାଭାଲୁ ଆଣିବେ । ପ୍ରତିବଦଳରେ ମିଜୋରାମର ଆଇଜଲ ଚିଡ଼ିଆଖାନାରୁ ଗତ ମାର୍ଚ୍ଚ ମାସ ୨୭ ତାରିଖରେ ଦୁଇଟି ବାଘ (ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ ‘କୁନ୍ଦନ’ ଓ ସାଧାରଣ ରଙ୍ଗର ବାଘୁଣୀ ‘ଆଦ୍ୟାଶା’)କୁ ପଠାଯାଇଛି ।
ସୂଚନାଯୋଗ୍ୟ, ପ୍ରାଣୀ ଉଦ୍ୟାନକୁ ଦୀର୍ଘ ୪୦ ବର୍ଷ ପରେ ହୁଲୁକ ଗିବନ ଆସୁଛନ୍ତି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଗତ ଜୁଲାଇ ୨୭ ତାରିଖରେ ଅରୁଣାଚଳ ପ୍ରଦେଶର ଇଟାନଗରରୁ ଦୁଇଟି ହୁଲୁକ ଗିବନ (ମାଈ,ଅଣ୍ଡିରା) ଆସିଛନ୍ତି । ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ମିଜୋରାମରୁ ଦୁଇଟି ହୁଲୁକ ଗିବନ ଆସିଲେ, ପ୍ରାଣୀ ଉଦ୍ୟାନରେ ଏମାନଙ୍କ ସଂଖ୍ୟା ୪କୁ ବୃଦ୍ଧି ହେବା ସହିତ ପର୍ଯ୍ୟଟକ ଭରପୁର ମନୋରଞ୍ଜନ କରି ପାରିବେ ।
Comments are closed.