ନାଗକନ୍ୟା ବେଲାବଳୀ
==============
ହସ୍ତୀନା ରାଜପ୍ରାସାଦରେ ମହାରାଜ ପଣ୍ଡୁଙ୍କ ପାଞ୍ଚ ପୁତ୍ର, ତଥା ଧୃତରାଷ୍ଟ୍ରଙ୍କ ଶହେ ପୁତ୍ର ଯୌବନରେ ଉପନୀତ ହୋଇସାରିଥାନ୍ତି l ସବୁ ରାଜପୁତ୍ର ମିଶି ବିଭିନ୍ନ କ୍ରୀଡ଼ା କୌତୁକ ମାନ କରି ରାଜପ୍ରାସାଦକୁ ମୁଖରିତ କରୁଥାନ୍ତି l ଭୀମ ସେନ ତାଙ୍କ ମଧ୍ୟରେ ସବୁ ଠାରୁ ବଳଶାଳୀ ଏବଂ ଅତ୍ୟନ୍ତ ଚପଳ ମତି ଥାଆନ୍ତି l ଖେଳ ଭୋଜନରେ ସେ ସମସ୍ତଙ୍କୁ ବଳି ଯାଉଥିଲେ l ସେ କେତେବେଳେ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇ ମାନଙ୍କ ବାଳ ଧରି ଟାଣି ଦିଅନ୍ତି ତ ପୁଣି କେତେବେଳେ କାହାକୁ ଘୋଷାଡ଼ି ଘୋଷାଡ଼ି ନେଇ ଅନ୍ୟ କାହା ଉପରେ କଚାଡ଼ି ଦିଅନ୍ତି l ସେ ଗାଧୋଇବାବେଳେ ଏକସଙ୍ଗେ ପାଞ୍ଚ ଜଣଙ୍କୁ ଧରି ଜଳରେ ବୁଡ଼ାଇଦେଉଥିଲେ l ଗଛ ଉପରେ ଚଢ଼ି ଅନ୍ୟମାନେ ଫଳ ତୋଳୁଥିବା ସମୟରେ ଗଛକୁ ଭୀମ ଏତେ ଯୋରରେ ହଲାଇଦିଅନ୍ତି ଯେ ଫଳ ସହ ସମସ୍ତେ ତଳକୁ ଖସିପଡ଼ନ୍ତି l ବୃକୋଦରଙ୍କ ଏଭଳି ଚପଳତା ଓ ପରାକ୍ରମକୁ ଦୁର୍ଯ୍ୟୋଧନ ଓ ତାଙ୍କର ଭାଇ ମାନେ ବିଲକୁଲ ସହ୍ୟ କରିପାରୁ ନ ଥିଲେ l ସେମାନେ ଭୀମଙ୍କ ଉପରେ ସର୍ବଦା ଅସୂୟା ଭାବ ରଖୁଥାନ୍ତି lକୁଳ ଗୁର କୃପାଚାର୍ଯ୍ୟ ରାଜ କୁମାର ମାନଙ୍କୁ ଧନୁ ଓ ଅସ୍ତ୍ର ବିଦ୍ୟା ଶିକ୍ଷା ଦେଉଥାନ୍ତି l ସେଥିରେ ମଧ୍ୟ ଭୀମ ସମସ୍ତଙ୍କୁ ବଳି ଯାଉଥାନ୍ତି l ଭୀମ ସେନଙ୍କ ପ୍ରତି ଦୁର୍ଯ୍ୟୋଧନଙ୍କ ଅସୂୟାଭାବ କ୍ରମେ ବଳବତୀ ହେବାରେ ଲାଗିଲା l ସେ କିପରି ଭୀମଙ୍କୁ ମୂଳରୁ ଶେଷ କରିଦେବେ ସେହି ଉପାୟ ଚିନ୍ତା କରିବାକୁ ଲାଗିଲେ l
ଭୀମ ଥିଲେ ଖୁବ ଭୋଜନ ପ୍ରୀୟ l ତେଣୁ ଗଙ୍ଗା କୂଳରେ ଦୁର୍ଯ୍ୟୋଧନ ଦିନେ ଗୋଟିଏ ଘର ତିଆରି କରି ସେଥିରେ ଅନେକ ସୁମିଷ୍ଟ ଭୋଜନ ସାମଗ୍ରୀ ରଖି ପାଣ୍ଡଵ ପାଞ୍ଚ ଭାଇଙ୍କୁ ଭୋଜନ ଓ ଜଳକ୍ରୀଡ଼ ପାଇଁ ଆମନ୍ତ୍ରଣ କଲେ l ଭୀମଙ୍କ ଖାଦ୍ୟରେ ତୀବ୍ର କାଳକୁଟ ବିଷ ମିଶାଇ ଦୁଷ୍ଟ ଦୁର୍ଯ୍ୟୋଧନ ତାହାଙ୍କୁ ଖାଇବାକୁ ଦେଲେ l ଭୀମ ବିନା ଦ୍ବିଧାରେ ସୁମିଷ୍ଟ ଭୋଜନ ତକ ଖାଇଦେଲେ ଓ ଅନ୍ୟମାନଙ୍କ ସହ ଯାଇ ଜଳକ୍ରୀଡ଼ାରେ ମାତିଗଲେ l କେତେସମୟ କ୍ରୀଡ଼ା କରି, ସମସ୍ତେ କ୍ଲାନ୍ତ ହୋଇ ଯାଇ ବିଶ୍ରାମ ନେଉଥିଲା ବେଳେ, ଭୀମ ବିଷ ପ୍ରଭାବରେ ଗଙ୍ଗା କୂଳରେ ମୂର୍ଛିତ ହୋଇ ପଡ଼ିଲେ l ଦୁର୍ଯ୍ୟୋଧନର ଆନନ୍ଦ କହିଲେ ନସରେ l ମନେ ମନେ ଅତ୍ୟନ୍ତ ଖୁସି ହୋଇ, ସେ ଭାବୁଥାଏ ଯାହା ହେଉ ଏଥର କଣ୍ଟା ଗଲା l
ଦୁର୍ଯ୍ୟୋଧନ ସମସ୍ତଙ୍କ ଅଲକ୍ଷ୍ୟରେ ଭୀମଙ୍କୁ ବାନ୍ଧି ନେଇ ଗଙ୍ଗାରେ ନିକ୍ଷେପକଲେ l ଭୀମଙ୍କ ବିରାଟ ଶରୀରଟି ଅଚେତ ଅବସ୍ଥାରେ ଭାସୁଥାଏ l ଏପରି ଏକ ଵପୁଶାଳୀ ସୁନ୍ଦର ଯୁବକକୁ ନଦୀରେ ଭାସୁ ଥିବା ସେହି ସମୟରେ ସେ ବାଟରେ ଯାଉଥିବା ନାଗ ରାଜଙ୍କ କନ୍ୟା ରୋହିତାକ୍ଷ ଦେଖିଲା l ସେ ନାଗ ରାଜ ବାସୁକୀଙ୍କ କନ୍ୟା ବେଲାବଳୀ ତଥା ଅନ୍ୟ ନାଗ କନ୍ୟା ମାନଙ୍କ ସାହାଯ୍ୟରେ ଭୀମଙ୍କୁ ଉଦ୍ଧାର କରି ନାଗଲୋକକୁ ଘେନିଗଲେ l ସେବା ଶୁଶ୍ରୁଷା କରି ସେଠାରେ ତାଙ୍କୁ ସୁସ୍ଥ କରାଇଲେ l ବିଷ ଛଡ଼ାଇବା ପାଇଁ, ବେଲାବଳୀ ତାଙ୍କୁ ଅମୃତ ତଥା ଅନ୍ୟ ରସାୟନ ପାନକରାଇଲେ l ଅଚେତ ଭୀମ, ସୁସ୍ଥ ହୋଇ ଉଠି ଦେଖିଲେ, ତାଙ୍କୁ ସେବା କରୁଥିବା କନ୍ୟାଟି ଅସାମାନ୍ୟ ସୁନ୍ଦରୀ l ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଭୀମ ତାଙ୍କୁ ନାଗରାଜ ବାସୁକୀଙ୍କ ସ୍ୱୀକୃତିରେ ବିବାହକଲେ l କିଛିକାଳ ନାଗଲୋକରେ ବାସ କଲା ପରେ ଭୀମଙ୍କ ମାଆ କୁନ୍ତୀ ଓ ଭାଇମାନଙ୍କ କଥା ମନେ ପଡ଼ିବାରୁ ସେ ବେଲାବଳୀଙ୍କ ଠାରୁ ବିଦାୟ ନେବାକୁ ଚାହିଁଲେ l ସେତେବେଳକୁ ଭୀମ- ବେଲାବଳୀଙ୍କ ଔରସରୁ ଏକ ବଳବାନ ପୁତ୍ର ଜନ୍ମ ଲାଭ କରି ସାରିଥାଏ l ପୁଅଟିର ନାମ ଭୀମସେନ ଏବଂ ବେଲାବଳୀଙ୍କ ନାମକୁ ମିଶାଇ ରଖାଯାଇଥିଲା ବେଲାଳସେନ l ବେଲାବଳୀ ତାଙ୍କୁ ବିଦାୟଦେଲେ l ଭୀମ ନିଜ ନାଗ ପତ୍ନୀ ବେଲାବଳୀଙ୍କ ସହାୟତାରେ କୁରୁ ରାଜ୍ୟକୁ ଫେରି ଆସିଲେ l
ଦୁର୍ଯ୍ୟୋଧନ ଭୀମଙ୍କୁ ଗଙ୍ଗାରେ ନିକ୍ଷେପ କରିବା ପରେ ଆନନ୍ଦରେ ଫେରି ଆସିଲେ l ଭୀମା ମୃତ ସେ ଆଉ ଫେରିବନାହିଁ, ଏକଥା ମାମୁଁ ଶକୁନିଙ୍କୁ କହିବାରୁ ଶକୁନି ଦୁର୍ଯ୍ୟୋଧନର ବୁଦ୍ଧିକୁ ବାଃବାଃ କଲେ l ଶକୁନି କହିଲେ, ଭଣଜା ଏହା ତୁ ଆଉ କାହାରିକୁ କହନା l ତୋ’ ରାସ୍ତା ଏବେ ନିଷ୍କଣ୍ଟକ l ଏଣୁ ସେ କାହାରିକୁ କିଛି ନ କହି ଚୁପ ରହିଲେ l ଏଣେ ଯୁଧିଷ୍ଠିର ଭୀମ କୁଆଡ଼େଗଲା ବୋଲି ଚାରି ଆଡ଼େ ଭାଇମାନଙ୍କ ସହ ଖୋଜିବାକୁ ଲାଗିଲେ l ସେ ଭୀମଙ୍କର କୌଣସି ସନ୍ଧାନ ନପାଇ ନିରାଶ ହୋଇପଡ଼ିଲେ,ମାତା କୁନ୍ତୀଙ୍କ ଚକ୍ଷୁରୁ ବାରିଧାରା ବର୍ଷିଯାଉ ଥାଏ lଖୁବ ଚିନ୍ତିତ ହୋଇ ଯୁଧିଷ୍ଠିର ଅଧୀର ଅବସ୍ଥାରେ ଥାଆନ୍ତି,ଦିନେ ଆସି ହଠାତ ଭୀମ ପହଞ୍ଚିଗଲେ l ମାତା କୁନ୍ତୀ ଓ ଯୁଧିଷ୍ଠିର ଭୀମଙ୍କୁ ଦେଖି ଅତ୍ୟନ୍ତ ଆନନ୍ଦରେ ତାଙ୍କୁ କୋଳାଗ୍ରତକଲେ l ମାଆ କୁନ୍ତୀ ଭୀମଙ୍କୁ ଜିଜ୍ଞାସା କରିବାରୁ,ସେ ତାଙ୍କୁ ସମସ୍ତକଥା ଗୋଟି ଗୋଟି କରି କହି ଗଲେ l ପୁଣି ବୃକୋଦର କହିଲେ,” ମାଆ ! ତୁମେମାନେ ସମସ୍ତେ ମୋତେ ମନେ ପକାଇବାରୁ ଅଥୟ ହୋଇ ମୁଁ ସେହି ନାଗ କନ୍ୟା ବେଲାବଳିର ମନ୍ତ୍ର ସାହାଯ୍ୟରେ ନିମିଷକ ମଧ୍ୟରେ ଆସି ତୁମମାନଙ୍କ ପାଖରେ ପହଞ୍ଚିଗଲି l ଆମ ଓଡ଼ିଆ ମହାଭାରତରେ ଶୂଦ୍ରମୁନୀ ଶାରଳା ଦାସ କହିଲେ :-
ଆସନ କମ୍ପିଲା ମୋର ତୁମ୍ଭେ ସୁମରନ୍ତେ l
ଏକା ନିମିଷେ ଅଇଲୁ ନାଗୁଣୀର ମନ୍ତ୍ରେ ll
କୁନ୍ତୀ ମହାତ୍ମା ବିଦୁରଙ୍କୁ ଡକାଇ, ଦୁର୍ଯ୍ୟୋଧନର ଏହି କ୍ରୁରକର୍ମ ବିଷୟରେ ଅବଗତ କରାଇଲେ l ସେ କହିଲେ,ଭୀମକୁ ଦୁର୍ଯ୍ୟୋଧନ ଆଦୌ ଦେଖି ପାରୁ ନାହିଁ l ତାକୁ ମାରିଦେବା ପାଇଁ ଦୁର୍ଯ୍ୟୋଧନ ଏହି ଯୋଜନା କରିଥିଲା l
ମହାତ୍ମା ବିଦୁର ଧୀର କଣ୍ଠରେ କୁନ୍ତୀଙ୍କୁ କହିଲେ, କଲ୍ୟାଣୀ ! ଏହା ଆଉ ପ୍ରଘଟ କର ନାହିଁ l ଏହା ଦୁର୍ଯ୍ୟୋଧନ ଜାଣିଲେ ତାର କ୍ରୁରତା ଆହୁରି ବଢ଼ି ଯିବ l ତୁମର ପୁତ୍ର ମାନେ ନିଶ୍ଚୟ ଦୀର୍ଘାୟୁ ଏବଂ ଯଶସ୍ବୀ ହେବେ,ତୁମକୁ ସାବଧାନରେ ଚାଲିବାକୁ ହେବ l ଯୁଧିଷ୍ଠିର ମଧ୍ୟ ସେହି କଥା କହି ଭୀମଙ୍କୁ ଆଉ କାହାରିକୁ କିଛି ନ କହିବା ପାଇଁ ପରାମର୍ଶ ଦେଲେ l ସେ ଭାଇ ମାନଙ୍କୁ ଡାକି ସତର୍କ ହୋଇ ଓ ସର୍ବଦା ଏକତ୍ର ହୋଇ ଚଳିବା ପାଇଁ ପରାମର୍ଶ ଦେଲେ l
ଭୀମଙ୍କୁ ଫେରିଆସିବା ଦେଖି ଦୁର୍ଯ୍ୟୋଧନର ମୁଖ ସୁଖି କଳା କାଠ ହୋଇ ଗଲା l ମାମୁଁ ଶକୁନିଙ୍କର ମଧ୍ୟ ସେହି ଅବସ୍ଥା l ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟହୋଇ ଭୀମ କିପରି ବଞ୍ଚିଲା !!! ସେହି କଥା ଭାବି ଭାବି ସନ୍ତାପିତ ହେଉଥିଲେ l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971
Comments are closed.