ସୈଫ ଅଲ-ଆଦେଲ ନୂଆ ଅଲ୍‌କାଏଦା ମୁଖ୍ୟ: ମୁଣ୍ଡ ପାଇଁ ୧ କୋଟି ଡଲାର ପୁରସ୍କାର ରାଶି

ଦୁବାଇ: ଇଜିପ୍ଟ ସ୍ବତନ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ତଥା ଅଲ୍‌କାଏଦାର ଅନ୍ୟତମ ମୁଣ୍ଡିଆଳ ସୈଫ ଅଲ-ଆଦେଲ ଏବେ ନିର୍ବିବାଦୀୟ ଭାବେ ଉକ୍ତ ଆତଙ୍କବାଦୀ ସଂଗଠନ ମୁଖିଆ ହୋଇଛି। ସୈଫର ମୁଣ୍ଡ ପାଇଁ ଆମେରିକା ପୂର୍ବରୁ ଏକ କୋଟି ଡଲାରର ପୁରସ୍କାର ରାଶି ଘୋଷଣା କରିଛି। ଅଲ୍‌କାଏଦାର ପ୍ରତିଷ୍ଠାତା ଓସାମା ବିନ ଲାଡେନକୁ ଆମେରିକା ୨୦୧୧ରେ ପାକିସ୍ତାନ ଭିତରେ ପଶି ନିପାତ କରିଥିବା ବେଳେ ସଂଗଠନର ପରବର୍ତ୍ତୀ ମୁଖିଆ ଆୟମାନ ଅଲ୍‌-ଜୱାହିରି ଗତବର୍ଷ କାବୁଲରେ ଆମେରିକାର କ୍ଷେପଣାସ୍ତ୍ର ମାଡ଼ରେ ନିହତ ହୋଇଥିବା ବିଶ୍ବାସ କରାଯାଉଛି।

ସେବେଠାରୁ ସଂଗଠନର ମୁଖିଆ କିଏ ସେ ନେଇ ସନ୍ଦେହ ରହିଆସିଥିଲା। କିନ୍ତୁ ଜାତିସଂଘ କେତେକ ତଥ୍ୟ ବିଶ୍ଳେଷଣ କରି ଜାଣିପାରିଛି ଯେ, ଗତ ନଭେମ୍ବର ଓ ଡିସେମ୍ବର ମାସରେ ଅଲ୍‌କାଏଦା ସଦସ୍ୟମାନେ ସୈଫ ଅଲ-ଆଦେଲକୁ ନିର୍ବିବାଦୀୟ ଭାବେ ନିଜର ନେତା ଭାବେ ସ୍ବୀକାର କରିଥିଲେ, ଯିଏ କି ଜୱାହିରିର ନିଧନ ପରେ ଦଳକୁ ଅଘୋଷିତ ମୁଖ୍ୟ ଭାବେ ଚଳାଇ ଆସୁଥିଲା। ୧୯୯୮ ମସିହାରେ ଆଦେଲ ତାଞ୍ଜାନିଆ ଓ କେନିଆସ୍ଥିତ ଆମେରିକା ଦୂତାବାସ ଉପରେ ବୋମାମାଡ଼ କରି ୨୨୪ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ସହ ୫୦୦୦ ଲୋକଙ୍କୁ ଆହତ କରିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଆମେରିକା ପକ୍ଷରୁ ତା’ ମୁଣ୍ଡ ପାଇଁ ଏକ କୋଟି ଡଲାରର ପୁରସ୍କାର ଘୋଷଣା କରାଯାଇଥିଲା।

Comments are closed.