ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ: ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଅସ୍ତରଙ୍ଗ: ଅସ୍ତରଙ୍ଗ ଉପକୂଳ ଦେଇ ଯିବାକୁ ଥିବା ଜାତୀୟ ରାଜପଥର ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। ଉପକୂଳ କ୍ରିୟାନୁଷ୍ଠାନ କମିଟି ସଭାପତି ଓ ଆବାହକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅସ୍ତରଙ୍ଗରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ୧୫ଟି ପଞ୍ଚାୟତରୁ ହଜାର ହଜାର ମହିଳା ଓ ପୁରୁଷ ଏଥିରେ ସାମିଲ୍ ହୋଇ ଶୋଭାଯାତ୍ରା କରିବା ସମେତ ତହସିଲ ନିକଟରେ ଧାରଣା ଦେଇଥିଲେ।

ପ୍ରଥମେ ସମସ୍ତେ ମା’ ଜାଗୁଳେଇଙ୍କ ନିକଟରେ ଏକଜୁଟ୍ ହେବାରେ ସେଠାରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟ ବଜାର ସ୍ଥିତ ତାରିଣୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରୁ ଆସି ଅସ୍ତରଙ୍ଗ ତହସିଲର ମୁଖ୍ୟ ଫାଟକ ନିକଟରେ ରୁଣ୍ଡ ହୋଇଥିଲେ। ସେମାନେ କହିବା କଥା, ନଦନଦୀ ପରିପୂର୍ଣ୍ଣ ଅସ୍ତରଙ୍ଗ ଛାତି ଉପରେ ସମୁଦ୍ର ବହୁଥିଲା ବେଳେ ଭୟ ବଢୁଛି। ବହୁ ସମୟରେ ସମୁଦ୍ର ତାର କରାଳ ରୂପ ଦେଖାଇବା ଓ ସୁନାମିର ଭୟ ରହୁଥିବାରୁ ଅସ୍ତରଙ୍ଗ ଉପକୂଳ ଦେଇ ଜାତୀୟ ରାଜପଥ ଗଲେ ସୁରକ୍ଷାର କବଚ ସାଜିବ ବୋଲି ସମସ୍ତେ ମତ ରଖିଛନ୍ତି। କିନ୍ତୁ ଏହାର ନକ୍ସା ପରିବର୍ତ୍ତନ ହେବାରେ ଅସ୍ତରଙ୍ଗବାସୀ ବିପଦର ସାମ୍ନା କରିବେ। ଜଳବାୟୁ ପରିବର୍ତ୍ତନ ଯୋଗୁ ନଦୀର ଗତିପଥ ବଦଳିବା ଓ ସମୁଦ୍ରର ଜଳରାଶି ଆଗକୁ ମଡ଼େିଆସିବା, ବିଶେଷଜ୍ଞ ପୂର୍ବାନୁମାନ ମତାନୁସାରେ ବିଶ୍ଵତାପାୟନ ଯୋଗୁ ଆଗାମୀ ଦିନରେ ଅସ୍ତରଙ୍ଗ ଅଞ୍ଚଳରେ ଜଳପ୍ରଳୟ ହେବାର ଆଶଙ୍କା ରହିଛି। ରାଜପଥର ପରିକଳ୍ପନା ଅଞ୍ଚଳ ପାଇଁ ସୁରକ୍ଷା ହୋଇ ଛିଡ଼ା ହେବା ସମେତ ବିଭିନ୍ନ ଅଞ୍ଚଳକୁ ଗମନାଗମନ, ପରିବହନ ଓ ଜୀବନଜୀବିକା କ୍ଷେତ୍ରରେ ଏକ ପ୍ରକାର ମାର୍ଗ ପ୍ରସ୍ତୁତ ହେବ ବୋଲି କୁହାଯାଇଛି। କିନ୍ତୁ କେତେକ କୁଚକ୍ରୀଙ୍କ ଚାପରେ ପୂର୍ବର ନିଷ୍ପତ୍ତିକୁ ବଦଳାଇ ଉପକୂଳ ଦେଇ ୨ କି.ମି ଦୂରରେ ଯିବାକୁ ଥିବା ରାଜପଥରର ନକ୍ସା ପରିବର୍ତ୍ତନ କରି ୨୫ କି.ମି ଦୂରରେ ନେବାକୁ ମସୁଧା ଚାଲିବାକୁ ନେଇ ଅଞ୍ଚଳବାସୀଙ୍କ ହଜମ ହେଉନି ବୋଲି ସମାବେଶରେ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ଏହି ପରିପ୍ରେକ୍ଷୀରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକଙ୍କୁ ଭେଟି ଦାବିପତ୍ର ଦେଇ ସମାବେଶ ଓ ଧାରଣାକୁ ଭଙ୍ଗ କରାଯାଇଥିଲା। ଦାବିମୁତାବକ ଏକ ସପ୍ତାହ ମଧ୍ୟରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆନଗଲେ ଆଗାମୀଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସ୍ୱାଇଁ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ମହାନ୍ତି, କାଳିନ୍ଦୀ ଚରଣ ଛାଟୋଇ, ଅଧିକାରୀ ବେହେରା, ପ୍ରସନ୍ନ ବେହେରା, ମାନସ କୁମାର ସାମଲଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଓ ମହିଳା ପ୍ରମୁଖ ଯୋଗ ଦେଇଥିଲେ।

Comments are closed.